Business

ଦଶହରା ପାଇଁ ଟିପିସିଓଡିଏଲ୍‌ର ସୁରକ୍ଷା ପଦକ୍ଷେପ: ମଣ୍ଡପ ଓ ଷ୍ଟଲ୍‌ରେ ବୈଧ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନେବାକୁ ପରାମର୍ଶ

ଭୁବନେଶ୍ୱର, ଅକ୍ଟୋବର ୦୮, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ପାର୍ବଣ ସମୟରେ ନିରାପଦ ତଥା ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପୂଜା କମିଟି, ଦୋକାନୀ, ବ୍ୟବସାୟୀ ଏବଂ ନାଗରିକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମ ପାଳନ କରିବା ସହ ଦଶହରା ସମୟରେ ଅସ୍ଥାୟୀ ବୈଧ ବିଦ୍ୟୁତ୍ ସଂଯୋଗ ନେବାକୁ ନିବେଦନ କରିଛି।
ସମଗ୍ର ସେଣ୍ଟ୍ରାଲ ଓଡ଼ିଶାରେ ପୂଜା ମଣ୍ଡପ, ଅସ୍ଥାୟୀ ଦୋକାନ ଏବଂ ଆଲୋକସଜ୍ଜା ହେବାକୁ ଥିବାରୁ, କମ୍ପାନୀର ସେକ୍ସନ, ସବ୍-ଡିଭିଜନ କିମ୍ବା ଡିଭିଜନ କାର୍ଯ୍ୟାଳୟରୁ ଅସ୍ଥାୟୀ ସଂଯୋଗ ନେବାକୁ ଟିପିସିଓଡିଏଲ୍ ଆୟୋଜକମାନଙ୍କୁ ପରାମର୍ଶ ଦେଇଛି। ଏହାସହ ବେଆଇନ ହୁକିଂ ଏବଂ ଅଣଅଧିକୃତ ସଂଯୋଗ ବିରୁଦ୍ଧରେ ସତର୍କ କରାଇ ଦିଆଯାଇଛି, ଯାହା ବିଦ୍ୟୁତ୍ ଆଘାତ, ସର୍ଟ ସର୍କିଟ୍, ଅଗ୍ନିକାଣ୍ଡ, ଟ୍ରାନ୍ସଫର୍ମର ଓଭରଲୋଡିଂ ଏବଂ ବିଦ୍ୟୁତ୍ ବିଭ୍ରାଟ ଭଳି ବିପଦ ସୃଷ୍ଟି କରିପାରେ।
ବିଦ୍ୟୁତ୍ ଆଘାତରୁ ସୁରକ୍ଷା ପାଇଁ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନ ନିୟୋଜିତ କରିବା, ସଠିକ୍ ୱାୟାରିଂ, ଉପଯୁକ୍ତ ଆର୍ଥିଂ ଏବଂ ୩୦ ଏମ୍ଏ ଆରସିସିବି ସ୍ଥାପନ ନିଶ୍ଚିତ କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଆୟୋଜକମାନଙ୍କୁ ଏଲଇଡି ଲାଇଟ୍ ବ୍ୟବହାର କରିବା, ଇଲେକ୍ଟ୍ରିକାଲ ସର୍କିଟ୍ ଏବଂ ସକେଟ୍‌ରେ ଅତ୍ୟଧିକ ଭାର (ଓଭରଲୋଡିଂ) ନ ଦେବା, ମାନକ ଗୁଣବତ୍ତା ବିଶିଷ୍ଟ ବୈଦ୍ୟୁତିକ ଉପକରଣ ବ୍ୟବହାର କରିବା ଏବଂ ମଣ୍ଡପରେ ଅଗ୍ନିଶମ ଯନ୍ତ୍ର (ଫାୟାର ଏକ୍ସଟିଙ୍ଗୁଇସର୍) ମହଜୁଦ ରଖିବାକୁ ମଧ୍ୟ କୁହାଯାଇଛି।
ସାଜସଜ୍ଜା, ବ୍ୟାନର ଏବଂ ପତାକାଗୁଡ଼ିକୁ ଓଭରହେଡ୍ ପାୱାର ଲାଇନ୍ ଏବଂ ବୈଦ୍ୟୁତିକ ଭିତ୍ତିଭୂମିଠାରୁ ଦୂରରେ ରଖିବାକୁ ଟିପିସିଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି। ବିଦ୍ୟୁତ୍ ଭିତ୍ତିଭୂମି ନିକଟରେ ପତାକା ଧରିବା ପାଇଁ ଧାତବ ରଡ୍ ବ୍ୟବହାର କରାଯିବା ଉଚିତ ନୁହେଁ। ବିଶେଷ କରି ଶୋଭାଯାତ୍ରା ଏବଂ ଭସାଣୀ ସମୟରେ ଖୁଣ୍ଟ, ଟ୍ରାନ୍ସଫର୍ମର ଏବଂ ଓଭରହେଡ୍ ଲାଇନ୍‌ଠାରୁ ନିରାପଦ ଦୂରତା ବଜାୟ ରଖିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।
କମ୍ପାନୀ ଆହୁରି ମଧ୍ୟ ପରାମର୍ଶ ଦେଇଛି ଯେ, ଟ୍ରାନ୍ସଫର୍ମର, ସବ୍-ଷ୍ଟେସନ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ସଂସ୍ଥାପନ ନିକଟରେ ବାଣ ଫୁଟାଯିବା ଉଚିତ ନୁହେଁ। ଖରାପ କିମ୍ବା ଖୋଲା ଥିବା ତାରଗୁଡ଼ିକୁ ତୁରନ୍ତ ବଦଳାଯିବା ଆବଶ୍ୟକ ଏବଂ ପାର୍ବଣ ସମୟରେ ମଣ୍ଡପରେ ଥିବା ବିଦ୍ୟୁତ୍ ସଂଯୋଗଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବା ଉଚିତ।
ବିଦ୍ୟୁତ୍ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍‌ର ୨୪ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ୧୯୧୨ / ୧୮୦୦ ୨୦୨୭ ରେ ଉପଲବ୍ଧ ରହିବ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ସମଗ୍ର ଦଶହରା ଉତ୍ସବରେ ନିରାପଦ ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆମେ ପୂଜା କମିଟି, ଦୋକାନୀ ଏବଂ ନାଗରିକମାନଙ୍କୁ ବୈଧ ବିଦ୍ୟୁତ୍ ସଂଯୋଗ ନେବାକୁ ଏବଂ ବିଦ୍ୟୁତ୍ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରୁଛୁ। ସାମାନ୍ୟ ସତର୍କତା ଏବଂ ସାମୂହିକ ଦାୟିତ୍ୱବୋଧ ଦୁର୍ଘଟଣାକୁ ରୋକିବାରେ ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ତଥା ଆନନ୍ଦଦାୟକ ଉତ୍ସବ ନିଶ୍ଚିତ କରିବାରେ ବହୁତ ସହାୟକ ହୋଇପାରିବ।”
ସମଗ୍ର ପାର୍ବଣ ଋତୁରେ ନିରାପଦ ତଥା ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ତାର ପ୍ରତିବଦ୍ଧତାକୁ ଦୋହରାଇଛି ଏବଂ ନିର୍ଦ୍ଧାରିତ ବିଦ୍ୟୁତ୍ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରି ଦାୟିତ୍ୱପୂର୍ଣ୍ଣ ଭାବରେ ପର୍ବ ପାଳନ କରିବାକୁ ନିବେଦନ କରିଛି।

Share

Leave a Reply

Your email address will not be published. Required fields are marked *

13 − nine =