ନିୟମିତ ହେଲେ ଠିକା ସ୍ବାସ୍ଥ୍ୟ କର୍ମୀ, ୮୧୯୫ କର୍ମଚାରୀ ଉପକୃତ

ଭୁବନେଶ୍ବର () : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ବିଭିନ୍ନ ସ୍କିମ୍ ଓ ସୋସାଇଟି ମାଧ୍ୟମରେ ଠିକା ନିଯୁକ୍ତି ପାଇ ୬ବର୍ଷ ଧରି ନିୟମିତ ଭାବେ କାର୍ଯ୍ୟ କରିସାରିଥିବା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ନିୟମିତ ସରକାରୀ କର୍ମଚାରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ତଦନୁଯାୟୀ ଠିକାରେ କାର୍ଯ୍ୟ କରୁଥିବା ଷ୍ଟାଫନର୍ସ, ଲାବ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀମାନେ ନିୟମିତ ହେବେ । ୬ବର୍ଷରୁ କମ୍ ସମୟ ଧରି ନିୟମିତ କାର୍ଯ୍ୟ କରୁଥିବା ଏହି ବର୍ଗର କର୍ମଚାରୀମାନେ ଏଣିକି ନିୟମିତ ଠିକା କର୍ମଚାରୀ ଭାବେ ବିବେଚିତ ହେବେ ଏବଂ ୬ବର୍ଷ ପୂରଣ କରିବାପରେ ଏମାନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ନିୟମିତ କରାଯିବ । ଏହି ନିଷ୍ପତି ଯୋଗୁଁ ସଂପୃକ୍ତ ସମସ୍ତ ଠିକା କର୍ମଚାରୀ ଏବେ ସରକାରୀ ବ୍ୟବସ୍ଥାରେ ଅର୍ନ୍ତଭୁକ୍ତ ହୋଇପାରିଛନ୍ତି ।

କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ଅଧିନରେ ୩୯୯୮ ଜଣ ଠିକା ଷ୍ଟାଫନର୍ସ କାର୍ଯ୍ୟ କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୬ବର୍ଷ ପୂରଣ କରିଥିବା ୧୪୦୯ ଜଣ ନିୟମିତ ସରକାରୀ କର୍ମଚାରୀ ହେବେ । ୬ବର୍ଷରୁ କମ୍ ସମୟଧରି କାର୍ଯ୍ୟ କରୁଥିବା ୨୫୮୯ଜଣ ନିୟମିତ ଠିକା କର୍ମଚାରୀ ଭାବେ ପରିଗଣିତ ହେବେ । ସେହିଭଳି ଠିକାରେ କାର୍ଯ୍ୟ କରୁଥିବା ୭୯୯ ଜଣ ଲାବ ଟେକ୍ନିସିଆନଙ୍କ ମଧ୍ୟରୁ ୨୨୭ ଜଣ ନିୟମିତ ହେବେ ଓ ଅବଶିଷ୍ଟ ୫୭୨ ଜଣ ୬ ବର୍ଷ କାର୍ଯ୍ୟ କରିସାରିବା ପରେ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା ପାଇବେ । ଠିକାରେ କାର୍ଯ୍ୟ କରୁଥିବା ମୋଟ୍ ୬୮ଜଣ ଫର୍ମାସିଷ୍ଟଙ୍କ ମଧ୍ୟରୁ ନିୟମିତ ଭାବେ ୬ ବର୍ଷ କାର୍ଯ୍ୟ କରିଥିବା ୪୮ ଜଣ ନିୟମିତ ସରକାରୀ କର୍ମଚାରୀ ହୋଇଥିବାବେଳେ ଅନ୍ୟ ୨୦ଜଣ ନିୟମିତ ଠିକା କର୍ମଚାରୀ ଭାବେ ପରିଗଣିତ ହେବେ । ସେହିଭଳି ମୋଟ୍ ୧୨ଜଣ ଠିକା ରେଡିଓଗ୍ରାଫରଙ୍କ ମଧ୍ୟରୁ ୫ଜଣ ନିୟମିତ ହୋଇଥିବାବେଳେ ୭ଜଣ ନିୟମିତ ଠିକା କର୍ମଚାରୀ ଭାବେ ବିବେଚିତ ହେବେ । ଠିକାରେ କାର୍ଯ୍ୟରତ ୨୭୩୦ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ନିୟମିତ ୬ବର୍ଷ କାର୍ଯ୍ୟ କରିଥିବା ୨୦୫୧ ଜଣ ନିୟମିତ ହୋଇଥିବାବେଳେ ଅବଶିଷ୍ଟ ୬୭୯ଜଣ ୬ବର୍ଷ ପୂରଣ କରିବାପରେ ଏହି ମାନ୍ୟତା ପାଇବେ ।

ସେହିଭଳି ଠିକାରେ କାର୍ଯ୍ୟରତ ସମସ୍ତ ୫୮୮ ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ ନିୟମିତ ଭାବେ ୬ବର୍ଷ କାର୍ଯ୍ୟ କରିଥିବାରୁ ସରକାର ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀ କରିଛନ୍ତି । ଠିକାରେ ନିଯୁକ୍ତ ହୋଇଥିବା ଏହି କର୍ମଚାରୀମାନଙ୍କୁ ସରକାର ନିୟମିତ ସରକାରୀ କର୍ମଚାରୀ ଓ ନିୟମିତ ଠିକା କର୍ମଚାରୀର ମାନ୍ୟତା ଦେବାପରେ ଏଥିପାଇଁ ବର୍ଷକୁ ଅତିରିକ୍ତ ପ୍ରାୟ ୧୭୨ କୋଟି ଟଙ୍କା ବ୍ୟୟ କରିବେ ।

Share

Leave a Reply

Your email address will not be published. Required fields are marked *

18 − twelve =