ଭୁବନେଶ୍ୱରରୁ ଅରୁପ ପଟନାୟକ, ପାଟ୍ଟଶାଣୀ ଯିବେ ରାଜ୍ୟସଭା

ଭୁବନେଶ୍ବର () ଏଥର ବାବା ଭୁବନେଶ୍ବରରୁ ଲଢିବେନି । ଯଦିଓ 5ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବର ଲୋକସଭାରୁ ଲଢିବାକୁ ଆଗ୍ରହୀ ଥିଲେ, ତେବେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା 9ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥର ମଧ୍ୟ ଲୋକସଭାରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶୃତି ମୁତାବକ 33 ପ୍ରତିଶତ ଅର୍ଥା 3ଜଣ ମହିଳାଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛନ୍ତି ।

ଭୁବନେଶ୍ବରରୁ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବାଲେଶ୍ବରରୁ ରବୀନ୍ଦ୍ର କୁମାର ଜେନା, ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ସମ୍ବଲପୁରରୁ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ପୁରୀରୁ ପିନାକୀ ମିଶ୍ର ଓ ଭଦ୍ରକରୁ ମଂଜୁଲତା ମଣ୍ଡଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

ଭୁବନେଶ୍ବରରେ ଅରୁପ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବେ । ଅର୍ଥାତ ଏଠି ପ୍ରଶାସକ ବନାମ ପ୍ରଶାସକ ଲଢେଇ । ସେହିଭଳି କେନ୍ଦ୍ରାପଡାରେ ବୈଜୟନ୍ତୁଙ୍କୁ ଟକ୍କର ଦେବେ ଅନୁଭବ । ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ସେହିଭଳି ସାଂସଦ ଭାବେ ଲଢିବାକୁ ସୁଯୋଗ ଦିଆଯାଇଛି ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଲୋକସଭାରେ ଘୋଷଣା ହୋଇଥିବା ଏହି 9ଟି ଆସନ ମଧ୍ୟରୁ ଭୁବନେଶ୍ବର, ମୟୁରଭଂଜ, ଯାଜପୁର, ଜଗତସିଂହପୁର, ସମ୍ବଲପୁର ଓ ଭଦ୍ରକରେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ନବୀନ । ମୟୁରଭଂଜ ସାଂସଦ ଥିବା ରାମଚନ୍ଦ୍ର ହାଂସଦା ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଏଥର ପ୍ରାର୍ଥୀ କରିନି ବିଜେଡି । କେନ୍ଦ୍ରାପଡାର ପୂର୍ବତନ ସାଂସଦ ବିଜେଡିରୁ ବିତାଡିତ ହେବା ପରେ ସେ ଏବେ ବିଜେପିରେ ଯୋଗ ଦେଇ କେନ୍ଦ୍ରାପଡା ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଂଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ପ୍ରାର୍ଥୀ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

thirteen + 2 =