ଚାରୋଟି ଯାକ ରାଜ୍ୟସଭା ଆସନ ପୁଣି ଥରେ ବିଜେଡିର

ଭୁବନେଶ୍ବର () ଖୁବଶୀଘ୍ର ଓଡିଶାର 4ଟି ରାଜ୍ୟସଭା ଆସନ ଖାଲି ହେବ । ପ୍ରତାପ କେଶରୀ ଦେବ, ଅନୁଭବ ମହାନ୍ତି, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେବା ପରେ ଏହି ଚାରୋଟି ରାଜ୍ୟସଭା ଆସନ ଖାଲିହେବ । ତେବେ ଏହି ଆସନରୁ କିଏ ପ୍ରାର୍ଥୀ ହେବ ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ସଂଖ୍ୟା ଦୃଷ୍ଟିରୁ ଏହାକୁ କିଏ ଅକ୍ତିଆର କରିବ ତାହା ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରାଜ୍ୟସଭା ଗଣିତ କହୁଛି ଚାରୋଟି ଯାକ ଆସନ ବିଜେଡି ଦଖଲ କରିବ ।

ପ୍ରତାପ ଦେବ ଆଳିରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନଟି ଖାଲି ପଡୁଛି । ସେହିଭଳି ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକସଭା ଆସନରୁ ବିଜୟୀ ହେବା ପରେ ସେ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବେ । ସେହିଭଳି ସୌମ୍ୟ ରଂଜନ ଖଣ୍ଡପଡା ବିଧାନସଭା ଏବଂ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭାରୁ ନିର୍ବାଚିତ ହେବା ପରେ ସେହି ଦୁଇଟି ରାଜ୍ୟସଭା ଆସନ ମଧ୍ୟ ଖାଲି ହେବ । ସେ ମଧ୍ୟରୁ ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ 2020ରେ ଶେଷ ହେଉଥିବା ବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ 2022 ଏବଂ ସୌମ୍ୟ ରଂଜନ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳ 2024ରେ ଶେଷ ହେବ ।

ଏହି ଚାରୋଟି ଯାକ ଆସନ ପାଇଁ ଖିବଶୀଘ୍ର ଉପନିର୍ବାଚନ ହେବ । ରାଜ୍ୟସଭା ଆସନ ପାଇଁ ହେଉଥିବା ଉପନିର୍ବାଚନର ଗଣିତ କହୁଛି ବିଧାନସଭାର ମୋଟ ଆସନ ସଂଖ୍ୟାର 50 ପ୍ରତିଶତରୁ ପ୍ଲସ ଏକ ଅର୍ଥାତ 74ଜଣ ବିଧାୟକଙ୍କ ସମର୍ଥନ ମିଳିଲେ ଜଣେ ଜିତିପାରିବେ । ଏହିଦୃଷ୍ଟିରୁ ଦେଖିବାକୁ ଗଲେ କଂଗ୍ରେସ କି ବିଜେପି ଏକାକି କିମ୍ବା ମିଳିତ ଭାବେ ଜଣଙ୍କୁ ହେଲେ ଜିତାଇପାରିବେ ନାହିଁ । କେବଳ ବିଜେଡି ହାତରେ 112 ବିଧାୟକ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଶକ୍ତି ଥିବାରୁ ଚାରୋଟି ଯାକ ଆସନ ପୁଣି ଥରେ ବିଜେଡି ଦଖଲ କରିବ ବୋଲି ବିଜେଡି ନେତାମାନେ ଦାବି କରିଛନ୍ତି ।

ବିଜେପି କହିଛି ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ସହମତି ଭିତ୍ତିରେ ପ୍ରାର୍ଥୀ କରାଗଲେ ସେମାନେ ସମର୍ଥନ କରିପାରନ୍ତି । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ସେମାନେ ଏକାକି ଯେ, ପ୍ରାର୍ଥୀ ଜିତାଇ ପାରିବେନି ଏକଥା ସେମାନେ ସ୍ବିକାର କରିଛନ୍ତି ।  ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଯଦିଓ ସଂଖ୍ୟା ଗଣିତରେ ବିଜେଡି ଚାରୋଟି ଯାକ ଆସନ ଦଖଲ କରିବ, ବିଜେଡି ସୁପ୍ରିମୋ କାହାକୁ ପ୍ରାର୍ଥୀ କରିବେ ତାହା ଏକ ଜଟିଳ ବ୍ୟାପାର । କାରଣ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭାକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଥିଲା ବେଳେ ନିର୍ବାଚନ ହାରିଥିବା ବହୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ବି ରେସରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 1 =