ଦୀର୍ଘସ୍ଥାୟୀ ଚାଷ ଓ ମହିଳା ବିକାଶ ଉପରେ ଗୁରୁତ୍ୱାରୋପ ସହ ଟାଟା ଷ୍ଟିଲ୍ ଫାଉଣ୍ଡେସନର “ଅସ୍ମିତା’ କାର୍ଯ୍ୟକ୍ରମର ସମାପନ

ବାଲିଆପାଳ ଅଂଚଳର ଗ୍ରାମର ୩୫୦ ମହିଳା ଓ ଚାଷୀଙ୍କ ଅଂଶଗ୍ରହଣ

୧୦,୦୦୦ ଚାଷୀଙ୍କ ପାଖରେ ପହଂଚିବା ଲକ୍ଷ୍ୟ

କ୍ଷେତରେ ଡ୍ରୋନ୍ ଭିତିକ ଇନ୍‌ପୁଟ୍‌ର ପ୍ରଦର୍ଶନ ଅନୁଷ୍ଠିତ

ବାଲିଆପାଳ: ବାଲିଆପାଳର ବାଲିଆପାଳ ଶାରିରୀକ ଶିକ୍ଷା କଲେଜରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ସହଯୋଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମ “ଅସ୍ମିତା’ର ସମାପନ ହୋଇଛି । ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଉଦ୍ୟୋଗ ବିକାଶ, ପରିବେଶ, ଜଳବାୟୁ ପରିବର୍ତନ ଓ ଜଳ ସଂରକ୍ଷଣ ଉପରେ ଆଲୋଚନା କରିବା । ଏଥିପାଇଁ ଛାତ୍ରଛାତ୍ରୀ, ଯୁବବର୍ଗ, ମହିଳା ଓ ଚାଷୀମାନଙ୍କୁ ଏକତ୍ରୀତ କରି ସକାରାତ୍ମକ ପରିବର୍ତନକୁ ନେଇ ସଚେତନତା ସୃଷ୍ଟି ଏବଂ ତାହାର ପ୍ରସାର କରାଯାଇଥିଲା ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏଥିରେ ୩୫୦ରୁ ଅଧିକ ମହିଳା ଓ ଚାଷୀ ଅଂଶଗ୍ରହଣ କରିଥିଲେ । ଟିଏସ୍‌ଏଫ୍‌ର ତାଲିମ କାର୍ଯ୍ୟକ୍ରମର ଅଂଶ ଥିବା ଚଉମୁଖ, ଡଗରା, ପ୍ରତାପପୁର ଓ ଶ୍ରୀରାମପୁର ଗ୍ରାମ ପଂଚାୟତର ୧୯୦ରୁ ଅଧିକ ମହିଳା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଅତିଥିମାନଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମହିଳା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଦଳ ମଧ୍ୟରେ ଉଦ୍ୟୋଗ ବିକାଶର ପ୍ରସାର କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହା ବ୍ୟତୀତ ବିଶେଷଜ୍ଞମାନେ କୃଷି କ୍ଷେତ୍ରରେ ସଦ୍ୟତମ ଧାରା ଉପରେ ମଧ୍ୟ ଆଲୋଚନା କରିଥିଲେ ଯାହାକୁ ଚାଷୀମାନେ ଗ୍ରହଣ କରିପାରିବେ ।
ବାଲେଶ୍ୱରର ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରକାଶ ସିଂହ, ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ଶତପଥୀ, ଓୟୁଏଟିର ପୂର୍ବତନ କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ଓ ଭୁବନେଶ୍ୱରର ଓଡ଼ିଶା ଜୀବିକା ମିସନ୍‌ର ରାଜ୍ୟ ଜୀବିକା ସଂଯୋଜକ ଡକ୍ଟର ବିଭୁ ସନ୍ତୋଷ ବେହେରା ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସ୍ୱାବଲମ୍ବୀ ହେବା ଲାଗି ନିଜକୁ ଅଧିକ ଚଳଚଂଚଳ କରିବା ଏବଂ ଟିଏସ୍‌ଏଫ୍ ପ୍ରଦାନ କରୁଥିବା ତାଲିମରୁ ଶିଖିବା ଲାଗି ସାଗରିକା ନାଥ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଚାଷୀମାନଙ୍କୁ ସହଯୋଗ କରିବାରେ ନୂତନ ଜ୍ଞାନକୌଶଳର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯଦ୍ୱାରା ସେମାନେ ଆଧୁନିକ ଚାଷ ପଦ୍ଧତିକୁ ଗ୍ରହଣ କରିପାରିବେ ।
ପ୍ରକାଶ ସିଂହ କହିଥିଲେ ଯେ ଶିକ୍ଷା, ନିଯୁକ୍ତି, ନିଯୁକ୍ତି ଯୋଗ୍ୟ ଯୋଗ୍ୟତା ଓ ଉଦ୍ୟୋଗ ବିକାଶ ଉପରେ ଗୁରୁତ୍ୱ ସହ ସମାଜ ବିକାଶ ପାଇଁ ଏସ୍‌ପିପିଏଲ୍ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ଉଦ୍ୟମରେ ସାମିଲ ରହିଛି ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ସମନ୍ୱିତ ଚାଷ ପାଇଁ ଚାଷୀମାନଙ୍କୁ ସାହାଯ୍ୟ କରି ଆସନ୍ତା ପାଂଚ ବର୍ଷରେ ବସ୍ତା ଓ ବାଲିଆପାଳ ବ୍ଲକ୍‌ର ୧୦,୦୦୦ ଚାଷୀଙ୍କ ପାଖରେ ପହଂଚିବା ।
ସମନ୍ୱିତ ଚାଷ, ଅର୍ଗାନିକ ଚାଷ, ଛତୁ ଚାଷ, ଦୁଗ୍ଧ ଚାଷ, ପ୍ରାଣିଧନ ପାଳନ କରିବା, ଚାଷରେ ନୂଆ ପ୍ରଯୁକ୍ତିର ବ୍ୟବହାର, ପରିବେଶ-ସ୍ଥାୟୀ ଫସଲ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପ୍ରାକୃତିକ ଚାଷ, ଜିରୋ ବଜେଟ୍ ଚାଷ, ଆୟର ବିବିଧକରଣ ଏବଂ ଫସଲ ବିବିଧକରଣ ଆଦି ବିଷୟ ଉପରେ ବସ୍ତା ଓ ବାଲିଆପାଳର ଚାଷୀମାନଙ୍କୁ ଅବଗତ କରାଯାଇଥିଲା । କୃଷି ଯାନ୍ତ୍ରିକୀକରଣର ପ୍ରସାର କରିବା କ୍ଷେତ୍ରରେ ଡ୍ରୋନ୍ ମାଧ୍ୟମରେ ଇନ୍‌ପୁଟ୍ ପ୍ରୟୋଗ ସମ୍ପର୍କରେ ସୂଚନା ପ୍ରଦାନ କରିବା ଲାଗି ଏକ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓୟୁଏଟିର ପୂର୍ବତନ ପ୍ରଫେସର ଡକ୍ଟର ଅଦ୍ୱୈତ୍ୱ କୁମାର ପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ନିର୍ଦେଶାଳୟର ଅଂଶୁମାନ ପଟ୍ଟନାୟକ, ମତ୍ସ୍ୟ ସଂଯୋଜନ-ମହାସଂଘର ରାଜ୍ୟ ଉପଦେଷ୍ଟା ସୁବାସ ଚନ୍ଦ୍ର ଦାଶ, ବାଲିଆପାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସ୍ୱାଗତିକା ସାହୁ ଓ ବାଲେଶ୍ୱରର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନିତ୍ୟାନନ୍ଦ ଦାସ ଓ ଏସ୍‌ପିପିଏଲ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

three × 4 =