ଦୀର୍ଘ ସମୟ ବସି ରହିଲେ ଦୁର୍ବଳ ହେବ ସ୍ମରଣଶକ୍ତି

ଅଫିସରେ କାମ କରିବା ବେଳେ ଦୀର୍ଘ ସମୟ ଧରି ବସିରହିବା ଏକ ସାଧାରଣ ତଥା ନିତିଦିନିଆ ଘଟଣା । ଅଫିସ ଭିତରେ ହେଉ କିମ୍ବା କୌଣସି ବାହାର ସ୍ଥାନରେ ଗତିହୀନ ଭାବେ କ୍ରମାଗତ ୮ ଘଣ୍ଟା ବସିରହି କାମ କରିବାକୁ ପଡ଼େ । ଲମ୍ବା ସମୟ ପର‌୍ୟ୍ୟନ୍ତ ବସିରହିବାର ପ୍ରଭାବ ଏବେ ଲୋକଙ୍କ ସ୍ମରଣଶକ୍ତି ଉପରେ ପଡିବାରେ ଲାଗିଛି । ଏଥିଯୋଗୁ ସ୍ମରଣଶକ୍ତି ଦୁର୍ବଳ ହେଉଛି । ଫଳରେ ମଣିଷ ଅନେକ ସମୟରେ ଜରୁରି କଥାକୁ ଭୁଲି ଯାଉଛନ୍ତି । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ସାମ୍‌ନାକୁ ଆସିଛି ।

ତେବେ ଏହି ଅଧ୍ୟୟନରେ କୁହାଯାଇଛି କି ଯେଉଁମାନେ ଦୈନିକ ୮ ଘଣ୍ଟା ପର‌୍ୟ୍ୟନ୍ତ ଗୋଟିଏ ସ୍ଥାନରେ ବସିରହି କାମ କରୁଛନ୍ତି ସେମାନେ ଦିନକୁ ଅତିକମ୍‌ରେ ୩ ଘଣ୍ଟା ପର‌୍ୟ୍ୟନ୍ତ ଠିଆହୋଇ ରହିବାକୁ ପଡିବ । ଏହା ତାଙ୍କୁ ଲମ୍ବା ଜୀବନ ଜୀଇଁବାରେ ସହାୟକ ହେବ । ଗବେଷଣାରୁ ଜଣାପଡିଛି କି ଠିଆହୋଇ ରହିବା ଫଳରେ ରକ୍ତରେ ଶର୍କରାର ସ୍ତର କମିଯାଏ । ହୃଦ୍‌ରୋଗ ଆଶଙ୍କା ମଧ୍ୟ ହ୍ରାସ ପାଏ । ଏଥିସହିତ ଦିନକୁ ୩ ଘଣ୍ଟା ଠିଆ ହେଉଥିବା ଲୋକମାନେ ଅନ୍ୟମାନଙ୍କ ଅପେକ୍ଷା କମ୍ ଚାପ ଓ ଦୁର୍ବଳ ଅନୁଭବ କରିଥାନ୍ତି ।

ଆମେରିକା ଗବେଷକଙ୍କ କହିବାନୁସାରେ ଲମ୍ବା ସମୟ ଧରି ବସିରହିବା ସହିତ ମାନସିକ ସ୍ୱାସ୍ଥ୍ୟ ଓ ସ୍ମରଣଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । କିନ୍ତୁ ଠିଆହୋଇ ରହିବା ଫଳରେ ନ୍ୟୁରଲ ଏଜିଂ ସହ ଲଢ଼ିବାକୁ ଶକ୍ତି ମିଳିଥାଏ । ଅଧିକ ସମୟ ଗତିହୀନ ଭାବେ ବସିରହିବା ଫଳରେ ମସ୍ତିଷ୍କରେ ସ୍ମରଣଶକ୍ତି ଥିବା କ୍ଷେତ୍ର ମେଡିୟଲ ଟେମ୍ପୋରଲ ଲୋବ ବିଗିଡିବାର ଆଶଙ୍କା ରହିଛି ।

କେବଳ ଏତିକି ନୁହେଁ ଲମ୍ବା ସମୟ ବସିରହିବା ଫଳରେ ଶରୀରର ସବୁ ଅଂଶକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରେ ନାହିଁ । ମସ୍ତିଷ୍କକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇ ନପାରିବା ଫଳରେ କୋଷିକାକୁ ଅମ୍ଳଜାନ ଓ ଅନ୍ୟ ପୋଷକ ତତ୍ତ୍ୱ କମିଯାଏ । କିନ୍ତୁ ଗୋଟିଏ ସ୍ଥାନରେ ବିନା ଚଳପ୍ରଚଳରେ ଲମ୍ବା ସମୟ ପର‌୍ୟ୍ୟନ୍ତ ବସିରହିବା ଫଳରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରଭାବିତ ହୁଏ । ଏହାର ପ୍ରଭାବ ଆମର ଗୋଡ ଉପରେ ମଧ୍ୟ ପଡେ । ଏପରିକି ଗୋଡ ଅଚଳ ହୋଇଯିବାର ଆଶଙ୍କା ମଧ୍ୟ ରହିଛି । ଉଭୟ ମସ୍ତିଷ୍କ ଓ ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତି ଅଧ ଘଣ୍ଟାରେ ଥରେ ଅତିକମ୍‌ରେ ୨ ମିନିଟ୍ ଉଠି ଏପଟସେପଟ ହୋଇ ଚାଲିବା ଉଚିତ । ଏଭଳି କରିବା ଫଳରେ ମସ୍ତିଷ୍କକୁ ଓ ଶରୀରର ବିଭିନ୍ନ ଅଂଶକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରେ ବୋଲି ଉକ୍ତ ଅଧ୍ୟୟନରୁ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

eleven + four =