ସୋଆ ଓ ସମକୁ ସକାରାତ୍ମକତା ରତ୍ନ ଓ ସକାରାତ୍ମକତା ନେତୃତ୍ୱ ପୁରସ୍କାର

ସମାଜରେ ସକାରାତ୍ମକତା ସୃଷ୍ଟି ଓ ଦେଶ ଗଠନ କରିବାରେ ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଚଳିତ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସକାରାତ୍ମକତା ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଅଗ୍ରଣୀ ଭୂମିକା ନେଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସକାରାତ୍ମକତା ନେତୃତ୍ୱ ପୁରସ୍କାର ପ୍ରଦାନ କରାଯାଇଛି ।

ସୋସାଇଟି ଫର୍ ଇନିସିଏଟିଭ୍‌ସ ଦ୍ୱାରା ଦେଶରେ ସକାରାତ୍ମକତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ନିମନ୍ତେ ଏହାର ଦ୍ୱିତୀୟ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ସିଭିଲ୍ ସର୍ଭିସେସ୍ ଅଫିସର୍ସ ଇନ୍‌ଷ୍ଟିଚ୍ୟୁଟ୍ ଠାରେ ଶୁକ୍ରବାର ଆୟୋଜିତ ହୋଇଥିଲା । ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଥିଲେ ।

ଏହି ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ଓ ସମ୍ମମ୍‌କୁ ଏହି ପୁରସ୍କାର ପ୍ରଦାନ କରିବା ସହ ସମ୍ମାନିତ କରିଛନ୍ତି । ସୋଆ ଓ ସମ୍ ଅଲ୍ଟିମେଟ୍ ପକ୍ଷରୁ ପୁରସ୍କାର ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ ସୋଆ ସଂସ୍ଥାପକଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ୍ ନାୟକ ଉଭୟ ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ଉଦ୍‌ଘାଟନୀ ଭାଷଣରେ ସକାରାତ୍ମକତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଏକ ଅଧା ପାଣି ଭରା ଗ୍ଲାସର ଉଦାହରଣ ଦେଇ କହିଥିଲେ ଯେ ଯଦି ଆମେ ଏହାକୁ ଅଧା ଖାଲି ଭାବେ ଦେଖୁ ତାହା ମନର ନୈରାଶ୍ୟ ଭାବକୁ ବୁଝାଇଥାଏ । ଯଦି ଆମେ ଏହାକୁ ଅଧା ଭରା ଭାବେ ଦେଖୁ ତା’ହେଲେ ଏହା ମନର ସକାରାତ୍ମକତାର ପରିଚୟ ଦେଇଥାଏ । ଜୀବନ ଓ ସମାଜରେ ବଢିବାକୁ ହେଲେ ନୈରାଶ୍ୟବୋଧକୁ ଛାଡି ସକାରାତ୍ମକ ମନୋଭାବ ପୋଷଣ କଲେ ହିଁ ନିଜେ ଆଗକୁ ଉଠିବା ସହ ସମାଜ ଏବଂ ଦେଶ ପ୍ରଗତି ପଥରେ ଅଗ୍ରଗତି ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଶ୍ରୀ କୋବିନ୍ଦ୍ ଦର୍ଶାଇଥିଲେ ଯେ ଘୋର ନୈରାଶ୍ୟଜନକ ପରିସ୍ଥିତି ସମୟରେ ସକାରାତ୍ମକତାର ସାମାନ୍ୟ କିରଣ ଅଶେଷ ଶକ୍ତି ପ୍ରଦାନ କରିଥାଏ । ଏହି ମନୋଭାବକୁ ଆପଣେଇବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।
ଯେଉଁ ଅନୁଷ୍ଠାନଗୁଡିକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ସମାଜରେ ସକାରାତ୍ମକତା ସୃଷ୍ଟି କରିବା ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପୂର୍ବତନ ରାଷ୍ଟ୍ରପତି ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ସିଂହ ସମାଜରେ ସକାରାତ୍ମକତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ଓ ସମ୍ ଅଲ୍ଟିମେଟ୍ ସମେତ ସମସ୍ତ ପୁରସ୍କାର ବିଜେତାଙ୍କ ଭୂମିକାଙ୍କୁ ସାଧୁବାଦ ଦେବା ସହ ସମାଜରେ ସକାରାତ୍ମକତା ସୃଷ୍ଟି କରିବା ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ତାଙ୍କ ଭାଷଣରେ ବିଶେଷ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ମାନବ ଅଧିକାର କମିଶନର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ମିଶ୍ର ଓ ଇଣ୍ଡିଆନ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସେନ୍‌ସର ଅଧ୍ୟକ୍ଷ ଶ୍ରୀ ବିନୟ ସହସ୍ରବୁଦ୍ଧେ, ନୀତି ଆୟୋଗର ପୂର୍ବତନ ସିଇଓ ତଥା ଜି -୨୦ର ଶେରପା ଶ୍ରୀ ଅମିତାଭ କାନ୍ତ, କେନ୍ଦ୍ର କୌଶଳ ବିକାଶ ଓ ଇଲୋକ୍‌ଟ୍ର୍ରୋନିକ୍ସ ଏବଂ ଟେକ୍‌ନୋଲୋଜି ରାଜ୍ୟ ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଶ୍ରୀ ମିନାକ୍ଷୀ ଲେଖି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମାନବ ଅଧିକାର କମିଶନର ସଦସ୍ୟ ଶ୍ରୀ ଦ୍ୟାନେସ୍ୱର ମୁଲେ, ପଜିଟିଭ ଇନିସିଏଟିଭସ୍ ସୋସାଇଟିର ସଭାପତି ଶ୍ରୀ ଋଷି କୁମାର, ଭାରତ ମଂଚର ସଭାପତି ଶ୍ରୀ ପ୍ରଶାନ୍ତ ଦ୍ୱିବେଦୀ ଓ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନିସଲ୍‌(ନାକ୍‌)ର ପରାମର୍ଶଦାତା ଶ୍ରୀ ଜଗନ୍ନାଥ ପାଟିଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ଶ୍ରୀ ପାଟିଲ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସକାରାତ୍ମକତାକୁ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟମାନେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ । ଏହା ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇବ ଏବଂ ଏଥିରୁ ସେମାନଙ୍କୁ ନିଜର ଭବିଷ୍ୟତ ଗଠନ ପାଇଁ ପ୍ରୋତ୍ସାହନ ମିଳିବ ବୋଲି ସେ କହିଥିଲେ । ଏହି ସମାରୋହର ଶେଷରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

2 + ten =