ପରାଜୟ ଭୟରେ ଚାଉଳ, ଡାଲି, ଲୁଣର ଜୁମଲା ଦେଖାଉଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର () ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ୧ ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତି ଚଳିତ ନିର୍ବାଚନର ସବୁଠାରୁ ବଡ଼ ଜୁମଲା ଦେଖାଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗୋଡ ତଳୁ ବୋଧହୁଏ ମାଟି ଖସିଯାଇଛି । କାରଣ ନିକଟରେ ପ୍ରକାଶିତ ଦଳର ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦିଆଯାଇନି । ଇସ୍ତାହାରରେ ଏନେଇ ନିରବ ଥିବା ଦଳ ଏବେ କାହିଁକି ଏହି ଘୋଷଣା କରିଛି । ସେନେଇ ବିଜେଡି ପ୍ରଶ୍ନ ଉଠାଇବା ସହ ଏହା ଧର୍ମେନ୍ଦ୍ରଙ୍କ ଆଉ ଏକ ଜୁମଲା ବୋଲି କହିଛି ବିଜେଡି ।

ଦଳର ମୁଖପାତ୍ର ଡ. ଲେଲିନ୍ ମହାନ୍ତି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ଭାବେ ଜଣାଶୁଣା । ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପିର ସ୍ଥିତି ତାଙ୍କୁ ଅଧିକ ବିବ୍ରତ କରିଥିବାରୁ ସେ ଅଧିକ ନିରୁତ୍ସାହିତ ହୋଇ ଅଧିକ ମିଛ କହିବା ଆରମ୍ଭ କରିଛନ୍ତି । ତାଙ୍କର ମିଛ ଆଉ ବାଡ଼ବତା ମାନୁନାହିଁ । ଆଜି ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ତାହାର ଏକ ବଡ଼ ଉଦାହରଣ ବୋଲି ସେ କହିଛନ୍ତି ।

ଦେଶର ୨୨ଟି ରାଜ୍ୟରେ ଶାସନ କରୁଛନ୍ତି ବୋଲି ବିଜେପି ନେତାମାନେ କଥାକଥାକେ  କହୁଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାଙ୍କ ଦଳ ଶାସିତ କୌଣସି ଗୋଟିଏ ରାଜ୍ୟରେ ବି ସେଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ । ଗୁଜୁରାଟରେ ତାଙ୍କ ଦଳ ୨୦ ବର୍ଷ ଶାସନ କ୍ଷମତାରେ ଥାଇ ମଧ୍ୟ ସେଠାରେ କାର୍ଯ୍ୟକାରୀ କରୁନାହାନ୍ତି କାହିଁକି? ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ତାଙ୍କ ଦଳ ୧୫ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ସେଠି କାର୍ଯ୍ୟକାରୀ କଲେ ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ବିଜେପିର ୨ କୋଟି ଚାକିରୀ, ପ୍ରତି ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ମିଛ ପ୍ରତିଶ୍ରୁତି ଭଳି ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ବଡ଼ ମିଛ କହି ଓଡ଼ିଶାବାସୀଙ୍କୁ ଠକିବାକୁ ଉଦ୍ୟମ କରିଛନ୍ତି । ଜନସାଧାରଣଙ୍କୁ ଦିନଦ୍ୱିପ୍ରହରେ କିଭଳି ଚୂନ ମରାଯାଏ, ତାହା ଅଭ୍ୟାସଗତ ମିଛୁଆ ଭାବେ ପରିଚିତ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରୁ ସୂଚାଇ ଦେଇଛି । ବିଜେପିର ଏହି ଜୁମଲା ଓ ପ୍ରତାରଣାର ଜବାବ ଓଡ଼ିଶାବାସୀ ଏହି ନିର୍ବାଚନରେ ଦେବେ ବୋଲି ଡ. ମହାନ୍ତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × one =