ବିଜେଡିର ବିଜେପୁର ରଣନୀତି : ପଂଚାୟତ ଜଗିବେ 68 ମନ୍ତ୍ରୀ, ନେତା ଓ ବିଧାୟକ

ଭୁବନେଶ୍ୱର () ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଆପାତତଃ ଚୂଡାନ୍ତ ହୋଇଛି । ସମ୍ଭବତଃ ରୀତା ସାହୁ ପୁଣି ଥରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହେବେ । ଆଜି ଅନୁଷ୍ଠିତ ବିଜେପୁର ପ୍ରସ୍ତୁତି ବୈଠକରେ ରିତାଙ୍କ ନାଁ ଉପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୋହର ମାରିସାରିଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ଅଛି ।

ଏଥିସହ ଆଜିର ବୈଠକରେ ବିଜେପୁର ଲଢେଇ ପାଇଁ ସେନାଧକ୍ଷମାନଙ୍କ ଚୟନ ସରିଛି । ଏଥର ବି ପୂର୍ବ ଉପନିର୍ବାଚନ ଭଳି 68ରୁ 70 ଜଣ ନେତା ଦାୟିତ୍ୱରେ ରହିବେ । ସେମାନଙ୍କ ମଧ୍ୟରେ ଅଛନ୍ତି 8 ଜଣ ମନ୍ତ୍ରୀ ।

ନବୀନଙ୍କ ତତ୍ୱବାଧାନରେ ବିଜେଡି ଏହି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ପରିଚାଳନା ପାଇଁ ଚାରି ଥାକିଆ ନେତୃତ୍ୱ ବ୍ୟବସ୍ଥା ହୋଇଛି । ନିଜେ ନବୀନ ପ୍ରଚାରର ମଙ୍ଗ ଧରିବେ । ତାଙ୍କ ପରକୁ ସାମଗ୍ରିକ ଭାବେ ନିର୍ବାଚନ ପରିଚାଳନାର ଦାୟିତ୍ୱରେ ରହିବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ବିଜେପୁର ନିର୍ବାଚନମଣ୍ଡଳୀରେ ରହିଛି 3ଟି ବ୍ଲକ, 58ଟି ପଂଚାୟତ ଓ 2ଟି ଏନଏସି । ପ୍ରତି ବ୍ଲକ ଦାୟିତ୍ୱରେ ଜଣେ କିମ୍ବା ଦୁଇଜଣ ଶୀର୍ଷ ନେତା ଦାୟିତ୍ୱରେ ରହିବେ । ତାଙ୍କ ପରେ କିଛି ବରିଷ୍ଠ ନେତାଙ୍କ କିଛି କିଛି ପଂଚାୟତ ଓ ଏନଏସି ଦାୟିତ୍ୱ ଦିଆଯାଇଛି ।

ଦୁଇଟି ଏନଏସି ମଧ୍ୟରୁ ବିଜେପୁର ଦାୟିତ୍ୱରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ବରପାଳି ଏନଏସି ଦାୟିତ୍ୱରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରହିଛନ୍ତି । ବିଜେପୁର ବ୍ଲକର 23ଟି ପଂଚାୟତ ମଧ୍ୟରୁ ମନ୍ତ୍ରୀ ଅରୁଣ ସାହୁ 8ଟି, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର 7ଟି ଓ ବିଧାୟକ କିଶୋର ମହାନ୍ତି 8ଟି ପଂଚାୟତ ଦାୟିତ୍ୱ ନେବେ । ବିଜେପୁର ବ୍ଲକର ଶୀର୍ଷ ଦାୟିତ୍ୱରେ ରହିବେ ମନ୍ତ୍ରୀ ସୁଶାନ୍ତ ସିଂହ ।

ବରପାଲି ଏନଏସି ଓ ବ୍ଲକର ଶୀର୍ଷ ଦାୟିତ୍ୱରେ ରହିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏହି ବ୍ଲକର 8ଟି ପଂଚାୟତ ଦାୟିତ୍ୱରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଅଛନ୍ତି । ଗାଇସିଲଟ ବ୍ଲକର ଶୀର୍ଷ ଦାୟିତ୍ୱରେ ରହିଲେ ମନ୍ତ୍ରୀ ନବ ଦାସ ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ଏହି ବ୍ଲକର 8ଟି ପଂଚାୟତ ଦାୟିତ୍ୱରେ ରହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ନିର୍ବାଚନମଣ୍ଡଳୀର ସମସ୍ତ ପଂଚାୟତ ଓ ଏନଏସି ଦାୟିତ୍ୱରେ ଏହିଭଳି 68 ଜଣ ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତା ଅଛନ୍ତି । ଆଉ ଏ ସମସ୍ତଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ପରେ ଏହି ଆସନକୁ ପୁଣି ଥରେ ଦାଖଲ କରିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ । ଗତ ଉପନିର୍ବାଚନରେ ରୀତା ସାହୁ 40 ହାଜରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । ମୁଖ୍ୟମନ୍ତ୍ରୀ ନିଜେ 60 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । 2018 ପରଠାରୁ ବିଜେଡି ନିଜର ବିଜେପୁର ବିଜୟ ଧାରା ଓ ବିଜୟ ବ୍ୟବଧାନକୁ କୌଣସି ମତେ ସଙ୍କୁଚିତ ହେବାକୁ ଚାହୁଁନି ।

Share

Leave a Reply

Your email address will not be published. Required fields are marked *

15 + five =