୫୫% ବିଜେପି ସାଂସଦଙ୍କ ଟିକଟ କଟିବ

ଭୁବନେଶ୍ବର (ନିପ୍ର): ଆରଏସଏସ ପକ୍ଷରୁ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କିନ୍ତୁ ସବୁଠାରୁ ଚିନ୍ତାର କଥା ହେଉଛି ଯେ ବର୍ତ୍ତମାନ ସାଂସଦ ଥିବା ନେତାମାନଙ୍କ ଉପରେ ଜନସାଧାରଣଙ୍କର ଅସନ୍ତୋଷ ଚରମ ସୀମାନେ ପହଞ୍ଚିଛି । ଯଦି ଏହି ଅସେନ୍ତୋଷ ଜାରୀ ରହେ ତେବେ ଆଗାମୀ ନିର୍ବାଚନରେ ବିଜେପିର ୬୦ରୁ ୭୦ ଆସନ ହ୍ରାସ ପାଇପାରେ ବୋଲି ସୁରଜକୁଣ୍ଡଠାରେ ଆୟୋଜିତ ଆରଏସଏସର ସମୀକ୍ଷା ବୈଠକରୁ ଜଣାପଡିଛି । ଏସମ୍ପର୍କରେ ସଂଘ ପକ୍ଷରୁ ବିଜେପି ନେତୃତ୍ବକୁ ଜଣାଇ ଦିଆଯାଇଛି ।

ଆରଏସଏସ ନେତୃତ୍ବଠାରୁ ଏପରି ସୂଚନା ପାଇବା ପରେ ବିଜେପି ନେତାଙ୍କ ଚିନ୍ତା ବଢିଯାଇଛି । ସାଂସଦମାନଙ୍କର ଲୋକପ୍ରିୟତାକୁ ନେଇ ଆରଏସଏସର କରିଥିବା ଆକଳନକୁ ଭିତ୍ତିକରି ଆଗାମୀ ନିର୍ବାଚନରେ ୫୫ ପ୍ରତିଶତ ସାଂସଦମାନଙ୍କୁ ଆଉ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ସୁଯୋଗ ମିଳିବ ନାହିଁ । ଅର୍ଥାତ୍‍ ଏଭଳି ଅଲାକପ୍ରିୟତା ହରାଇଥିବା ସାଂସଦମାନଙ୍କୁ ପାର୍ଟି ପକ୍ଷରୁ ଟିକଟ ମିଳିବ ନାହିଁ । ଏଥିପାଇଁ ଆରଏସଏସର ସୂଚନାକୁ ଭିତ୍ତି କରି ବିଜେପି ସେହି ସବୁ ସ୍ଥାନରେ ବିକଳ୍ପ ନେତା ଖୋଜିବା ଆରମ୍ଭ କରିଦେଇଛି ।

ଲୋକପ୍ରିୟତା ହରାଇଥିବା ସାଂସଦମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଅଛନ୍ତି । ଉତ୍ତରପ୍ରଦେଶରୁ ଏଭଳି ସାଂସଦଙ୍କ ସଂଖ୍ୟା ୩୦ ଥିବା ବେଳେ ମଧ୍ୟପ୍ରଦେଶରେ ୨୦ଜଣ ଅଛନ୍ତି ବୋଲି ଜଣାପଡିଛି । ଏହି ସାଂସଦମାନଙ୍କୁ ୨୦୧୯ରେ ପାର୍ଟି ପକ୍ଷରୁ ପୁଣି ଥରେ ପ୍ରତ୍ୟାଶୀ କରାଗଲେ ସେମାନଙ୍କର ହାରିବା ସୁନିଶ୍ଚିତ ବୋଲି ଆରଏସଏସ ପକ୍ଷରୁ ବିଜେପି ନେତୃତ୍ବକୁ ଜଣାଇ ଦିଆଯାଇଛି । ସୁରଜକୁଣ୍ଡ ବୈଠକର ନିଷ୍ପତ୍ତି ଅନୁସାରେ ଜୁଲାଇ ମାସରୁ ଦେଶର ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତିକୁ ନେଇ ଆରଏସଏସ ପ୍ରଚାରକମାନେ ଆକଳନ ଆରମ୍ଭ କରିବେ । ଏହି ଆକଳନ ଅନୁସାରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯିବ ବୋଲି ସ୍ଥିର ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × 1 =