ଯୁବ ଶକ୍ତିକୁ ପ୍ରତାରଣା କରିଛି କେନ୍ଦ୍ର

କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭୁବନେଶ୍ବର (): ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ ଏବଂ ବିଗତ ୧୮ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଓ ପ୍ରଗତି କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନିଯୁକ୍ତି, ଶିଳ୍ପାୟନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଆର୍ଥିକ ବ୍ୟବସ୍ଥାର ମାନବୃଦ୍ଧି ଘଟିଛି । ରାଜ୍ୟରେ ବିପୁଳ ଖଣିଜ ପଦାର୍ଥ ଗଚ୍ଛିତ ହୋଇରହିଛି ଏବଂ ଏହା ସମଗ୍ର ରାଷ୍ଟ୍ର, ଏପରିକି ବିଶ୍ବକୁ ସମୃଦ୍ଧି କରୁଥିଲା ବେଳେ ଓଡ଼ିଶାର ଜନସାଧାରଣ ଏବଂ ବିଶେଷକରି ଯୁବଶକ୍ତି ଏହାର ଲାଭ ଉଠାଇପାରି ନାହାନ୍ତି । ୧୮ବର୍ଷ ଧରି ବିଜେଡି ସରକାର ଯୁବଶକ୍ତିର ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଲା ବେଳେ କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ଏବଂ ଆମ ରାଜ୍ୟରୁ ବିପୁଳ ଖଣିଜ ସଂପଦ ଉତ୍ତୋଳନ କରି ମଧ୍ୟ ତା’ର ଅନୁରୂପ ନିଯୁକ୍ତି ସୁଯୋଗ ଓଡ଼ିଶାର ଯୁବକଯୁବତୀଙ୍କୁ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ଅଭିଯୋଗ କରିଛି।

ଏହାର ପ୍ରତିବାଦରେ ବିଜୁ ଯୁବ-ଛାତ୍ର ଜନତା ଦଳ ଓଡ଼ିଶା ସାରା ସମସ୍ତ କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ଚଳିତମାସ ୫, ୬ ଏବଂ ୮ ତାରିଖରେ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଓଡ଼ିଶାର ଯୁବକଙ୍କ ପାଇଁ କେନ୍ଦ୍ରୀୟ ପିଏସ୍‍ୟୁମାନଙ୍କରେ ନିଯୁକ୍ତି ସୁଯୋଗ ଦାବି କରିବ ଏବଂ କେନ୍ଦ୍ର ସରକାର ସାଢ଼େ ୪ବର୍ଷ ଧରି ଚଳାଇଆସିଥିବା ଯୁବଶକ୍ତି ବିରୋଧରେ ପ୍ରତାରଣାର ଜବାବ ଦେବ ବୋଲି କହିଛନ୍ତି ବିଜେଡି ବିଧାୟକ ସଂଜୟ ଦାସବର୍ମା।

ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ୫ବର୍ଷ ମଧ୍ୟରେ ସେମାନେ ଭାରତବର୍ଷର ଯୁବଶକ୍ତିଙ୍କୁ ୧୦ କୋଟି ଚାକିରି ଯୋଗାଇଦେବେ । ଯାହାକି ପ୍ରତିବର୍ଷ ୨କୋଟି ଚାକିରି ଯୋଗାଇଦେବାର ରଙ୍ଗୀନ ସ୍ବପ୍ନ ପରି ପ୍ରତିଶ୍ରୁତି ଥିଲା । ସେହି ପ୍ରତିଶ୍ରୁତି ଆଜି ପାଣି ଫୋଟକାରେ ପରିଣତ ହୋଇଛି । ଗତ ସାଢେ ଚାରିବର୍ଷ ମଧ୍ୟରେ ଭାରତବର୍ଷକୁ ବିଜେପି ଶାସିତ କେନ୍ଦ୍ର ସରକାର ୯କୋଟି ଚାକିରି ଯୋଗାଇ ଦେବାକଥା । ବିଡ଼ମ୍ବନାର ବିଷୟ ଯେ, ଘୋଷିତ ଚାକିରି ସୃଷ୍ଟି ନହେଉଣୁ ଭାରତବର୍ଷରେ କୋଟି କୋଟି ଚାକିରି ବନ୍ଦ ହୋଇଯାଇଛି । ଓଡ଼ିଶାର ସନ୍ଦର୍ଭରେ ଏହି ୧୦ କୋଟି ଚାକିରି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହେଇନାହିଁ । ଏସବୁ କେବଳ ମିଥ୍ୟା ପ୍ରତିଶ୍ରୁତି ଓ ଯୁବଶକ୍ତିଙ୍କୁ ପ୍ରତାରଣା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ବିମୁଦ୍ରାକରଣ ଯୋଗୁ ଦେଶ କୋଟି କୋଟି ନିଯୁକ୍ତି ସୁଯୋଗ ହରାଇଛି । କେନ୍ଦ୍ରର ପ୍ରତାରଣା ଏବଂ ଭାରତୀୟ ଜନତା ପାର୍ଟିର ୧୦କୋଟି ଚାକିରିର ପ୍ରତିଶ୍ରୁତି ଏବେ ଏକ ପ୍ରହେଳିକା ପାଲଟିଥିବା ବେଳେ ବିମୁଦ୍ରାକରଣ ଯୋଗୁ ପାଖାପାଖି ୧କୋଟି ୨୭ଲକ୍ଷ ଚାକିରି ପ୍ରଥମ ପର୍ଯ୍ୟାୟରେ ଦିଗଭ୍ରଷ୍ଟ ହୋଇଯାଇଛି । ଆଜି ମଧ୍ୟ ପାଖାପାଖି ୩୫ଲକ୍ଷ ନିଯୁକ୍ତି ସୁଯୋଗ ଥିବାବେଳେ, ସେହି ଚାକିରିଗୁଡ଼ିକର ପୁନରୁଦ୍ଧାର ହୋଇପାରିନାହିଁ । ପାଖାପାଖି ଦେଢ଼ କୋଟି ଶ୍ରମିକଙ୍କ ଦୈନନ୍ଦିନ କାର୍ଯ୍ୟ ବିମୁଦ୍ରାକରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ବନ୍ଦ ହୋଇଯାଇଛି । ଏହାଯୋଗୁ କୋଟି କୋଟି ଯୁବକ-ଯୁବତୀଙ୍କ ଜୀବନ ଓ ଜୀବିକା ଚିରଦିନ ପାଇଁ ଅନ୍ଧାରକୁ ଚାଲିଯାଇଛି । ଆଜି ମଧ୍ୟ କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ଏହି ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିନାହିଁ ବୋଲି ସେ କହିଥିଲେ ।

