ବିଜେଡି କାହିଁକି ସ୍ବାମିନାଥନ କମିଶନ ରିପୋର୍ଟ ଲାଗୁ ପାଇଁ ଦାବି କରୁଛି?

ନୂଆଦିଲ୍ଲୀ () ବିଜେଡି କାହିଁକି ସ୍ବାମୀନାଥନ କମିଶନ ରିପୋର୍ଟକୁ ଲାଗୁ କରିବାକୁ ବାରମ୍ବାର ଦାବି କରିଆସୁଛି । ଏ ସମ୍ପର୍କରେ ଆଜି ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ସବିଶେଷ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନା କରିଛନ୍ତି ।

ଗତ ଅକ୍ଟୋବର, 2020 ରେ ସ୍ବାମିନାଥ ନିଜେ ରଖିଥିବା ଯୁକ୍ତି ଅନୁଯାୟୀ “ଯେତେବେଳେ ଆମେ ଉତ୍ପାଦନ ମୂଲ୍ୟରେ ୫୦% ବୃଦ୍ଧି କରିବାକୁ ସୁପାରିଶ କଲୁ, ଆମେ ଉତ୍ପାଦନର ମୋଟ ମୂଲ୍ୟ ଭାବରେ C2 କୁ ଗ୍ରହଣ କରିଥିଲୁ।”ତାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ଯେ ସ୍ବାମିନାଥନ ନିଜେ ଗ୍ରହଣ କରୁଛନ୍ତି କି ତାଙ୍କ ରିପୋର୍ଟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନି କିମ୍ବା ସୁପାରିଶଗୁଡିକ କାର୍ଯ୍ୟକାରୀ କରାଯାଇ ନାହିଁ କାରଣ ଏମଏସପିରେ ୧.୫ ଗୁଣ ବୃଦ୍ଧି C2- ଉତ୍ପାଦନ ମୂଲ୍ୟରେ କରାଯାଇ ନାହିଁ।

ତେବେ, ଏହି C2 କଣ – ସ୍ବାମିନାଥନ କମିଶନ ରିପୋର୍ଟ ଅନୁଯାୟୀ ଏହା ଉତ୍ପାଦନ ମୂଲ୍ୟ  । କୃଷି ଉତ୍ପାଦନ ମୂଲ୍ୟର ତିନୋଟି ଉପାଦାନ ଅଛି | ପ୍ରଥମଟି ହେଉଛି A2 ଯାହାକି ଚାଷୀ ନିଜ ପକେଟରୁ ଖର୍ଚ୍ଚ କରିଥିଏ, ଅର୍ଥାତ କୃଷକ କିଣୁଥିବା ମଞ୍ଜି, ସାର, କୀଟନାଶକ ଇତ୍ୟାଦି  । ଦ୍ୱିତୀୟ ଉପାଦାନ ହେଉଛି A2 + FL  । ଯେଉଁଥିରେ A2 ର ମୂଲ୍ୟ ଅନ୍ତର୍ଭୁକ୍ତ ହେବା ସହ ପରିବାରର ଶ୍ରମ (Family Labour-FL) ଅର୍ଥାତ୍ ମାନବ ଶ୍ରମର ମୂଲ୍ୟ ଯାହା କୃଷକ ଏବଂ ତାଙ୍କ ପରିବାର ଚାଷରେ ବିନିଯୋଗ କରିଥାନ୍ତି । ତୃତୀୟ ଉପାଦାନ ହେଉଛି C2, ଯାହାକି A2 + FLର ସମିଶ୍ରଣ ସାଙ୍ଗକୁ ଜମିର ସୁଯୋଗ ମୂଲ୍ୟ, କୃଷକ ନେଇଥିବା ଋଣ ପାଇଁ ସୁଧ ଏବଂ ଜମି ପାଇଁ ଧାର୍ଯ୍ୟ ଭଡା ମଧ୍ୟ ଅନ୍ତର୍ଭୁକ୍ତ  ।

