ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା ଲାଗୁ କଲା ଟିପିଏସ୍‌ଓଡିଏଲ୍‌

ଗ୍ରୀଷ୍ମ କାଳରେ ସୁରକ୍ଷା ଓ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ପ୍ରାଥମିକତା
୪୮,୭୫୧ ବର୍ଗ କିଲୋମିଟର ଅଞ୍ଚଳରେ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକ୍ଷମ
ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ
ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ କାଳରେ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ଟିପିଏସ୍‌ଓଡିଏଲ୍‌(ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ସର୍ବାଧିକ ଗୁରୁତ୍ୱ ଦେଉଛି । ସୁରକ୍ଷା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନପୂର୍ବକ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଏହି ଦିଗରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ପ୍ରାଥମିକତା ଦେଇ କମ୍ପାନୀ ନିଜର ସମସ୍ତ ସ୍ଥାନରେ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥାକୁ ଲାଗୁ କରିଛି । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି ।
ଡ୍ରୋନ୍ ନିରୀକ୍ଷଣ ମାଧ୍ୟମରେ ବିଜୁଳି ଭିତ୍ତିଭୂମିର ନିରୀକ୍ଷଣ ଅଧିକ ସଠିକ ହୋଇପାରିଛି । ରିଅଲ୍ ଟାଇମ୍ ଏରିୟାଲ୍ ଭ୍ୟୁ ଦ୍ୱାରା କାର୍ଯ୍ୟରତ କର୍ମଚାରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରାଯାଉଛି । ବ୍ୟକ୍ତିଗତ ଭାବେ କର୍ମଚାରୀମାନଙ୍କୁ ବିଜୁଳି ଭିତ୍ତିଭୂମି ପାଖରେ ପହଞ୍ଚି ସ୍ଥିତି ଯାଞ୍ଚ କରିବାକୁ ପଡ଼ୁନାହିଁ । ବିଶେଷ କରି ଭୌଗୋଳିକ ଦୃଷ୍ଟିକୋଣରୁ ଦୁର୍ଗମ ଅଞ୍ଚଳଗୁଡ଼ିକରେ ବିଜୁଳି ଭିତ୍ତିଭୂମିଗୁଡ଼ିକର ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରାଯାଇପାରୁଛି । ସେହିଭଳି ଲାଇନମ୍ୟାନ୍ ତଥା ଅନ୍ୟ କର୍ମଚାରୀମାନେ କାର୍ଯ୍ୟ କରିବା ବେଳେ ସୁରକ୍ଷା ସରଞ୍ଜାମ ବ୍ୟବହାର କରୁଛନ୍ତି କି ନାହିଁ ତାହା ଉପରେ ନଜର ରଖାଯାଇପାରୁଛି । ଯାହାଫଳରେ ବିଜୁଳି ସୁରକ୍ଷା ସୁନିଶ୍ଚିତ ହେଉଛି ।
ଏହି ପ୍ରଯୁକ୍ତି ବିଦ୍ୟାସମ୍ପର୍ଣ୍ଣ ନିରୀକ୍ଷଣ ବ୍ୟବସ୍ଥା ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା, ଯଥା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧରେ ଲାଗୁ ହୋଇଛି । ଘନ ଜଙ୍ଗଲ, ପାହାଡ଼-ପର୍ବତ ତଥା ଦୁର୍ଗମ ଅଞ୍ଚଳରେ ଭରା ଦକ୍ଷିଣ ଓଡ଼ିଶାର ୪୮,୭୫୧ ବର୍ଗ କିଲୋମିଟର ଅଞ୍ଚଳରେ ଏହି ଡ୍ରୋନ୍ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି ।
ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥାରେ ଡ୍ରୋନ୍ ବିଜୁଳି ଭିତ୍ତିଭୂମିଗୁଡ଼ିକର ଫଟୋ ଓ ଭିଡିଓ ଉତ୍ତୋଳନ କରେ । ଡ୍ରୋନରେ ଥିବା ଥର୍ମାଲ ଭିଜନ୍ କ୍ୟାମେରା ବିଜୁଳି ଉପକରଣରେ ଥିବା ବୈଦ୍ୟୁତିକ ତ୍ରୁଟି ଓ ହିଟ୍‌-ଅପ୍ ସ୍ପଟକୁ ଚିହ୍ନଟ କରେ । ସାଧାରଣତଃ ଏହି ବୈଦ୍ୟୁତିକ ତ୍ରୁଟିଗୁଡ଼ିକ ଖାଲି ଆଖିକୁ ଦେଖାଯାଏନାହିଁ । ଯାହା ଥର୍ମାଲ ଭିଜନ୍ କ୍ୟାମେରାରେ ସ୍ପଷ୍ଟ ଜାଣିହୁଏ । ଡ୍ରୋନ୍ ମାଧ୍ୟମରେ ତ୍ରୁଟି ଚିହ୍ନଟ ହେବା ପରେ ମାନୁଆଲ ପଦ୍ଧତିରେ ରିପୋର୍ଟ ପ୍ରସ୍ତୁତ କରାଯାଏ । ଆବଶ୍ୟକୀୟ ପଦକ୍ଷେପ ପାଇଁ ରିପୋର୍ଟକୁ ଅପରେସନ୍ ଓ ପ୍ରୋଜେକ୍ଟ ବିଭାଗକୁ ପଠାଯାଇଥାଏ । ଏହି ପଦ୍ଧତି ବିଜୁଳି ଯୋଗାଣ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ଭରସାଯୋଗ୍ୟ ଓ ସୁରକ୍ଷିତ ବିଜୁଳି ସେବାକୁ ସୁନିଶ୍ଚିତ କରେ ।
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା ଆମର ସୁରକ୍ଷା କ୍ଷେତ୍ରକୁ ପ୍ରାଧ୍ୟାନ୍ୟ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ବିଶେଷ କରି ଗ୍ରୀଷ୍ମ କାଳରେ ଆମେ ଉପଭୋକ୍ତାଙ୍କୁ ସର୍ବୋତ୍ତମ ସେବା ଦେବାକୁ ପ୍ରତିଶ୍ରୁତିବଦ୍ଧ ।”

Share

Leave a Reply

Your email address will not be published. Required fields are marked *

four + sixteen =