କ୍ରୀଡା

ଆଜି ମୁମ୍ବାଇ-ଲକ୍ଷ୍ନୌ ଟକ୍କର

ଚଳିତ ଆଇପିଏଲ୍‌ର ୪୭ତମ ଲିଗ୍ ମୁକାବିଲାରେ ଆଜି ୫ଥର ଚାମ୍ପିଅନ୍ ମୁମ୍ବାଇ ଓ ଲକ୍ଷ୍ନୌ ସାମ୍ନାସାମ୍ନି ହେବେ । ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ପଏଣ୍ଟ ତାଲିକାର ଶେଷ ୨ଟି ସ୍ଥାନରେ ରହିଛନ୍ତି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ବିଜୟ ଜରୁରୀ ହୋଇପଡ଼ିଛି । ମୁମ୍ବାଇ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । କାରଣ ପରାଜିତ ହେଲେ ପ୍ଲେ-ଅଫ୍‌ରୁ ବାଦ୍ ପଡ଼ିବ । ତେଣୁ ଦଳ ବିଜୟକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ମୁମ୍ବାଇ ଓ ଲକ୍ଷ୍ନୌ ମୋଟ ୪ପଏଣ୍ଟ ସହ ତାଲିକାରେ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛି । ମୁମ୍ବାଇ ୯ଟି ମ୍ୟାଚ୍ ଖେଳି ସାରିଛି । ଦଳ ଆଉ ୫ଟି ମ୍ୟାଚ୍ ଖେଳିବ । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ସବୁ ମ୍ୟାଚ୍ ଜିତିବାକୁ ପଡ଼ିବ । ଗୋଟିଏ ମ୍ୟାଚ୍‌ରେ ପରାଜୟ ଦଳକୁ ବିଦାୟ ଦ୍ୱାର ଦେଖାଇ ଦେବ । ଲକ୍ଷ୍ନୌ ସ୍ଥିତି ମଧ୍ୟ ସମାନ । ଦଳ ୮ଟି ମ୍ୟାଚ୍ ଖେଳି ସାରିଛି । ଏଣିକି ସବୁ ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି ।

ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଆହତ ହେବା ଏବଂ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କ ଫର୍ମହାନୀ ମୁମ୍ବାଇ ପରାଜୟର ମୁଖ୍ୟ କାରଣ ହୋଇଛି । ରୋହିତ ଫିଟ୍ ହୋଇସାରିଥିବା ଜଣାପଡ଼ିଛି । ଯଦି ସେ ଆଜି ଖେଳନ୍ତି ତା’ହେଲେ ରବିନ ମିଞ୍ଜ ବାଦ୍ ପଡ଼ିବେ । ସର୍ଦୁଲ ଠାକୁର ମଧ୍ୟ କ୍ରିସ୍ ଭଗତଙ୍କ ସ୍ଥାନରେ ଖେଳିବା ଆଶା କରାଯାଉଛି ।

ରିଷଭ ପନ୍ତଙ୍କ ଲକ୍ଷ୍ନୌ ଦଳ ଶେଷ ୫ଟି ମ୍ୟାଚ୍ରେ ପରାଜିତ ହୋଇଛି । ଦଳ ସବୁ ବିଭାଗରେ ସଂଘର୍ଷ କରୁଛି । ଅଧିନାୟକ ଭାବେ ପନ୍ତ ମଧ୍ୟ ବିଫଳ ହୋଇଛନ୍ତି । ଆଜି ଜୋସ୍ ଇଂଲିଶ ସିଜନର ପ୍ରଥମ ମ୍ୟାଚ୍ ଖେଳିବେ । ଫଳରେ ଜର୍ଜ ଲିଣ୍ଡ୍ ଏକାଦଶରୁ ବାଦ୍ ପଡ଼ିବା ସମ୍ଭାବନା ରହିଛି । ଇଂଲିଶଙ୍କ ଉପସ୍ଥିତି ଦଳର ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି ।

ୱାଙ୍ଖଡ଼େ ଷ୍ଟାଡିୟମର ନଂ-୪ ପିଚ୍‌ରେ ଆଜି ମ୍ୟାଚ୍ ଖେଳାଯିବ । ଏହି ପିଚ୍‌ରେ ପୂର୍ବରୁ ପଞ୍ଜାବ ଓ ମୁମ୍ବାଇ ସାମ୍ନାସାମ୍ନି ହୋଇଥିଲେ । ମୁମ୍ବାଇର ୬/୧୯୫ ରନ୍ ଜବାବରେ ପଞ୍ଜାବ ୨୧ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା । ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ତେଣୁ ଆଜି ମଧ୍ୟ ବଡ଼ ସ୍କୋର ହେବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

16 + five =