ସ୍ବାମିନାଥନ କମିଶନ ରିପୋର୍ଟ ସରକାରଙ୍କୁ ଏହି C2 ମୂଲ୍ୟର 1.5 ଗୁଣରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଲାଗୁ କରିବାକୁ କହିଥିଲେ । କିନ୍ତୁ ସରକାର ତାହା କରିନାହାଁନ୍ତି। ସମସ୍ତ ଫସଲ ପାଇଁ ଉତ୍ପାଦନର ଏହି ଖର୍ଚ୍ଚ କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) ନିର୍ଣ୍ଣୟ କରିଥାଏ । 2018-19 ଖରିଫ ଋତୁରେ CACP ଡକ୍ୟୁମେଣ୍ଟର ଅନୁଯାୟୀ ନିର୍ଣ୍ଣୟ କରାଯାଏ । ଯେଉଁଠାରେ ଖରିଫ ଧାନ ପାଇଁ C-2 ଉତ୍ପାଦନ ମୂଲ୍ୟ 1560 ଟଙ୍କା ଧାର୍ଯ୍ୟ କରାଯାଇଥିଲା  । ଯଦି ସ୍ବାମୀନାଥନ କମିଶନ ସୁପାରିଶ ଆଧାରରେ ୧୫୬୦ ଟାଙ୍କା ଉପରେ ଦେଢଗୁଣା ଏମଏସପି ଧାର୍ଯ୍ୟ ହୋଇଥାନ୍ତା ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୪୦ ଟଙ୍କା ହୋଇଥାନ୍ତା । କିନ୍ତୁ କେନ୍ଦ୍ର ସରକାର 2018-19 ରେ ୧୭୫୦ ଟଙ୍କା ସ୍ଥିର କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସ୍ବାମିନାଥନ କମିଟି ରିପୋର୍ଟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ।

ସେ କହିଛନ୍ତି ଯେ, ବିଜେପି ନେତାମାନେ 1800 ରୁ 2000 ପର୍ଯ୍ୟନ୍ତ ଏମଏସପି ଦେଖିବା ପାଇଁ ଅଧିକ ଚିନ୍ତିତ । ତଥାପି ମୁଁ ନିଶ୍ଚିତ ଭାବରେ ଓଡିଶାର ବିଜେପି ବିଧାୟକମାନଙ୍କୁ ଧନ୍ୟବାଦ ଦେବି, ଯେଉଁମାନେ ଚାଷୀଙ୍କ ପାଇଁ ଅଧିକ ଆଗେଇ ଆସିଛନ୍ତି। 2018 ରେ ଓଡିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଯେଉଁଥିରେ ବିଜେଡି, ବିଜେପି, କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ବିଧାୟକମାନେ ଏକାଠି ହୋଇ ଧାନ ପାଇଁ ଏମଏସପି ୨୯୩୦ ଟଙ୍କା ସ୍ଥିର କରିବାକୁ ଦାବି କରିଥିଲେ। ଏଥିରେ ୧୫୬୦ ଟଙ୍କା C-2 ମୂଲ୍ୟକୁ ଦେଢଗୁଣା କରି ୨୩୪୦ ଟଙ୍କା କରାଯାଇଥିଲା । ଏବଂ ଏହି ରାଶି ଉପରେ ଜମି ମୂଲ୍ୟର 25% ଯୋଗ କଲେ, ଏହାର ମୂଲ୍ୟ ହେଉଛି ୨୯୩୦ ଟଙ୍କା  । ଯଦି ଓଡିଶାର ବିଜେପି ବିଧାୟକମାନେ ଏତେ ସକାରାତ୍ମକ ହୋଇପାରନ୍ତି ଏବଂ ଧାନର ଏମଏସପି ୨୯୩୦ ଟଙ୍କା ଦାବି କରିପାରନ୍ତି ତେବେ ସଂସଦରେ ବିଜେପି ଦଳ କାହିଁକି ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବାକୁ ଚାହୁଁନି ବୋଲି ସେ ପ୍ରଶ୍ନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 10 =