ମୋର୍ବି ଝୁଲାପୋଲ ଘଟଣା: ଗୁଜରାଟରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ

ମୋର୍ବି ଝୁଲାପୋଲ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ମାନରେ ଆଜି ଗୁଜରାଟରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସମସ୍ତ ସରକାରୀ କୋଠା ଉପରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଏହା ସହ ଆଜି ରାଜ୍ୟରେ କୌଣସି ମନୋରଞ୍ଜନ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ରବିବାର ସନ୍ଧ୍ୟାରେ ମୋର୍ବିର ମଚ୍ଛୁ ନଦୀ ଉପରେ କେବୁଲ ଝୁଲାପୋଲ ଛିଣ୍ଡି ଯିବାରୁ ୧୪୦ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୋଲିସ ଉକ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କମ୍ପାନୀର ୯ ଜଣଙ୍କୁ ଗିରଫ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମୋର୍ବିରେ ପୋଲ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାସ୍ଥଳ ପରିଦର୍ଶନ କରିବା ପୂର୍ବରୁ ସେ ଏହି ଦୁର୍ଘଟଣା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ପୋଲିସ କହିବା ଅନୁସାରେ ପୋଲ ଭାଙ୍ଗିବା ବେଳେ ୫୦୦ ରୁ ଅଧିକ ଲୋକ ଏହା ଉପରେ ଥିଲେ। ଏହି ବ୍ରିଟିଶ ଅମଳ ଝୁଲାପୋଲର କ୍ଷମତା ୧୨୫ ଥିଲା | କିନ୍ତୁ ଘଟଣା ଦିନ ଏହାଠାରୁ ପାଞ୍ଚ ଗୁଣ ଲୋକଙ୍କୁ ଅନୁମତି କିପରି ଦିଆଯାଇଥିଲା ବୋଲି ପ୍ରଶ୍ନ ଉଠିଛି ।

ଅନ୍ୟପକ୍ଷରେ ମୋର୍ବି ଝୁଲାପୋଲ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ନଭେମ୍ବର ୧୪ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ ।

Share

Leave a Reply

Your email address will not be published. Required fields are marked *

19 − thirteen =