ଶାହାଙ୍କ ମିଶନ ପୂରଣର ଚିନ୍ତା ଘାରିଛି

ଭୁବନେଶ୍ବର () : ରାଜ୍ୟ ବିଜେପିକୁ ଘାରିଛି ମିଶନ 120 ଚିନ୍ତା । ଗତ ପଂଚାୟତ ନିର୍ବାଚନ ପରେ ଓଡିଶା ଗସ୍ତରେ ଆସିଥିବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବ ଭାରତରେ ଓଡିଶାରେ ଗଡ ଦଖଲ କରିବାକୁ ଯେଉଁ ଟାକ୍ସ ଦେଇଥିଲେ ତାହା ଏଯାଏଁ ପୂରଣ ହୋଇନି । ବୁଥ ସ୍ତରରେ ଏପର୍ଯ୍ୟନ୍ତ ଶତ ପ୍ରତିଶତ କମିଟି ଗଠନ କରିପାରିନାହାଁନ୍ତି ରାଜ୍ୟ ନେତୃତ୍ବ । ଯାହାକୁ ନେଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ 2019 ନିର୍ବାଚନ ପ୍ରସ୍ତୁତି ନେଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା 14 ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀରେ ଶାହା ଦେଇଥିବା ଟାକ୍ସ ପୂରଣ ସଂପର୍କରେ ରାଜ୍ୟ ନେତୃତ୍ବ ବିସ୍ତ୍ରୁତ ରିପୋର୍ଟ ଦେବ ।

ଆସନ୍ତା ସାଧାରଣ ନିର୍ବାଚନରେ ପୂର୍ବଭାରତକୁ ଦଖଲ କରିବା ଦାୟିତ୍ବ ମୁଣ୍ଡାଇଛନ୍ତି ଦଳର ନିର୍ବାଚନ ମେସିନ ବୋଲାଉଥିବା ଅଧ୍ୟକ୍ଷ ଅମିତ ଶାହା । ପଂଚାୟତ ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ଶାହା 2019ରେ ରାଜ୍ୟ ବିଜେପି ଓଡିଶାରେ 120 ଆସନ ଦଖଲ କରିବ ବୋଲି ଘୋଷଣା କରିବା ସହ ତଦନୁଯାୟୀ ରାଜ୍ୟ ନେତୃତ୍ବ ରଣନୀତି ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶାହାଙ୍କ ଏହି ଟାସ୍କ କେତେଦୂର ପୂରଣ ହୋଇଛି ସେନେଇ ରିପୋର୍ଟ ପ୍ରସ୍ତୁତି ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ସମୀକ୍ଷା ବୈଠକ ବସିଥିଲା ।

ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଉପସ୍ଥିତିରେ ମାନସ ମନ୍ଥନ ହୋଇଛି। ଗତ ମାସରେ ଅମିତ ଶାହା ଦଳୀୟ ସାଂଗଠନିକ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ସହିତ ୧୨୦ ମିଶନର ରଣନୀତିରେ କଣର ଉନ୍ନତି ହୋଇଛି ତାକୁ ନେଇ ସମୀକ୍ଷା ବୈଠକ କରିଥିଲେ । ଶାହା ପଞ୍ଚାୟତ ନିର୍ବାଚନ ପରେ ବୁଥ କମିଟି ଗଠନ ଯୋଜନାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଗଣିତ କହୁଛି, ବୁଥରେ ବିଜୟ ମାନେ ନିର୍ବାଚନରେ ବିଜୟ ।

କିନ୍ତୁ ଶାହାଙ୍କ ଗଣିତକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇନାହାଁନ୍ତି ରାଜ୍ୟ ବିଜେପି ନେତାମାନେ। ରାଜ୍ୟର ପାଖାପାଖି ୩୬ ହଜାର ପୁଲିଙ୍ଗ ବୁଥ ମଧ୍ୟରୁ ବିଜେପି ୨୨ ହଜାର ପୁଲିଙ୍ଗ ବୁଥରେ ବୁଥ୍ କମିଟି ଗଠନ କରିଛି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବାକିଥିବା ପୁଲିଙ୍ଗ ବୁଥରେ ବୁଥ କମିଟି ଗଠନ କାର୍ଯ୍ୟ ଶେଷ କରି ରିପୋର୍ଟ ଦେବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଜଣାପଡିଛି ଯେ, ଶାହା ଦେଇଥିବା ଟାକ୍ସର 70 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ବୁଥ କମିଟି ଗଠନ ରାଜ୍ୟ ବିଜେପି ପାଇଁ ସବୁଠୁ ବଡ ଚ୍ୟାଲେଂଜ ହୋଇଥିବା ବୈଠକରୁ ଜଣାପଡିଛି । ବୁଥ କମିଟି ପାଇଁ ନେତା ଓ କର୍ମୀ ମିଳୁନଥିବାରୁ କମିଟି ଗଠନ ହୋଇପାରୁନି ବୋଲି ବୈଠକରୁ ଜଣାପଡିଛି । କାର୍ଯ୍ୟକାରିଣୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପି ସଭାପତି, ବିଜେପି ବିଧାୟକ ଦଳ ନେତା, ଓଡିଶା ପ୍ରଭାରୀ ଓ ସାଂଗଠନିକ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନେ ଶାହାଙ୍କୁ ଆସନ୍ତା 14 ତାରିଖରେ ଷ୍ଟାଟସ ରିପୋର୍ଟ ଦେବେ ।

Share

Leave a Reply

Your email address will not be published. Required fields are marked *

12 − one =