ବବି, ସଞ୍ଜୟ ଯୋଡିର କମାଲ, ଗୋଟିଏ ଟେବୁଲରେ ନବ-କିଶୋର

ଭୁବନେଶ୍ୱର (): ଆସନ୍ତା ୨୪ ତାରିଖରେ ଝାରସୁଗୁଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ । ସେହିଦିନ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡା ବିଧାୟକ ନବ ଦାସ ନିଜ କର୍ମୀଙ୍କ ସହ ବିଜେଡିରେ ଯୋଗଦେବେ । ଏହାକୁ ନେଇ ଝାରସୁଗୁଡା ବିଜେଡିର ବିଧାୟକ ପ୍ରାର୍ଥୀ କିଶୋର ମହାନ୍ତି ଅସନ୍ତୁଷ୍ଟ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କାଳେ ଏହି ଅସନ୍ତୋଷର ପରିପ୍ରକାଶ ହେବ ତାକୁ ନେଇ ଆଜି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା କିଶୋର ମହାନ୍ତିଙ୍କୁ ବୁଝାଇସୁଝାଇ ମନାଇବାରେ ସଫଳ ହୋଇଛନ୍ତି ।
କିଶୋର ମହାନ୍ତି ଝାରସୁଗୁଡାରେ ଦୀର୍ଘବର୍ଷ ଧରି ବିଜେଡି ସଂଗଠନକୁ ନିଜ ହାତରେ ରଖିଥିଲେ । ନବ ଦାସ ଯୋଗଦେବା ପରେ କିଶୋରଙ୍କ ସହ ରହିଥିବା ନେତା ଓ କର୍ମୀମାନେ କ୍ଷୁବ୍ଧ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ନେତା ଓ କର୍ମୀ ବିରୋଧର ସ୍ୱର ମଧ୍ୟ ଉଠାଇଥିଲେ । ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଆଜ ଝାରସୁଗୁଡାରେ ପହଂଚିଥିଲେ ପ୍ରଣବ ପ୍ରକାଶ । ସାଙ୍ଗରେ ଥିଲେ ଅନ୍ୟତମ ଟାଣୁଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ଦଳର ସୁପ୍ରିମୋଙ୍କ ବାର୍ତ୍ତା ନେଇ ଏହି ଦୁଇ ନେତା କିଶୋର ମହାନ୍ତିଙ୍କ ପାଖରେ ପହଂଚିଥିଲେ ।
ଘଣ୍ଟା ଘଣ୍ଟା ଧରି ଏକ ହୋଟେଲରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । କିଶୋର ନବଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ହୋଇଥିଲାବେଳେ ତାଙ୍କୁ ଦଳକୁ ଆଣି କେଉଁଠୁ ପ୍ରାର୍ଥୀ କରାଯିବ ତାକୁ ନେଇ ଝାରସୁଗୁଡା ବିଜେଡି ସନ୍ଦେହରେ ରହିଛି ।
ନବଙ୍କୁ ବିଜେଡି ଗୁରୁତ୍ୱ ଦେଇ କିଶୋର ମହାନ୍ତିଙ୍କୁ କାଳେ ଅଣଦେଖା କରାଯିବ ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ପ୍ରଣବ ଓ ସଞ୍ଜୟ କିଶୋର ଓ ନବ ଉଭୟପକ୍ଷକୁ ଏକାଠି ବସାଇ ବୁଝାଇବାରେ ସମର୍ଥ ହୋଇଛନ୍ତି । ଏହାଫଳରେ ଝାରସୁଗୁଡାରେ ନବ ଓ କିଶୋରଙ୍କୁ ନେଇ ହୋଇଥିବା ଦ୍ୱନ୍ଦ୍ୱର ପରିସମାପ୍ତି ଘଟିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ପ୍ରଣବ ପ୍ରକାଶ ବିଭିନ୍ନ ସମୟରେ ଦଳ ପାଇଁ ଏହିଭଳି ଭାବେ କ୍ରାଇସିସ୍ ମ୍ୟାନେଜ୍ କରିଥାନ୍ତି ।
Share

Leave a Reply

Your email address will not be published. Required fields are marked *

eighteen − three =