Friday, October 30, 2026
Latestରାଜ୍ୟ

୧୨୦ ବର୍ଷ ପରେ ବ୍ଳାକ ପଗୋଡାରୁ କଢାଯିବ ବାଲି

ଦୀର୍ଘ ୧୨୦ ବର୍ଷ ପରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରରୁ ବାଲି କଢାଯିବ । ଆଜି ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଭୂମି ପୂଜା କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳ ସହାୟତାରେ ମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଛି । ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ବାଲି କାଢ଼ିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କଂପାନୀକୁ ଟେଣ୍ଡର ଦିଆଯାଇଛି ।ତେବେ ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । ବର୍ଷ ବର୍ଷ ଧରି ବାଲି ଭର୍ତ୍ତି ହୋଇ ରହିଥିବାରୁ ତାହା କୋଣାର୍କର ସୁରକ୍ଷା ଉପରେ ଆଞ୍ଚ ଆଣୁଛି। ବର୍ଷା ଦିନ ହେଲେ ଏହା ଶୁଖିବାକୁ ମାସ ମାସ ସମୟ ଲାଗୁଛି। ତେଣୁ ବ୍ଲାକ ପାଗୋଡ଼ାକୁ ବାଲିମୁକ୍ତ କରିବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି। ମନ୍ଦିରର ଗର୍ଭଗୃହରେ ଥିବା ବାଲି ଦିନକୁ ଦିନ ଦବିବାରେ ଲାଗିଛି। ଯାହାକି କୋଣାର୍କର ଭିତ୍ତିଭୂମି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଦିନ ପୂର୍ବେ ହାଇକୋର୍ଟ ମଧ୍ୟ କୋଣାର୍କର ସୁରକ୍ଷା ନେଇ ଏଏସଆଇଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eight + 10 =