Business

ରାୟଗଡ଼ା ନୂଆ ୩୩ କେଭି ଲାଇନ ସ୍ଥାପନ କଲା ଟିପିଏସ୍ଓଡିଏଲ୍

• ଗୁଣୁପୁର ଅଞ୍ଚଳର ୮୭ ଗ୍ରାମର ବିଜୁଳି ସେବା ସୁଦୃଢ଼

ବ୍ରହ୍ମପୁର, ମଇ: ଚଳିତ ଗ୍ରୀଷ୍ମ ପ୍ରବାହରେ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଭିତ୍ତିଭୂମି ରକ୍ଷଣାବେକ୍ଷଣ ତଥା ନବୀକରଣ କାର୍ଯ୍ୟ ଜାରି ରଖିଛି। କମ୍ପାନୀ ରାୟଗଡ଼ା ଜିଲ୍ଲା ଗୁଣପୁର ଗ୍ରୀଡ ସବଷ୍ଟେସନଠାରୁ ବିକ୍ରମପୁର ପ୍ରାଇମେରୀ ସବଷ୍ଟେସନ (ପିଏସଏସ)ପର୍ଯ୍ୟନ୍ତ ଏକ ୯ କିଲୋମିଟର ଦୂରତା ବିଶିଷ୍ଟ ନୂତନ ୩୩ କେଭି ଲାଇନ ସ୍ଥାପନ କରିଛି ।

ପୂର୍ବରୁ ବିକ୍ରମପୁର ପ୍ରାଇମେରୀ ସବଷ୍ଟେସନ ଅନ୍ତର୍ଗତ ଉପଭୋକ୍ତାମାନେ ୨୭ କିଲୋମିଟର ଦୂରରେ ଥିବା ଆଖୁସିଙ୍ଗି ଗ୍ରୀଡ୍ ସବଷ୍ଟେସନରୁ ୩୩ କେଭି ଲାଇନ ଯୋଗେ ବିଜୁଳି ସେବା ପାଉଥିଲେ । ଦୂରତା ଓ ପୁରୁଣା ଲାଇନ କାରଣରୁ ସଂପୃକ୍ତ ଅଞ୍ଚଳରେ ନିରନ୍ତର ବିଜୁଳି ଯୋଗାଣରେ ସମସ୍ୟା ଦେଖାଦେଉଥିଲା । ମାତ୍ର ସଂପ୍ରତି ନୂଆ ଲାଇନ ସ୍ଥାପନ ହୋଇଥିବା ହେତୁ ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୭ ଗ୍ରାମର ୪୬୭୦ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା ଅଧିକ ଭରସାଯୋଗ୍ୟ ବିଜୁଳି ସେବା ମିଳୁଛି ।

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର, ମରମ, ଗୋଟଳପଦର, ଶିରିଝୋଲି ଓ ବାଘଶାଳା ପଞ୍ଚାୟତ ଓ ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୁଲୁମୁଣ୍ଡା ଓ ଉକାମ୍ବା ପଞ୍ଚାୟତର ବିଜୁଳି ଉପଭୋକ୍ତାମାନେ ଏହି ନୂତନ ୩୩ କେଭି ବିଜୁଳି ଲାଇନର ସେବା ପାଉଛନ୍ତି । ଏହି ସବୁ ଅଞ୍ଚଳରେ ଥିବା ଲୋ-ଭୋଲଟେଜ୍ ଓ ବିଜୁଳି ବ୍ୟାହତ ଜନିତ ସମସ୍ୟା ଦୂର ହୋଇଛି ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ । ଗୁଣପୁରରୁ ବିକ୍ରମପୁର ମଧ୍ୟରେ ନୂଆ ୩୩ କେଭି ଲାଇନ ଏହି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହାଦ୍ୱାରା ସଂପୃକ୍ତ ଅଞ୍ଚଳରେ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଜୁଳି ସେବା ମିଳିବ । ଆଗାମୀ ଦିନରେ ମଧ୍ୟ କମ୍ପାନୀ ନିଜର ଉପଭୋକ୍ତାଙ୍କ ସେବା କ୍ଷେତ୍ରରେ ନିବେଶ ଜାରି ରଖିବ ।“

Share

Leave a Reply

Your email address will not be published. Required fields are marked *

19 − five =