ଓଏମ୍‌ସି ପକ୍ଷରୁ ଆଲୁମିନା ରିଫାଇନାରିକୁ କଂଚାମାଲ ଯୋଗାଣ ପାଇଁ ହିଣ୍ଡାଲ୍‌କୋ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନସ୍ଥ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାରେ ଥିବା ରିଫାଇନାରି ପ୍ରକଳ୍ପକୁ ଦୀର୍ଘକାଳୀନ କଂଚାମାଲ ଯୋଗାଣ ପାଇଁ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଏମ୍‌ସିର ଏମ୍‌ଡି ବଲ୍‌ୱନ୍ତ ସିଂହ ଓ ହିଣ୍ଡାଲ୍‌କୋର ଏମ୍‌ଡି ସତୀଶ ପାଇ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ବଳରେ ରାଗୟଡ଼ାରେ ଦୁଇ ନିୟୁତ ଟନ୍ ଆଲୁମିନିୟମ ଆଲୁମିନିୟମ ରିଫାଇନାରିର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।
ଏହି ବୁଝାମଣାକୁ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଭାବେ ଅଭିହିତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୂର୍ବାଚଂଳର ଶିଳ୍ପ ହବ୍ ଭାବେ ଓଡ଼ିଶା ଉଭା ହୋଇଛି । ଆସନ୍ତୁ ମିଳିତ ଭାବେ ଏଭଳି ଏକ ଭବିଷ୍ୟତ ଗଠନ କରିବା ଯେଉଁଠାରେ ବ୍ୟବସାୟ ଏବଂ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ହାତରେ ହାତ ମିଶାଇ ଆଗକୁ ବଢ଼ିପାରିବ ଯାହା ଓଡ଼ିଶାକୁ ଦୁନିଆର ଏକ ଉଜ୍ୱଳ ଉଦାହରଣରେ ପରିଣତ କରିବ ।’’
ଋିଫାଇନାରି ପ୍ରକଳ୍ପକୁ ସମର୍ଥନ ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଯାହା ଫଳରେ କାମ ଶୀଘ୍ର ଆରମ୍ଭ ହୋଇପାରିବ ଏବଂ ସ୍ଥାନୀୟ ଲୋକଙ୍କ ଜୀବନ ଉପରେ ପରିବର୍ତନ ସ୍ପଷ୍ଟ ପ୍ରତିଫଳିତ ହେବ ।
ଗତ ଜୁନ୍‌ରେ ରାଜ୍ୟ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ଏକ ଦୀର୍ଘକାଳୀନ ଲିଙ୍କେଜ ନୀତି ଘୋଷଣା କରିଥିଲେ ଯାହାକୁ ଓଡ଼ିଶା ଖଣି ନିଗମ ଲିମିଟେଡ୍ (ଓଏମ୍‌ସି) ଜରିଆରେ କାର୍ଯ୍ୟକାରୀ କରାଯାଉଛି ।
ଏହି ନୀତି ପରିବେଶକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ଥିଲା, ଯେଉଁଠାରେ ଶିଳ୍ପ ସଂସ୍ଥାଗୁଡ଼ିକ ସଫଳ, ନବସୃଜନ ଓ ରାଜ୍ୟର ସାମାଜିକ ଅର୍ଥନୈତିକ ବୈଭବ ପ୍ରତି ଯୋଗଦାନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡିଶାକୁ ଶିଳ୍ପ ନିବେଶଙ୍କ କ୍ଷେତ୍ରରେ ପ୍ରଥମ ପସନ୍ଦରେ ପରିଣତ କରିବାର ସମର୍ପଣ ଭାବକୁ ଏହି ଚୁକ୍ତି ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାୟଗଡ଼ାର କଂସାରିଗୁଡ଼ାରେ ଆଦିତ୍ୟ ଆଲୁମିନିୟମ୍ ଲିମିଟେଡ୍‌ର ଆଲୁମିନା ରିଫାଇନାରି ହେଉଛି ଏକ ନୂଆ ପ୍ରକଳ୍ପ ଯେଉଁଥିରେ ୮,୦୦୦ କୋଟି ଟଙ୍କା ନିବେଶ ହେବ । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ୧,୦୦୦ ଓ ପରୋକ୍ଷରେ ୪,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ରାଜ୍ୟ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଶିଳ୍ପ ପାଇଁ ଲୋକଙ୍କ ସହଯୋଗିତା ଜରୁରୀ । ଖଣି ସମୃଦ୍ଧ ଅଂଚଳର ଆଦିବାସୀ ଲୋକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ରହିଥିବା ସେ କହିଛନ୍ତି ।
ଏହି ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଛି ।”

Share

Leave a Reply

Your email address will not be published. Required fields are marked *

one × 3 =