ବିଧାୟିକା ଭାବେ ଶପଥ ନେବା ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା

ବିଧାୟିକା ଶପଥ ନେଇଛନ୍ତି ଦୀପାଳି ଦାସ । ବିଧାୟିକା ଭାବେ ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି । ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି । ବାପାଙ୍କ ବିକାଶମୂଳକ ସ୍ୱପ୍ନକୁ ପୂରା କରିବା ସହ ତାଙ୍କର ନାଁ ରଖିବି । ବାପାଙ୍କ ସଂସ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ବଳରେ ସର୍ବଦା ଝାରସୁଗୁଡାବାସୀଙ୍କ ସେବାରେ ରହିଥିବି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ସବୁବେଳେ ଝାରସୁଗୁଡାର ବିକାଶ ପାଇଁ କାମ କରି ଆସୁଥିଲେ । ସ୍ୱାସ୍ଥ୍ୟ ଠାରୁ ଶିଳ୍ପ ପ୍ରତି କ୍ଷେତ୍ରରେ ଝାରସୁଗୁଡାର ବିକାଶ ପାଇଁ କାମ କରୁଥିଲେ । ଝାରସୁଗୁଡାର ନୂତନ ନିର୍ମାଣ ପାଇଁ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରା କରିବି । ମହିଳାଙ୍କ ପାଇଁ କିଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାହା କରିବି । ଝାରସୁଗୁଡାର ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡିଛି । ଝାରସୁଗୁଡାରେ ସବୁବେଳେ ବିକାଶମୂଳକ କାମ ଜାରି ରହିବ ଏହା ମୋର ବିଶ୍ୱାସ ।

ଏହାପୂର୍ବରୁ ଆଜି ବିଧାନସଭାକୁ ନିଜ ପରିବାର ସହ ଆସିଥିଲେ ଦୀପାଳି । ଗୃହକୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ ଦୀପାଳି । ପରେ ଉପ-ବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ବିଧାୟିକା ଭାବେ ଶପଥପାଠ କରାଇଥିଲେ । ଝାରସୁଗୁଡା ଉପ-ନିର୍ବାଚନରେ ଦୀପାଳି ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ । ଏହାସହ ବାପା ନବ ଦାସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ ।

Share

Leave a Reply

Your email address will not be published. Required fields are marked *

12 − eleven =