ରାହୁ, କେତୁ ଓ ଶନିଙ୍କ କୋପଦୃଷ୍ଟିରୁ ମୁକ୍ତ ହୋଇଛି କଂଗ୍ରେସ

ଭୁବନେଶ୍ବର () : ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ବାହାରି ଯାଉଛନ୍ତି । ଏହା ଆଗାମୀ ଦିନରେ ଦଳର ନିର୍ବାଚନୀ ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଦଳର ବରିଷ୍ଠ ନେତା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଏଭଳି ଆଶଙ୍କା ନାହିଁ ବୋଲି ସ୍ପଷ୍ଟ ବୋଲି କହିଛନ୍ତି । ସେ କହିଛନ୍ତି ଚନ୍ଦ୍ର, ସୂର୍ଯ୍ୟ, ତାରା ଥିବା ଯାଏଁ କଂଗ୍ରେସ ଦଳ ଥିବ ।

କଂଗ୍ରେସ ଦଳକୁ ରାହୁ, କେତୁ ଓ ଶନି ଗ୍ରାସ କରିଥିଲେ । ଦଳ ଉପରେ ସେମାନଙ୍କ କୋପ ପଡିଥିଲା । ନବ ଦାସ ହୁଅନ୍ତୁ ବା ଯୋଗେଶ ସିଂହ ବା କୃଷ୍ଣ ସଗରିଆ ସମସ୍ତେ କଂଗ୍ରେସ ଦଳରେ ରହି ଜଡା ପକାଇଥିଲା । ସେମାନେ କଂଗ୍ରେସ ନାଁରେ ଲୋକଙ୍କୁ ଲୁଟିଲେ । ସେମାନେ ସବୁ କଂଗ୍ରେସ ପାଇଁ ରାହୁ, କେତୁ ଓ ଶନି ସଦୃଶ୍ୟ ଥିଲେ । ରାହୁ, କେତୁ, ଶନି ଦଳରୁ ଯିବାର ଥିଲା ଗଲେ । ଆଉ କେହି ଯିବେନି । ବରଂ ଚନ୍ଦ୍ର, ସୂର୍ଯ୍ୟ, ତାରା ଥିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ରହିଛି ରହିବ ବୋଲି ସେ ଦଢୋକ୍ତି ପ୍ରକାଶ କରିଛନ୍ତି ।

ରାହୁଲ ଗାନ୍ଧୀ ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ଉପରେ ଲୋକଙ୍କ ଆଶା ଭରସା ବଢୁଛି, କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବ । କଂଗ୍ରେସର ଜଣେ ହେଲେ ସୈନ୍ୟ ସାମନ୍ତ ଦଳ ଛାଡି ଯାଇନାହାଁନ୍ତି । ଏବେ ବି ତୃଣମୂଳ ସ୍ତରରେ କଂଗ୍ରେସର ସୈନ୍ୟ ସାମନ୍ତ ସହ ବନ୍ଧୁ, ପରିବାର କୁଟୁମ୍ବ ସମସ୍ତେ ଅଛନ୍ତି । ସେଇମାନଙ୍କୁ ନେଇ ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ ଓଡିଶାରେ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ସ୍ବଚ୍ଛ ନିର୍ମଳ କଂଗ୍ରେସ ଗଠନ କରାଯାଉଛି । କଂଗ୍ରେସ ଦେଶକୁ ସ୍ବାଧୀନତା ଦେଇଥିଲା, ସେହି କଂଗ୍ରେସ ପୁଣି ଥରେ ଦେଶକୁ ଦୁର୍ନୀତି ଓ ଅପରାଗ ସରକାର ଦାଉରୁ ରକ୍ଷା କରିବ ବୋଲି ସେ କହିଛନ୍ତି ।

ତେବେ କଂଗ୍ରେସର ଚନ୍ଦ୍ର, ସୂର୍ଯ୍ୟ, ତାରା କିଏ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କୋଟପାଡରେ ଚନ୍ଦ୍ରଶେଖର ମାଝି, ପାରଳାଖେମୁଣ୍ଡିର କେଙ୍ଗମ ସୂର୍ଯ୍ୟରାଓ ଓ ଜୟପୁରରେ ତାରାପ୍ରସାଦ ବାହିନିପତି । ତାଙ୍କ ଭାଷାରେ ଏହି ତିନି ଜଣ ହେଲେ କଂଗ୍ରେସର ଚନ୍ଦ୍ର, ସୂର୍ଯ୍ୟ ଓ ତାରା ।

Share

Leave a Reply

Your email address will not be published. Required fields are marked *

thirteen + 12 =