ଲୋକପ୍ରିୟତାରେ ନବୀନଙ୍କ ପାଖ ପଶିପାରୁନାହାଁନ୍ତି ବିରୋଧୀ : ସର୍ଭେ

କାଳିଆ ଓ ମିଶନ ଶକ୍ତି ସବୁଠୁ ଲୋକପ୍ରିୟ ଯୋଜନା

55ରୁ 85 ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ

ଭୁବନେଶ୍ବର () 2019ରେ ଓଡ଼ିଶାରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ ହେବ । ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ରିପୋର୍ଟରେ ଏହି ସୂଚନା ମିଳିଥିବା ବେଳେ ଏବେ ରାଜ୍ୟର ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମର ସର୍ଭେରୁ ମଧ୍ୟ ଏହି ବିଜେଡି ବାଜିମାତ କରିବ ବୋଲି ତଥ୍ୟ ଆସିଛି ।

ଉପକୂଳ ହେଉ କି ପଶ୍ଚିମ, ଦକ୍ଷିଣ କି ଉତ୍ତର ଓଡ଼ିଶା, ସବୁଠି ନବୀନଙ୍କ ଲୋକପ୍ରିୟତା ଏବଂ ଗ୍ରହଣୀୟତାରେ ବିଜେଡି ଆଗରେ । ଅଧିକାଂଶ ଅଂଚଳରେ ବିଜେଡି ଏକପାଖିଆ ବାଜିମାତ କରିବ ବୋଲି ସର୍ଭେରୁ ଜଣାପଡିଛି । 2019ରେ ବିଜେଡି କେତେ ସିଟ ଜିତିବ, ତାହା ଆକଳନ କରାଯାଇନଥିଲେ ବି 2014 ତୁଳନାରେ ଅଧିକ ଆସନ ଦଖଲ କରିବ ବୋଲି ଏହି ସର୍ଭେ ରିପୋର୍ଟରୁ ଆକଳନ କରାଯାଉଛି ।

କାରଣ ରାଜ୍ୟର ୫୫ରୁ ୮୫ ପ୍ରତିଶତ ଲୋକ ଚାହୁଁଛନ୍ତି ନବୀନ ପୁଣିଥରେ କ୍ଷମତାକୁ ଫେରନ୍ତୁ । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ ୨୮ ପ୍ରତିଶତ ଏବଂ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସପକ୍ଷରେ 24 ପ୍ରତିଶତ ସମର୍ଥନ ମିଳିଛି । ଗଂଜାମ ଏବଂ ଯାଜପୁର ଜିଲ୍ଲାରୁ ବିଜେଡି ସପକ୍ଷରେ ସର୍ବାଧିକ ଜନମତ ଆସୁଛି। ଏହି ଦୁଇ ଜିଲ୍ଲାରୁ ୮୪ ପ୍ରତିଶତ ଲୋକ ଚାହୁଁଛନ୍ତି ବିଜେଡି ପଂଚମ ଥର ପାଇଁ ସରକାର ଗଠନ କରୁ ।

ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ କିଛି ସ୍ଥାନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହୁଥିବା ବେଳେ କିଛି ସ୍ଥାନରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ମୁକାବିଲା ହେବ। ମୋଟାମୋଟି ଭାବେ ଦ୍ବିତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହିସାବରେ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଓ କନକ ବର୍ଦ୍ଧନ ସିଂଦେଓ ଏବଂ କଂଗ୍ରେସରୁ ନିରଂଜନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ପସନ୍ଦ ଭାବେ ଦେଖି‌ଥିଲେ ମଧ୍ୟ ସେମାନେ ଲୋକପ୍ରିୟତାରେ ନବୀନଙ୍କ ଆଖପାଖରେ ନାହାନ୍ତି।

‘କାଳିଆ’ ଓ ‘ମିଶନ ଶକ୍ତି’, ରାଜ୍ୟ ସରକାରଙ୍କ ଏହି ଦୁଇଟି ଯୋଜନା ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଯୋଜନା । ଏହି ଦୁଇଟି ଯୋଜନା ହିଁ ବିଜେଡିର ବିଜୟପଥକୁ ସହଜ କରିବ । ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାରଙ୍କ ଏହି ଦୁଇଟି ଯୋଜନାକୁ ସବୁ ଜିଲ୍ଲାରେ ସର୍ବାଧିକ ପସନ୍ଦର ଯୋଜନା ଭାବେ ଗ୍ରହଣ କରାଯାଇଛି। ଏହାବ୍ୟତୀତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ ଜନସମର୍ଥନ ମିଳୁଛି।

୩୦ଟି ଜିଲ୍ଲାର ୩୧୪ ବ୍ଲକ ଓ ୧୪୭ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଜନମତ ସର୍ଭେ ହୋଇଥିଲା। ୨୦୧୯ରେ ଓଡ଼ିଶାରେ କିଏ ଗଢ଼ିବ ସରକାର? ଆପଣ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚାହାନ୍ତି? ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଆପଣ ସନ୍ତୁଷ୍ଟ କି? ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରୁ କାହା ଯୋଜନା ଲୋକପ୍ରିୟ? ରାଜ୍ୟ ସରକାରଙ୍କ କେଉଁ ଯୋଜନା ଅଧିକ ଲୋକପ୍ରିୟ? ଏହି ପାଂଚଟି ପ୍ରଶ୍ନ ଉପରେ ଜନମତ ସଂଗ୍ରହ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

5 × four =