ଜାତୀୟ

ଟିକସଦାତା ଓ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ

GST ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତାବ । ଟିକସଦାତା ଓ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ୫୭ତମ GST କାଉନସିଲ୍ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି । ସବୁଠୁ ବଡ଼ ପ୍ରସ୍ତାବ ହେଉଛି GST ଅଧିକାରୀଙ୍କ ଗିରଫ କ୍ଷମତା ହଟାଇବା । ବର୍ତ୍ତମାନ ଏକ କୋଟି ଟଙ୍କାରୁ ଅଧିକ ଟିକସ ଫାଙ୍କି, ଜାଲ୍ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ କିମ୍ବା ବେଆଇନ ରିଫଣ୍ଡ ସମ୍ପର୍କିତ ଗୁରୁତର ମାମଲାରେ କମିଶନରସ୍ତରୀୟ ଅନୁମତି ନେଇ GST ଅଧିକାରୀ ଗିରଫ କରିପାରୁଛନ୍ତି ।

ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଏହି କ୍ଷମତା ହଟିବ । ଏଥିସହ ଅପରାଧିକ ମାମଲା ଆରମ୍ଭ କରିବା ପାଇଁ ଟିକସ ସମ୍ପର୍କିତ ଅର୍ଥରାଶିର ସୀମାକୁ ଏକ କୋଟିରୁ ପାଞ୍ଚ କୋଟି ଟଙ୍କାକୁ ବଢ଼ାଇବା ପ୍ରସ୍ତାବ ରହିଛି । GST ଆଇନର ୯ଟି ଅପରାଧକୁ ଅପରାଧିକ ଦଣ୍ଡ ବ୍ୟବସ୍ଥାରୁ ବାଦ୍ ଦେବା ଓ ଅନ୍ୟ ୨୪ଟି ଅପରାଧ ସମ୍ପର୍କିତ ନିୟମକୁ କୋହଳ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆସିଛି । ନିର୍ଦ୍ଧାରିତ ସମୟରେ GST ରିଟର୍ଣ୍ଣ ଦାଖଲ ନକରିବା, ସାମଗ୍ରୀର ଟିକସ ବର୍ଗୀକରଣକୁ ନେଇ ବିବାଦ କିମ୍ବା ଅର୍ଥ ଅଭାବରୁ ଟିକସ ଜମାରେ ବିଳମ୍ବ ଭଳି ମାମଲାରେ ଟିକସ, ସୁଧ ଓ ନିର୍ଦ୍ଧାରିତ ଜରିମାନା ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରିହାତି ପାଇବାର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି ।

GST ନୋଟିସ୍ ପଠାଇବା କ୍ଷେତ୍ରରେ ମଧ୍ୟ ନୂଆ ନିୟମକୁ ମଞ୍ଜୁରି ମିଳିଛି। ୧୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ଟିକସ ଦାବି ପାଇଁ ଆଉ ନୋଟିସ୍ ଜାରି କରାଯିବ ନାହିଁ । ପୂର୍ବରୁ ଜାରି ହୋଇଥିବା ଏଭଳି ନୋଟିସ୍ କୁ ମଧ୍ୟ ପ୍ରତ୍ୟାହାର କରାଯିବ। ସାଧାରଣ ଜରିମାନାକୁ ୨୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ହ୍ରାସ କରିବା ପାଇଁ କାଉନସିଲ୍ ମଞ୍ଜୁରି ଦେଇଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ GST ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିବା, ଅନଲାଇନ୍ ବ୍ୟବସାୟୀଙ୍କୁ ସୁବିଧା ଦେବା ଏବଂ GST ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × four =