ଆସନ୍ତା କାଲି ରାଜଭବନରେ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଆସନ୍ତା କାଲି ରାଜଭବନରେ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ । ତେବେ ନୂଆମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ଓ କିଏ କେଉଁ ବିଭାଗ ପାଇବ ତାହା ଏଯାଏଁ ସସପେନ୍ସରେ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏପରିକି କିଛି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆଉ କିଛି ଏହାରି ଭିତରେ ଇସ୍ତଫା ଦେଇସାରିଛନ୍ତି । ରଘୁନନ୍ଦନ ଦାସ,ପ୍ରେମାନନ୍ଦ ନାୟକ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ଇସ୍ତଫା ଦେଇ ସାରିଥିବା ବେଳେ ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଛି । ଅନ୍ୟପଟେ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାଙ୍କ ଶିବିର ତତ୍ପର ହୋଇ ଉଠିଛନ୍ତି । ଖାସକରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ ଜିଲ୍ଲାୱାରୀ ଫୋକସ କରାଯିବ । ଅଥାର୍ତ ସରକାରରେ ଯେପରି ସବୁ ଜିଲ୍ଲାର ପ୍ରତିନିଧିତ୍ୱ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ ।

ଏହାଛଡା ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ଥିବା ବେଳେ କିଛି ପୁରୁଖାଙ୍କୁ ବାଦ୍ ଦିଆଯାଇପାରେ । ସାଙ୍ଗଠନିକ ସ୍ତରରେ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଦଳ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ଦେଇପାରେ । ଅନ୍ୟପଟେ ବିବାଦୀୟ ମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେଇନପାରନ୍ତି ନବୀନ । ଏହାଛଡା ନୂଆ ମନ୍ତ୍ରୀମଣ୍ଡଳରେ ନେତାଙ୍କର କାର‌୍ୟ୍ୟଦକ୍ଷତା ବଡ଼ ମାପଦଣ୍ଡ ରହିପାରେ । ଯେହେତୁ ୨୦୨୪କୁ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରାଯାଉଛି ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିପାରେ । ଯାହାର ଝଲକ ଗତ ପଞ୍ଚାୟତ, ପୌର ଓ ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଛି । ଦଳକୁ ତୃଣମୂଳସ୍ତରରେ ଆହୁରି ମଜବୁତ କରିବାକୁ ନବୀନ ଏହି ଫର୍ମୁଲା ଆପଣାଇପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତାକାଲି ସକାଳ ୧୧ଟା ୪୫ ମିନିଟ୍ ସମୟରେ ରାଜଭବନରେ ନୂଆ ମନ୍ତ୍ରୀ ଶପଥ ନେବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Share

Leave a Reply

Your email address will not be published. Required fields are marked *

fourteen + 12 =