ଓଡ଼ିଶା ସନ୍ଦର୍ଭରେ କେନ୍ଦ୍ର ସରକାରଙ୍କ ଭୂମିକା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ ସାଢେ ୪ ବର୍ଷ ମଧ୍ୟରେ ଯୋଗାଇ ଦେଇନାହାନ୍ତି । ବାରମ୍ବାର ବିଜୁ ଜନତା ଦଳ ସରକାରଙ୍କ ଅନୁରୋଧ ସତ୍ତ୍ବେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଅଗ୍ରାହ୍ୟ କରିଆସୁଛନ୍ତି । ଇଣ୍ଡଷ୍ଟ୍ରିଆଲ୍‍ କରିଡର ହେବା ଦ୍ବାରା ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ପ୍ରଗତି ଆହୁରି କ୍ଷିପ୍ରଗତିରେ ହୋଇପାରିବ ଏବଂ ଏହା ଯୁବଶକ୍ତିଙ୍କ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଏହା କିନ୍ତୁ ସମ୍ଭବ ହୋଇପାରୁ ନାହିଁ । ପାରାଦୀପ ଠାରେ ଇଣ୍ଡିଆନ୍‍ ଅଏଲ କର୍ପୋରେସନ୍‍ କାରଖାନାରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଚାକିରି ଦିଆଯାଉନାହିଁ । ଏହି ପ୍ରଶ୍ନ କେବଳ ବିଜୁ ଜନତା ଦଳର ନୁହେଁ, ଏହି ସମାନ ପ୍ରଶ୍ନ ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ଜବାବ ପାଇପାରିନାହାନ୍ତି । ଆମେ ଆଶା କରିବୁ, କେନ୍ଦ୍ର ମନ୍ତ୍ରୀ ପଳାୟନପନ୍ଥୀ ନହୋଇ ଏହାର ଜବାବ ରଖନ୍ତୁ ଏବଂ ଓଡ଼ିଶାର ଯୁବଶକ୍ତିକୁ ଏହି ସଂସ୍ଥା କୁଠାରାଘାତ କରୁଥିବାର ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଆସିଛି ତାହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସଂଜୟ ଦାବି କରିଛନ୍ତି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମ ୫ ତାରିଖ ଦକ୍ଷିଣାଞ୍ଚଳ ଆର୍‍ଡିସି ଜୋନରେ କରାଯିବ, ୬ ତାରିଖରେ ପଶ୍ଚିମାଞ୍ଚଳ ଆର୍‍ଡିସି ଜୋନରେ ଏବଂ ୮ ତାରିଖରେ କେନ୍ଦ୍ରୀୟ ଆର୍‍ଡିସି ଜୋନରେ ଅନୁଷ୍ଠିତ ହେବ । ଓଡ଼ିଶାର ଯୁବଶକ୍ତିର ନ୍ୟାଯ୍ୟ ଦାବି ବିଶେଷକରି ନିଯୁକ୍ତି କ୍ଷେତ୍ରରେ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପୂରଣ କରିନାହାନ୍ତି ଓ ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ବିଜୁ ଯୁବ-ଛାତ୍ର ଜନତା ଦଳ ଓଡ଼ିଶାର ଯୁବକ-ଯୁବତୀଙ୍କ ହକ୍‍ ପାଇଁ ଜୋରଦାର ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =