ଓଡିଶା ଟ୍ରାଭେଲ ବଜାରର ଶୁଭାରମ୍ଭ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଶା ଟ୍ରାଭେଲ ବଜାରର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଏକ ପଂଚତାରକା ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଓଡିଶାର ସଂସ୍କୃତିଓ  ଐତିହ୍ୟ ସମୃଦ୍ଧ । ଏଥିଯୋଗୁଁ ଓଡିଶାକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବର୍ଷକୁ ୯ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ମାଲେସିଆକୁ ସିଧା ସଳଖ ବିମାନ ଉଡାଣ ଖୁବ୍ ଶୀଘ୍ର ଆରମ୍ଭ ହେବ  । ନିକଟରେ ଝାରସୁଗୁଡାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ପଶ୍ଚିମ ଓଡିଶାକୁ ଯୋଗାଯୋଗ ସୁଗମ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱରରେ, ପୁରୁଷ ହକି ୱାଲଡ୍ କପ୍ ଆୟୋଜିତ ହେବାକୁ ଯାଉଛି । ଏଥିରେ ୧୬ଟି ଦେଶ ଭାଗ ନେବାକୁ ଥିବା ବେଳେ ଏହା ଦ୍ୱାରା ଓଡିଶା ପର୍ଯ୍ୟଟନ ମଧ୍ୟ ପ୍ରଭାବିତ ହେବ । ସେହିପରି ଓଡିଶା ଟ୍ରାଭେଲ ବଜାରରେ ୨୩ଟି ଦେଶରୁ ୬୦ଜଣ ବିଦେଶୀ ଟୁର୍ ଅପରେଟର୍ ଅଂଶଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ  ।
ଉଲ୍ଲେଖଯୋଗ୍ୟ ଯେ ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଫିକି ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡିଶା ଟ୍ରାଭଲ ବଜାର ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବୁଲଗେରିଆ, ଚୀନ୍, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନି, ହଙ୍ଗେରି, ଇଣ୍ଡୋନେସିଆ, ଇଟାଲି, ମାଲେସିଆ, ଫିଲିପାଇନ୍ସ, ପୋଲାଣ୍ଡ, ରୋମାନିଆ, ଋଷିଆ ଆଦି ୨୩ଟି ଦେଶରୁ ୬୦ଜଣ ବିଦେଶୀ ଟୁର୍ ଅପରେଟର୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଥିସହ ଅହମ୍ମଦାବାଦ,  କୋଏମ୍ବାଟୁର୍, ଗେହାଟି, ହାଇଦ୍ରାବାଦ, ମୁମ୍ବାଇ, ପୁନେ, ରାୟପୁର ଆଦି  ୧୬ଜଣ ଦେଶୀୟ ଟୁର୍ ଅପରେଟର ମଧ୍ୟ ଭାଗନେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍ , ବିଭାଗୀୟ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ଫିକିର ଅଧ୍ୟକ୍ଷ ଜେ.କେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।
Share

Leave a Reply

Your email address will not be published. Required fields are marked *

14 − one =