ଆଇଆଇଏମ୍ ସମ୍ବଲପୁରର ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ସହ ଓଡ଼ିଶାର ଉଦ୍ୟମିତା ଦୃଶ୍ୟପଟ୍ଟ ସମୃଦ୍ଧ ହେବାକୁ ପ୍ରସ୍ତୁତ

ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁର ୨୦୨୪ ମାର୍ଚ୍ଚ ୧, ଶୁକ୍ରବାର ଏକ ଦିନିକିଆ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆୟୋଜନ କରିବାକୁ ଯାଉଛି ଯାହାର ଲକ୍ଷ୍ୟ ହେଉଛି ଭାରତରେ ଉଦ୍ୟମିତା ଭାବକୁ ସୁଦୃଢ଼ କରିବା ଏବଂ ନବସୃଜନ ଓ ମୂଲ୍ୟ ସୃଷ୍ଟି କରିବା ଲାଗି ଯୁବବର୍ଗଙ୍କୁ ସଶକ୍ତ କରିବା । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଇଆଇଏମ୍ ସମ୍ବଲପୁର ସହଯୋଗିତାରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଷ୍ଟାର୍ଟଅପ୍ ଅଭିଯାନରେ ୨୦୩୬ ବେଳକୁ ଓଡ଼ିଶା ଏହାର ଶତ ବାର୍ଷିକୀ ପାଳନ କରିବା ବେଳକୁ ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟ ଲେଖାଏଁର ୧୦୦ଟି ଷ୍ଟାର୍ଟଅପ୍ ସ୍ଥାପନ କରିବାକୁ ଉଦ୍ୟମ କରାଯିବ । ଅନ୍ତର୍ଭୁକ୍ତୀକରଣ ଓ ଆଂଚଳିକ ବିକାଶକୁ ନେଇ ଆଇଆଇଏମ୍ ସମ୍ବଲପୁରର ରହିଥିବା ମୂଳ ମୂଲ୍ୟବୋଧ ଅନୁସାରେ ଏହି କାର୍ଯ୍ୟକ୍ରମରେ ଅଂଚଳରେ ଉଦ୍ୟମିତା ବ୍ୟବସ୍ଥାରେ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହାର ଉଦ୍‌ଘାଟନ ପାଇ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ସହ ଆଇ-ହବ୍ ଫାଉଣ୍ଡେସନର ଶୁଭାରମ୍ଭ ହେବ ଯାହା ଆଇଆଇଏମ୍ ସମ୍ବଲପୁରର ଇନ୍‌କୁବେଟର ଭାବେ ଧାରା ୮ ଅଧୀନରେ ଏକ ପଞ୍ଜୀକୃତ କମ୍ପାନି ଭାବେ ସ୍ଥାପିତ ହୋଇଛି । ଆଇ-ହବ୍ ଉଭୟ ପ୍ରତ୍ୟକ୍ଷ ଓ ଭର୍ଚୁଆଲ ମାଧ୍ୟମରେ ପରିଚାଳିତ ହେବ ଯାହା ଓଡ଼ିଶାର ଉଦ୍ୟମିତା ଦୃଶ୍ୟପଟ୍ଟର ବିଭିନ୍ନ ଅଂଶୀଦାରଙ୍କ ସହ ସହଯୋଗିତା ସ୍ଥାପନ କରିବ ।
ଏହି ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମରେ ଏକ ପ୍ରଦର୍ଶନୀ ଆୟୋଜନ କରାଯିବ ଯେଉଁଥିରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକର ୫୦ ଷ୍ଟାର୍ଟଅପ୍‌କୁ ପ୍ରଦର୍ଶିତ କରାଯିବ । ଏହି କାର୍ଯ୍ୟକ୍ରମରେ ୩୦୦ ଷ୍ଟାର୍ଟଅପ୍‌, ପ୍ରମୁଖ ଅଂଶୀଦାର, ନିବେଶକ, ଶିଳ୍ପ ମେଂଟର, ମନ୍ତ୍ରଣାଳୟର ପ୍ରତିନିଧି, ଛାତ୍ରଛାତ୍ରୀ, ଇନକୁବେଟର ସଦସ୍ୟ ଏବଂ ଭେଂଚର କ୍ୟାପିଟାଲ୍ (ଭିସି) ଓ ନିବେଶକ ସମୁଦାୟ ସମେତ ୧୨୦୦ ଲୋକ ଅଂଶଗ୍ରହଣ କରିବେ ।
ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଛନ୍ତି ଯେ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆୟୋଜନ କରିବା ଓଡ଼ିଶାରେ ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିର ପ୍ରସାର କରିବା ଲାଗି ଅନୁଷ୍ଠାନର ରହିଥିବା ସମ୍ଭାବନାକୁ ପ୍ରଦର୍ଶିତ କରୁଛି । ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କ ସମ୍ଭାବନାକୁ ପ୍ରଦର୍ଶନ କରିବା ପାଇଁ ଏକ ମଂଚ ପ୍ରଦାନ କରିବା ସହ ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ସହାୟତା ଓ ନେଟ୍‌ୱର୍କିଂ ସୁଯୋଗ ପ୍ରଦାନ କରିବ ।
ଆଇ-ହବ୍ ଫାଉଣ୍ଡେସନର ଉଦଘାଟନ ବିଷୟରେ ବର୍ଣ୍ଣନା କରି ପ୍ରଫେସର ଜୈସ୍‌ୱାଲ୍ କହିଛନ୍ତି ଯେ, ବୟନ, କଳା ଓ ସଂସ୍କୃତି, କୃଷି, ସ୍ୱାସ୍ଥ୍ୟସେବା, ଆର୍ଥିକ ଓ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ, ଆଦିବାସୀ ଉଦ୍ୟମିତା ଓ ସ୍ଥାୟିତ୍ୱ ଭଳି ବିବିଧ କ୍ଷେତ୍ରରେ ସହଯୋଗ ଓ ଅଭିନବ ସଂସ୍ଥାଗୁଡ଼ିକୁ ସମୃଦ୍ଧ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଷ୍ଟାର୍ଟଅପ୍‌ମାନଙ୍କୁ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରିବା ସହିତ ସ୍ଥାୟିତ୍ୱ ଓ ଅନ୍ତର୍ଭୁକ୍ତୀକରଣ ବିକାଶକୁ ଆଗକୁ ବଢ଼ାଇବା ଲାଗି ସହଯୋଗିତା ଓ ସହବନ୍ଧନକୁ ସୁଦୃଢ଼ କରିବା ।

Share

Leave a Reply

Your email address will not be published. Required fields are marked *

one × 3 =