ହାଇଲେବଲ୍ କ୍ଲିୟରାନ୍ସ ଅଥରିଟି ବୈଠକ; ୩୫,୭୬୦ କୋଟିର ୫ ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟରେ ଚାରି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫ଟି ପ୍ରକଳ୍ପକୁ ହାଇଲେବଲ୍ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ୍‌) ମଞ୍ଜୁରୀ ମିଳିଛି । ମୋଟ୍ ୩୫,୭୬୦ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପ ଜରିଆରେ ୩୮,୧୦୦ କର୍ମ ନିଯୁକ୍ତି ସୁଯୋଗ ପାଇବେ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିସିଥିବା ଉକ୍ତ ଏଚ୍‌ଏଲ୍‌ସିଏ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯେଉଁ ଚାରି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି, ସେସବୁ ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝର ।

ଏହି ଜିଲ୍ଲାରେ ମୋଟ୍ ୫ ଶିଳ୍ପ ପ୍ରକଳ୍ପ ହେବ । ଏଥିରେ ୨ଟି ଇସ୍ପାତ ପ୍ରକଳ୍ପ, ଗୋଟିଏ ଗ୍ରୀନ୍ ଏନର୍ଜି ପ୍ରକଳ୍ପ, ଗୋଟିଏ ରସାୟନ ପ୍ରକଳ୍ପ ଓ ଗୋଟିଏ ବୈଷୟିକ ବୟନ ପ୍ରକଳ୍ପ ଅନ୍ତର୍ଭୁକ୍ତ । କେନ୍ଦୁଝରରେ କାସ୍‌ବି ପାୱାର ଆଣ୍ଟ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ୧୬ଶହ କୋଟି ଟଙ୍କା ନିବେଶ କରି ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୩,୫୦୦ ଲୋକ କର୍ମନିଯୁକ୍ତିର ସୁଯୋଗ ପାଇବେ । ୱାରି ଏନର୍ଜି ଲିମିଟେଡ୍ ୨୫ ହଜାର କୋଟି ବିନିଯୋଗ କରି ଢେଙ୍କାନାଳରେ କରିବ ଆଇଟି ଓ ଇଏସ୍‌ଡିଏମ୍ ଏବଂ ଗ୍ରୀନ୍ ଏନର୍ଜି ଇକ୍ୟୁପ୍‌ମେଣ୍ଟ ଶିଳ୍ପ । ଏଥିଯୋଗୁଁ ୧୪ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ । ଭଦ୍ରକରେ ଏମ୍‌ସିପିଆଇ ପ୍ରାଇଭେଟ୍ ଲିମିଟେଡ୍ ୨,୨୨୩.୨୫ କୋଟି ବିନିଯୋଗ କରି ଟେକ୍ସଟାଇଲ ପାର୍କ କରିବ ।

ଏଥିଯୋଗୁଁ ୧୧୫୦ ଲୋକକମନିଯୁକ୍ତିର ସୁଯୋଗ ପାଇବେ । ଜଗତ୍‌ସିଂହପୁର ଜିଲ୍ଲା ପାରାଦୀପରେ ଆଇଭିଏଲ୍ ଧୁନ୍‌ସେରୀ ପେଟ୍ରୋକେମ୍ କମ୍ପାନୀ ୧୫୦୦ କୋଟି ଟଙ୍କା ବିନିଯୋଗ କରି କେମିକାଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଯୋଗୁଁ କର୍ମନିଯୁକ୍ତି ସୁଯୋଗ ପାଇବେ ୪୫୦ ଲୋକ । ପୁଣି କେନ୍ଦୁଝରରେ ସୁପର ସ୍ମେଲଟର କମ୍ପାନୀ ୫,୪୩୬ .୧୦ କୋଟି ବିନିଯୋଗ କରି ଇସ୍ପାତ କାରଖାନା ପ୍ରତିଷ୍ଠା କରିବ । ଏଥିଯୋଗୁଁ ୧୯ ହଜାର ଲୋକ କର୍ମନିଯୁକ୍ତି ପାଇବେ ।

୨୦୨୨ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଆସିଥିବା ପ୍ରସ୍ତାବଗୁଡ଼ିିକ ମଧ୍ୟରୁ ଏହି ୫ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପୁଞ୍ଜିନିବେଶ ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତିର ଉନ୍ନତି ସହ ବହୁ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ରାଜ୍ୟ ସରକାର ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − fifteen =