ଜେଲ ଆଇଜିଙ୍କ ବିରୋଧରେ ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ

ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ

ଭୁବନେଶ୍ବର () ଜେଲ ଆଇଜି ତଥା ଅତିରିକ୍ତ ଡିଜି ବିନୟାନନ୍ଦ ଝାଙ୍କ ବିରୋଧରେ ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ । କୋରାପୁଟ ଜେଲ ସଂପର୍କରେ ଆଲୋଚନା ପାଇଁ ବିନୟାନନ୍ଦଙ୍କ ସହ ଆଲୋଚନା ପାଇଁ ଯାଇଥିବା କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କୁ ଶ୍ରୀ ଝା ଦେଖାଦେଲେନି । ବରଂ ପିଅନ ହାତରେ କହିପଠାଇଲେ ଯେ, ଆଜି ସମୟ ନାହିଁ ଦେଖା ହୋଇପାରିବ ନାହିଁ । ଏ ସଂପର୍କରେ ଭୁଜବଳ ଆଜି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଲିକ୍ଷିତ ଅଭିଯୋଗ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ କିଛି ଅପ୍ରିତିକର ପରିସ୍ଥିତି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଭୁଜବଳ କହିଛନ୍ତି ।

ଗତ ୮ ତାରିଖରେ ଜେଲ ଆଇଜିଙ୍କୁ ଭେଟିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ବିଧାୟକ ଭୁଜବଳ ମାଝୀ । ଅପରାହ୍ନ ପ୍ରାୟ ସାଢେ ଚାରିଟା ସମୟରେ । ଆଇଜିଙ୍କୁ ଭେଟିବାକୁ ସେ ତାଙ୍କ ପିଅନ ହାତରେ ସ୍ଲିପ ଦେଇ ପଠାଇଥିଲେ । ୫ ମିନିଟ ଅପେକ୍ଷା କରିବା ପରେ ଶ୍ରୀ ଝା ତାଙ୍କ ପିଅନ ହାତରେ କହିପଠାଇଲେ ଯେ, ସେ ବ୍ୟସ୍ତ ଅଛନ୍ତି ଆଜି ଭେଟ ହୋଇପାରିବନି । ସେଭିତରେ ଭୁଜବଳ ଆଇଜିଙ୍କୁ ଏକାଧିକ ଥର ଫୋନ କରିଥିଲେ । କିନ୍ତୁ ସେ ଫୋନ କଲର ଉତ୍ତର ଦେଇନଥିଲେ । ଜଣେ ବିଧାୟକଙ୍କ ପ୍ରତି ବରିଷ୍ଠ ଆଇପିଏସ ଅଫିସରଙ୍କ ଏଭଳି ବ୍ୟବହାର ବୁକ ସର୍କୁଲାର-୪୭କୁ ଉଲଂଘନ କରୁଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଦାବି କରିଛନ୍ତି ଭୁଜବଳ ।

ନିର୍ବାଚିତ ଲୋକପ୍ରତିନିଧିଙ୍କ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ଶୁଭଂକର ନୁହେଁ । ୨୦୦୫ରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ବୁକ ସର୍କୁଲାର ଅନୁଯାୟୀ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଫିସରମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ସହାୟତା ଯୋଗାଇଦେବେ । ଏପରିକି ଜଣେ ବିଧାୟକ କି ସାଂସଦ କୌଣସି ଅଫିସରଙ୍କ ପାଖକୁ ଗଲେ ସେମାନେ ତାଙ୍କୁ ଛିଡା ହୋଇ ସ୍ବାଗତ କରିବା ସହ ଉପଯୁକ୍ତ ସମ୍ମାନ ଦେବେ । ଯଦି କୌଣସି ନିର୍ବାଚିତ ପ୍ରତିନିଧି କୌଣସି ଅଫିସରଙ୍କୁ ଟେଲିଫୋନ କରୁଛନ୍ତି ତେବେ ସେମାନେ ତୁରନ୍ତ ସେହି କଲର ଉତ୍ତର ଦେବେ । ଏପରିକି ଯଦି ସେ ସମୟରେ ଅଫିସର ଜଣକ ନିଜ କାର୍ଯ୍ୟାଳୟରେ ନଥାନ୍ତି ତେବେ ସେ ତୁରନ୍ତ ସଂପୃକ୍ତ ବିଧାୟକ ଓ ସାଂସଦଙ୍କୁ ଫୋନ କରିବା ଆବଶ୍ୟକ ।

ବୁକ ସର୍କୁଲାର ଉଲଂଘନ ହେଲେ ସଂପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେଣୁ ବୁକ ସର୍କୁଲାର ଅନୁଯାୟୀ ବିନୟାନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ଭୁଜବଳ । ଯଦି କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =