ମିଛର ଭିତ୍ତିଭୂମିରୁ ଆରମ୍ଭ କଲେ ରାଜନୀତି

ଭୁବନେଶ୍ୱର () ରାଜନୈତିକ ଜୀବନର ଆରମ୍ଭରୁ ମିଛ କହିଲେନି ଅପରାଜିତା ଷଢଙ୍ଗୀ । ଚାକରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ ଉପରେ ରାଜ୍ୟ ସରକାର ଏନଓସି ଦେବାରେ ଜାଣିଶୁଣି ବିଳମ୍ବ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅଭିଯୋଗର ଦୃଢ଼ ଜବାବ ଦେଇ ବିଜେଡି ଅଭିଯୋଗ କରିଛି ଯେ, ଅପରାଜିତା ରାଜନୀତି ଆରମ୍ଭରୁ ମିଛର ଭିତ୍ତିଭୂମି ପକାଇଛନ୍ତି ।

ଅପରାଜିତାଙ୍କ ଭିଆରଏସ ଆବେଦନ ଉପରେ ଏନଓସି ପ୍ରଦାନରେ ରାଜ୍ୟ ସରକାର ବିଳମ୍ବ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କରିଥିବା ଅଭିଯୋଗ ମିଛ, ଭିତ୍ତିହୀନ ଓ ତଥ୍ୟ ସମ୍ବଳିତ ନୁହଁ ବୋଲି ବିଜେଡି କହିଛି ।

ଅପରପକ୍ଷରେ ଅପରାଜିତା ମିଛରୁ ରାଜନୀତି ଆରମ୍ଭ କରୁଛନ୍ତି । ସେ ଭିଆରଏସ ଆବେଦନ ପରେ କିଛି ଗଣମାଧ୍ୟମକୁ କହିଥିଲେ ଯେ ସେ ୟୁଏନ ଏନଜିଓରେ କାମ କରିବେ । ଏବେ କିନ୍ତୁ ବିଜେପିରେ ଯୋଗଦେଇ ରାଜନେତା ସାଜିଲେଣି । ସେ ପ୍ରଥମରୁ ହିଁ ବିଭ୍ରାନ୍ତିକର ଓ ଅସାଧୁ ରାଜନୀତିକୁ ଆପଣେଇଛନ୍ତି ବୋଲି ବିଜେଡି ମୁଖପାତ୍ର ସୁଲୋଚନା ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ।

ସେହିପରି ଓଡ଼ିଆର ଗର୍ବଗୌରବ କଥା କହି ବାରମ୍ବାର ଅଣଓଡ଼ିଆ ଅଫିସରଙ୍କୁ ରାଜନୈତିକ ଆକ୍ରମଣ କରୁଥିବା କେନ୍ଦ୍ରମନ୍ତ୍ରୀ ଏବେ କେମିତି ଜଣେ ଅଣଓଡ଼ିଆ ଅଫିସରଙ୍କ ସହାୟତାରେ ନିଜ ସଙ୍ଗଠନକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେପିରେ କଣ ଓଡ଼ିଆ ନେତାଙ୍କ ଅଭାବ ପଡିଲା ଯେ କେନ୍ଦ୍ରମନ୍ତ୍ରୀଙ୍କୁ ବିହାରୀ ନେତାଙ୍କ ସାହାଯ୍ୟ ନେବାକୁ ପଡିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − one =