କିଷାନ ଯୋଜନା ଲାଗୁ ପାଇଁ ରାଜ୍ୟକୁ ଚିଠି

କାଳିଆକୁ ଟକ୍କର ଦେବ କିଷାନ । ଚାଷୀଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ଲାଗୁ କରିବାକୁ ଓଡିଶା ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର କୃଷି ମନ୍ତ୍ରାଳୟ । ଏପରିକି ତୁରନ୍ତ ହିତାଧିକାରୀଙ୍କ ତାଲିକା ଚୂଡାନ୍ତ କରି ପିଏମ କିଷାନ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ କେନ୍ଦ୍ର ସରକାର ଶହେ ପ୍ରତିଶତ ଅନୁଦାନ ଯୋଗାଇଦେବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତାଦିଆଯିବ । ୩ଟି କିସ୍ତିରେ ୨ ହଜାର ଲେଖାଁଏ ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ଗତ ଡିସେମ୍ବରରୁ ପିଛଲା ଭାବେ ପ୍ରଥମ କିସ୍ତି ପ୍ରଦାନ କରାଯିବ । ୨ ହେକ୍ଟରରୁ କମ ଚାଷ ଜମି ଥିବା ଚାଷୀଙ୍କୁ ଏହି ଟଙ୍କା ମିଳିବ ।
ଚାଷୀଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ । ଏପରିକି ଭୂମିହୀନ ଚାଷୀଙ୍କୁ ମଧ୍ୟ ରାଜ୍ୟ ସରକାର ବିକଳ୍ପ କୃଷି ପାଇଁ ସାଢେ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ।
ସେପଟେ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି , ଏତେ କମ ସମୟ ମଧ୍ୟରେ ତାଲିକା ଦେବା ନେଇ ବିଚାରବିମର୍ଷ କରାଯିବ । ନିର୍ବାଚନକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ଏଭଳି ଯୋଜନା କରିଥିବା ଶଶୀବେହେରା କହିଛନ୍ତି । ଅନୁମାନ କରାଯାଉଛି , ଆୟୁଷ୍ମାନ ଭାରତ ପରି କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ଗ୍ରହଣ କରିନପାରେ ରାଜ୍ୟ । ମଧ୍ୟପ୍ରଦେଶ , ଓ ପଶ୍ଚିମବଙ୍ଗ ସରକାର ମଧ୍ୟ ଏତେ କମ ଅବଧିରେ ହିତାଧିକାରୀ ତାଲିକା ଦେବା ସମ୍ଭବ ନୁହେଁ ବୋଲି ଜଣାଇସାରିଛନ୍ତି ।ଏଥିପାଇଁ ଅନୁନ୍ୟ ୩ ମାସ ସମୟ ଦେବାକୁ ସେମାନେ ଦାବି ଜଣାଇଛନ୍ତି । ତେଣୁ ରାଜ୍ୟ ସରକାର କି ନିଷ୍ପତି ନେଉଛନ୍ତି ତାହା ଉପରେ ନଜର ରହିଛି ।

Share

Leave a Reply

Your email address will not be published. Required fields are marked *

3 + nine =