ଶୋକ ପ୍ରସ୍ତାବରେ ରାଜନୀତିର ଛୁଙ୍କ ଦେଲେ କେଭ

ବିଜେଡି କହିଲା ଓଡିଶା ବିଧାନସଭା ପାଇଁ କଳା ଦିବସ

ଭୁବନେଶ୍ବର () ଓଡିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଛି ଶୋକ ପ୍ରସ୍ତାବ । କିନ୍ତୁ ଏହି ଶୋକ ପ୍ରସ୍ତାବକୁ ନେଇ ସୃଷ୍ଟି ହୋଇଛି ରାଜନୀତି । ବାଜପେୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଲଞ୍ଚପ୍ୟାଡ ଯୋଗାଇଥିଲେ । ବିଜେପି ବିଧାୟକ ଦଳ ନେତାଙ୍କ ଏଭଳି ବିବୃତିକୁ ନେଇ ଝଡ ସୃଷ୍ଟି ହୋଇଥିଲା ବେଳେ ବିଜେଡି କହିଛି ଓଡିଶା ବିଧାନସଭା ଇତିହାସରେ ଏହା ଏକ କଳା ଦିବସ ।

ମୌସୁମୀ ଅଧିବେଶର ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧି, ପୂର୍ବତନ ବିଧାୟକ ଯଦୁନାଥ ଦାସ, ସୁର୍ଯ୍ୟମଣୀ ଜେନା, ବ୍ରଜ କିଶୋର ମହାନ୍ତି ଓ ମୁରଲୀଧର କୁଅଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଜପେୟୀଙ୍କ ବିୟୋଗ ଦେଶ ପାଇଁ ଏକ ବିରାଟ କ୍ଷତି । ତାଙ୍କର ଓଡିଶା ପାଇଁ ସ୍ବତନ୍ତ୍ର ଭାବାବେଗ ରହିଥିଲା । ସେ ଜଣେ ନୀତି ଓ ନୈତିକତାର ରାଜନେତା ଥିଲେ ଯିଏକି ଗଣତନ୍ତ୍ରକୁ ସମ୍ମାନ କରୁଥିଲେ । ତାଙ୍କ ବିୟୋଗ ନବୀନଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ଦେଇଥିବା ସେ କହିଥିଲେ ।

ତେବେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବାଜପେୟୀଙ୍କ ଶୋକ ପ୍ରସ୍ତାବ ଉପରେ ନିଜର ବିବୃତ୍ତି ରଖିବାକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଛି । ସେ କହିଥିଲେ ଯେ, ବାୟପେୟୀ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଲଞ୍ଚପ୍ୟାଡ ଦେଇଥିଲେ । ଏପରିକି 2000 ମସିହାରେ ଓଡିଶା ଅର୍ଥନୀତିରେ ଦେଖାଦେଇଥିବା ଓଭରଡ୍ରାଫ୍ଟ ଦୂର ପାଇଁ ବାଜୟେପୀ ସ୍ବତନ୍ତ୍ର ସହାୟତା ଦେଇଥିଲେ । ନବୀନଙ୍କୁ ବାଜପେୟୀ ଲଞ୍ଚପ୍ୟାଡ ଦେଇଥିବା ନେଇ କେଭିଙ୍କ ବିବୃତ୍ତିର ପ୍ରତିବାଦ କରିଥିଲେ ବିଜେଡି ବିଧାୟକମାନେ । ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି ଯେ, ଶୋକବାର୍ତ୍ତାରେ ବିଜେପି ରାଜନୀତି କରିବାକୁ ଚାହୁଁଛି । ଏହା ଓଡିଶା ବିଧାନସଭା ଇତିହାସରେ ଏକ କଳାଦିବସ ହୋଇ ରହିବ ।

ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଶୋକ ପ୍ରସ୍ତାବରେ ଏଭଳି କହିବା ଉଚିତ ନୁହେଁ । ଏହାକୁ ନେଇ ଅଧିକ ବିବାଦ ସୃଷ୍ଟି କରିବା ଦିବଂଗତ ନେତାଙ୍କୁ ଅସମ୍ମାନ ହେବ ।

Share

Leave a Reply

Your email address will not be published. Required fields are marked *

16 + 20 =