ଜଗତ୍‍ସିଂହପୁରରେ  ବିଜେଡି ଖୋଜୁଛି ନୂଆ ପ୍ରାର୍ଥୀ

ଭୁବନେଶ୍ୱର : ଜଗତ୍‍ସିଂହପୁର ଲୋକସଭା ଆସନପାଇଁ ବିଜେଡି ଏଥର ନୁଆଁ ମୁହଁ ଖୋଜୁଛି । ୧୯୯୯ ମସିହାର ସାଧାରଣ ନିର୍ବାଚନ ପରଠାରୁ ଏହି ଲୋକସଭା ଆସନରୁ କୌଣସି ସାଂସଦ ଦ୍ୱିତୀୟଥର ପାଇଁ ଜିଣିନଥିବାବେଳେ ବର୍ତ୍ତମାନର ସାଂସଦ ଡାକ୍ତର କୁଳମଣି ସାମଲଙ୍କୁ ଦଳ ପୁଣିଥରେ ଟିକଟ ଦେବନାହିଁ ବୋଲି ସୂଚନା ମିଳିଲାଣି ।
ଜିଲ୍ଲାରେ ଥିବା ୪ଟି ବିଧାନସଭା କ୍ଷେତ୍ର ଜଗତ୍‍ସିଂହପୁର, ବାଲକୁଦା-ଏରସମା, ପାରାଦୀପ୍‍ ଓ ତିର୍ତ୍ତୋଲ ସହିତ କଟକ ଜିଲ୍ଲାର ନିଆଳି ଓ ପୁରୀ ଜିଲ୍ଲାର କାକଟପୁର ଏବଂ ନିମାପଡା ବିଧାନସଭା କ୍ଷେତ୍ରକୁ ନେଇ ଜଗତ୍‍ସିଂହପୁର ଲୋକସଭା କ୍ଷେତ୍ର ରହିଛି । ୭ଟି ବିଧାନସଭା ମଧ୍ୟରୁ କେବଳ ଜଗତ୍‍ସିଂହପୁରରେ କଂଗ୍ରେସର ବିଧାୟକ ଭାବେ ଚିରଞ୍ଜୀବ ବିଶ୍ୱାଳ ଅଛନ୍ତି । ଅନ୍ୟ ସବୁଗୁଡିକ ବିଜେଡି ଦଖଲରେ ରହିଛି । ସେଥିପାଇଁ ଗତ ନିର୍ବାଚନରେ ଶ୍ରୀ ସାମଲ ଏଠାରୁ ୬ଲକ୍ଷ ୨୪ହଜାର ଭୋଟ ପାଇଁ ବିପୁଳ ବ୍ୟବଧାନରେ ସାଂସଦ ଭାବେ ଜିଣିଥିଲେ । କଂଗ୍ରେସ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ଦ୍ୱିତୀୟ ଓ ବିଜେପିର ବାଇଧର ମଲ୍ଲିକ ତୃତୀୟ ସ୍ଥାନରେ ଥିଲେ ।
ଏହି ସଂରକ୍ଷିତ ଆସନରୁ ଜିଣିଥିବା କୁଳମଣି ଗତ ୫ବର୍ଷ ଭିତରେ ଲୋକସମ୍ପର୍କ ଠାରୁ ଏକ ପ୍ରକାର ଦୂରରେ ରହିଥିବାରୁ ବିଜେଡି ଏଥର ନୂଆ ପ୍ରାର୍ଥୀ ସନ୍ଧାନରେ ଥିବା ସୂଚନା ମିଳିଛି । କୁଳମଣିଙ୍କୁ ଟିକଟ ଦେଇ ରିସ୍କ ନେବା ପରିବର୍ତ୍ତେ ଜଣେ ନବାଗତଙ୍କୁ ଛିଡା କରାଇଲେ ଦଳ ଭଲ କରିବ ବୋଲି ଚର୍ଚ୍ଚା ହେଉଛି । ଏହି ଦୌଡରେ କିଛି ରାଜନେତାଙ୍କ ସହିତ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସବୁଠାରୁ ଆଗରେ ଅଛନ୍ତି । ଉଚ୍ଚ ଶିକ୍ଷିତ ସହିତ ସ୍ୱଚ୍ଛତା ରହିଥିବାରୁ ଏହି ଅଧିକାରୀଙ୍କୁ ଟିକଟ ଦେବା ସପକ୍ଷରେ ବିଜେଡିର ବହୁ ନେତା ଅଛନ୍ତି । ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବାସିନ୍ଦା ଏହି ବରିଷ୍ଠ ପ୍ରଶାସକ ଜଣଙ୍କର କାର୍ଯ୍ୟ ସିଧାସଳଖ ଭାବେ ରାଜନେତାମାନଙ୍କ ସହିତ ଜଡିତ ଥିବାରୁ ତାଙ୍କୁ ଟିକଟ ମିଳିବାର ଢେର ସମ୍ଭାବନା ରହିଛି । କଂଗ୍ରେସରୁ ବିଭୂ ପ୍ରସାଦ ତରାଇ ଓ ବିଜେପିରୁ ବାଇଧର ପୁର୍ନବାର ଏଠାରୁ ଲଢିବାକୁ ଥିବାରୁ ବିଜେଡିର ନୂଆ ପ୍ରାର୍ଥୀ ନବୀନଙ୍କ ଭାବମୂର୍ତ୍ତିକୁ ଆଧାର କରି ପୂର୍ବଥର ଭଳି ଢେର ଅଧିକ ଭୋଟ ପାଇବେ ବୋଲି କୁହାଯାଉଛି ।
ଚଳିତଥର ଯଦିଓ ଏହି ଲୋକସଭା ଅଧିନରେ ଥିବା ୭ଟି ଯାକ ବିଧାନସଭା କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ତଥାପି ଜିଲ୍ଲାରେ କଂଗ୍ରେସ ହାତରେ ମାତ୍ର ଗୋଟିଏ ବିଧାନସଭା ରହିବା ଓ ବିଜେପିର ତଳ ସ୍ତରରେ ସଂଗଠନ ନଥିବାରୁ ବିଜେଡିର ଲୋକସଭା ପ୍ରାର୍ଥୀ ଏଠାରୁ ସହଜରେ ଜିଣିଯିବେ ବୋଲି କୁହାଯାଉଛି । ତେବେ ବିଜେଡି ପାଇଁ ଗୋଟିଏ ସମସ୍ୟା ରହିଛି ବର୍ତ୍ତମାନର ସାଂସଦ କୁଳମଣିଙ୍କର ଜନସମ୍ପର୍କ ଅଭାବ । ନିର୍ବାଚନ ପରଠାରୁ ଜିଲ୍ଲାରେ ତାଙ୍କର ସେଭଳି ଦେଖାଦର୍ଶନ ନଥିବା ଯୋଗୁଁ ଅନେକ ସ୍ଥାନରେ ତାଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ରହିଛି । ଏପରିକି କେତେକ ଦଳୀୟ ବିଧାୟକ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।
ଜଗତ୍‍ସିଂହପୁର ଲୋକସଭା ଆସନରୁ କେବଳ ବାମପନ୍ଥୀ ନେତା ଲୋକନାଥ ଚୌଧୁରୀ, ଜାତୀୟ କଂଗ୍ରେସର ଲକ୍ଷ୍ମଣ ମଲ୍ଲିକ ଓ ରଞ୍ଜିବ ବିଶ୍ୱାଳ ଦୁଇ ଦୁଇ ଥର ସାଂସଦ ହେବାର ଗୌରବ ହାସଲ କରିଛନ୍ତି । ୧୯୯୯ ମସିହା ପରଠାରୁ କୌଣସି ସାଂସଦ ଦ୍ୱିତୀୟବାର ପାଇଁ ଏଠାରୁ ଲୋକସଭାକୁ ଯାଇ ନାହାନ୍ତି । ସେହି ନ୍ୟାୟରେ ବିଜେଡି ଏଥର ଏଠାରୁ ନୂତନ ପ୍ରାର୍ଥୀ ଦେବାପାଇଁ ମନ ବଳାଉଥିବାବେଳେ ଜିଲ୍ଲାବାସୀ ଏଥର ଜଣେ ଉଚ୍ଚଶିକ୍ଷିତ, ଦକ୍ଷ ଓ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ପ୍ରାର୍ଥୀଙ୍କ ଅପେକ୍ଷାରେ ରହିଛନ୍ତି । ତେବେ ସାଂସଦ ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନେବେ ।
Share

Leave a Reply

Your email address will not be published. Required fields are marked *

nine − four =