୨୦୧୮-୧୯କୁ  ନବଜାତ ଶିଶୁ ଯତ୍ନ ବର୍ଷ ଭାବେ ପାଳନ କରାଯିବ

ଭୁବନେଶ୍ବର () ଆଜିଠାରୁ ଆରମ୍ଭ ହୋଇଛି ନବଜାତ ଯତ୍ନ ସପ୍ତାହ । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିବା ସହିତ ସମୟ ପୂର୍ବରୁ ଏବଂ କମ୍ ଓଜନ ଜନ୍ମିତ ଶିଶୁଙ୍କ ଚିକିତ୍ସା ଓ ଯତ୍ନ ନିମନ୍ତେ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡିକରେ ନିୟୋଜିତ ଡାକ୍ତର ଓ କର୍ମଚାରୀମାନଙ୍କ ତାଲିମ୍ ନିମନ୍ତେ ତାଲିମଦାତା ମାନଙ୍କର ତାଲିମ୍ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦାଇ ସେ କହିଛନ୍ତି ଯେ, ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ନିମନ୍ତେ ପ୍ରାଧାନ୍ୟ ଦିଆଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ଗତ ୧୦ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାର ୬୫ ରୁ କମି ବର୍ତମାନ ୪୦ ହୋଇଛି । ଶିଶୁ ମୃତ୍ୟୁ ହାରର ପ୍ରମୁଖ ଅଂଶ ଭାବେ ନବଜାତ ଶିଶୁଙ୍କ ମୃତ୍ୟୁ । ଅପରିପକ୍ବ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା, ଜୀବାଣୁ ସଂକ୍ରମଣ ଏବଂ ଜନ୍ମ ସମୟରେ ଜଟିଳତା ଏହାର କାରଣ । ତେବେ ବର୍ତମାନ ଆରାଜ୍ୟରେ ଆନୁଷ୍ଠାନିକ ପ୍ରସବ ହାର ୮୫ ପ୍ରତିଶତରୁ ଅଧିକ ହେଲାଣି । ଏହାକୁ ଆହୁରି ବଢାଇବାକୁ ହେବ । ରାଜ୍ୟର ସମସ୍ତ ୩୦ ଟି ଯାକ ଜିଲ୍ଲାରେ ବର୍ତମାନ ୩୭ ଟି ଏସ୍.ଏନ୍.ସି.ୟୁ କାର୍ଯକ୍ଷମ ହୋଇଛି । ଏଠାରେ ତାଲିମ୍ପ୍ରାପ୍ତ ଡାକ୍ତର ଓ ନର୍ସମାନଙ୍କ ଦ୍ବାରା ଚିକିତ୍ସା କରାଯାଉଛି ।

ଗତ ବର୍ଷ ୪୬ ହଜାରରୁ ଉଦ୍ଧ୍ୱର୍ ଶିଶୁ ଏସ୍.ଏନ୍.ସି.ୟୁଗୁଡିକରେ ଚିକିତ୍ସିତ ହୋଇଛନ୍ତି । ୨୦୧୮-୧୯ ବର୍ଷକୁ ନବଜାତ ଶିଶୁ ଯତ୍ନ ବର୍ଷ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଏହି ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଶାକର୍ମୀ , ଏ.ଏନ୍.ଏମ୍ , ଅଙ୍ଗନବାଡି କର୍ମୀ , ଶିକ୍ଷକ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ , ସ୍ବେଚ୍ଛାସେବୀ ସଂଗଠନ ଏବଂ ପଂଚାୟତ ସମିତି ସଭ୍ୟସଭ୍ୟାମାନଙ୍କୁ ନବଜାତ ଶିଶୁ ଯତ୍ନ ସଂପର୍କରେ ସଚେତନ କରାଯିବ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ତାଙ୍କ ଭାଷଣରେ ରାଜ୍ୟରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରି ଆଗାମୀ ଦିନରେ କିପରି ଆହୁରି ଅଧିକ ଉନ୍ନତି କରାଯାଇପାରିବା ସଂପର୍କରେ ଆଲୋଚନା କରିଥିଲେ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଛି ତାକୁ ଅଧିକ କ୍ରିୟାଶୀଳକରି ଆଗୋଇ ନେବାକୁ ଏବଂ ଡାକ୍ତର ଓ ପାରାମେଡିକ୍ କର୍ମଚାରୀମାନେ ନିଜନିଜର ଦକ୍ଷତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ ।

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରି ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଦିଗରେ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ସହାୟତାରେ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ । ଏହା ମାଧ୍ୟମରେ ରାଜ୍ୟର ଅପହଂଚ ଅଂଚଳମାନଙ୍କରେ ଗର୍ଭବତୀ ମହିଳା ଓ ରୋଗଗ୍ରସ୍ତ ଶିଶୁମାନଙ୍କ ଚିହ୍ନଟ କରାଯାଇ ଆବଶ୍ୟକ ସ୍ଥଳେ ନକଟସ୍ଥ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା ହୋଇଛି । ବର୍ତମାନ ନବଜାତକଙ୍କ ପାଇଁ ୩୭ ଟି ଏସ୍.ଏନ୍.ସି.ୟୁ , ପୁଷ୍ଟିହୀନ ଶିଶୁଙ୍କ ପାଇଁ ୬୨ ଟି ପୁଷ୍ଟିସାଧନ କେନ୍ଦ୍ର କାର୍ଯ୍ୟ କରୁଛି । ସେହିପରି ୧୦୮ ଓ ୧୦୨ ବ୍ୟତିତ ଅପହଂଚ ଇଲାକାରୁ ମହିଳା ଓ ଶିଶୁମାନଙ୍କୁ ଚିକିତ୍ସା ପାଇଁ ଆସିବା ନିମନ୍ତେ ବାଟଖର୍ଚ୍ଚ , ନବଜାତ ଶିଶୁମାନଙ୍କ ପାଇଁ ଜନ୍ମପରେ ପୋଷାକ ପ୍ରଦାନ ଏବଂ ୨୫୦୦ ଗ୍ରାମରୁ କମ୍ ଓଜନର ଶିଶୁ ଥିଲେ ଆଶାମାନେ ଶିଶୁଙ୍କ ଘରକୁ  ୧୫ ମାସ ପର୍ଯ୍ୟନ୍ତ ଯାଇ ଦେଖାଶୁଣା କରିବାର ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଥିଲେ ।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଏସ୍.ଏନ୍.ସି.ୟୁରେ ଶ୍ରେଷ୍ଠ ପ୍ରଦର୍ଶ କରିଥିବା ନୟାଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପ୍ରଥମ, ରାୟଗଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୨ୟ ଏବଂ ଦେବଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୩ୟ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ନିଜଘରେ ଜନ୍ମିତ ଶିଶୁମାନଙ୍କ ଯତ୍ନ କ୍ଷେତ୍ରରେ ସୁନ୍ଦରଗଡ ଜିଲ୍ଲାକୁ ପ୍ରଥମ , ସୋନପୁର ଜିଲ୍ଲାକୁ ୨ୟ ଏବଂ ବୌଦ୍ଧ ଜିଲ୍ଲାକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

thirteen − twelve =