Business

ଏନ୍‌ଏସ୍‌ଇ ତାଲିକାଭୁକ୍ତ କମ୍ପାନିର ବଜାର ପୁଞ୍ଜି ୫ ଟ୍ରିଲିଅନ୍ ଡଲାର ଟପିଲା 

ଭୁବନେଶ୍ୱର: ୨୦୨୪ ମେ’ ୨୩ରେ ଏନ୍‌ଏସଇରେ ତାଲିକାଭୁକ୍ତ ଥିବା ଭାରତୀୟ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ପରିମାଣ ୫ ଟ୍ରିଲିଅନ ଡଲାର (୪୧୬.୫୭ ଲକ୍ଷ କୋଟି ଟଙ୍କା) ସ୍ତର ଅତିକ୍ରମ କରିଛି । ସେହିଦିନ ନିଫ୍‌ଟି ୫୦ ସୂଚକାଙ୍କ ସର୍ବକାଳୀନ ରେକର୍ଡ ସ୍ତର ୨୨,୯୯୩.୬୦ ପଏଂଟ୍‌ରେ ପହଂଚିଛି । ନିଫ୍‌ଟି ୫୦୦ ସୂଚକାଙ୍କ ସର୍ବକାଳୀନ ରେକର୍ଡ ସ୍ତର ୨୧,୫୦୫.୨୫ ପଏଂଟ୍‌ରେ ପହଂଚିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଭିବୃଦ୍ଧି କେବଳ ବଡ଼ ଏବଂ ପୁଞ୍ଜି ସମୃଦ୍ଧ କମ୍ପାନି ମଧ୍ୟରେ ସୀମିତ ନାହିଁ ।

୨୦୧୭ ଜୁଲାଇରେ ଏନ୍‌ଏସ୍‌ଇର ବଜାର ପୁଞ୍ଜି ପରିମାଣ ୨ ଟ୍ରିଲିଅନ୍ ଡଲାର ଅତିକ୍ରମ କରିବା ପରେ ୨୦୨୧ ମେ’ରେ ୩ ଟ୍ରିଲିଅନ୍ ଡଲାରରେ ପହଂଚିଥିଲା । ଏଥିପାଇଁ ୪୬ ମାସ ସମୟ ଲାଗିଥିଲା । ୨୦୨୩ ଡିସେମ୍ବର ୪ରେ ବଜାର ପୁଞ୍ଜି ୪ ଟ୍ରିିଲିଅନ୍ ଡଲାର ସ୍ତର ଅତିକ୍ରମ କରିଥିଲା ଯେଉଁଥିପାଇଁ ୩୦ ମାସ ସମୟ ଲାଗିଥିଲା । ଏହା ପରେ ମାତ୍ର ୬ ମାସ ପରେ ବଜାର ପୁ୍‌ଞ୍ଜିରେ ଆଉ ୧ ଟ୍ରିଲିଅନ୍ ଡଲାର ବୃଦ୍ଧି ହୋଇଛି, ଯାହା ଫଳରେ ଏନ୍‌ଏସ୍‌ଇର ବଜାର ପୁଞ୍ଜି ପରିମାଣ ୫ ଟ୍ରିଲିଅନ୍ ଡଲାର ସ୍ତର ଅତିକ୍ରମ କରିଥିଲା । ବଜାର ପୁଞ୍ଜି ଦୃଷ୍ଟିରୁ ପାଂଚ ବଡ଼ କମ୍ପାନି ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌, ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍ ଓ ଭାରତୀ ଏୟାରଟେଲ୍ ଲିମିଟେଡ୍ ।

ଗତ ୧୦ ବର୍ଷ ଭିତରେ ନିଫ୍‌ଟି ୫୦ ୧୩.୪ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଛି । ସେହି ସମୟରେ ଦେଶର ମ୍ୟୁଚୁଆଲ୍ ଫଣ୍ଡର ପରିଚାଳନା ଅଧୀନ ସଂପତି ୫୦୬% ବୃଦ୍ଧି ପାଇ ୯.୪୫ ଲକ୍ଷ କୋଟି ଟଙ୍କାରୁ ୫୭.୨୬ ଲକ୍ଷ କୋଟି ଟଙ୍କା ହୋଇଛି । ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ପିଆଇ)ର ପରିଚାଳନା ଅଧୀନ ସଂପତି ୩୪୫% ବୃଦ୍ଧି ପାଇ ୨୦୨୪ ଏପ୍ରିଲ୍ ସୁଦ୍ଧା ୭୧.୬ ଲକ୍ଷ କୋଟି ଟଙ୍କା ହୋଇଛି ।

ବଜାର ପୁଞ୍ଜିରେ ଅଭିବୃଦ୍ଧି କେବଳ ବଡ଼ କମ୍ପାନି ଭିତରେ ସୀମିତ ନାହିଁ, ସବୁ କ୍ଷେତ୍ରରେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ବଜାର ପୁଞ୍ଜିରେ ୬୧ ପ୍ରତିଶତ ଭାଗ ନିଫ୍‌ଟି ୧୦୦ର ରହିଛି । ପ୍ରାଥମିକ ବଜାରରେ କ୍ଷୁଦ୍ର ଓ ମଧ୍ୟମ ଧରଣର କମ୍ପାନିର ପାଣ୍ଠି ସଂଗ୍ରହ ଉତ୍ସାହଜନକ ରହିଛି । ମାଧ୍ୟମିକ ବଜାରରେ ନଗଦରେ ମଧ୍ୟ ଉଲ୍ଳେଖନୀୟ ବୃଦ୍ଧି ଘଟିଛି । ଇକ୍ୱିଟି କ୍ଷେତ୍ରରେ ଦୈନିକ ହାରାହାରି କାରବାର ୪.୫ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୭,୮୧୮ କୋଟି ଟଙ୍କାରୁ ୮୧,୭୨୧ କୋଟି ଟଙ୍କାରୁ ବୃଦ୍ଧି ପାଇଛି । ଅମୃତ କାଳରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ପ୍ରମାଣ ହେଉଛି ଏହି ମାଇଲଖୁଂଟ ସଫଳତା । 

ଏନ୍‌ଏସ୍‌ଇର ଚିଫ୍ ବିଜନେସ୍ ଡେଭେଲପ୍‌ମେଂଟ୍ ଅଫିସର ଶ୍ରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି ଯେ, “ପ୍ରଗତିଶୀଳ ନିୟମ ଜରିଆରେ ପୁ୍‌ଞ୍ଜି ବଜାର ବ୍ୟବସ୍ଥାକୁ ସମର୍ଥନ ପ୍ରଦାନ କରିଥିବାରୁ ମୁଁ ଭାରତ ସରକାର, ପ୍ରତିଭୂତି ଓ ବିନିମୟ ବୋର୍ଡ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧନ୍ୟବାଦ ଜଣାଇବାକୁ ଚାହୁଛି । ମୁଁ ତାଲିକାଭୁକ୍ତ କମ୍ପାନି, ଟ୍ରେଡିଂ ସଦସ୍ୟ, ନିବେଶକ ଓ ସମସ୍ତ ଅଂଶୀଦାରମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସଫଳତା ପାଇଁ ଧନ୍ୟବାଦ ଜଣାଉଛି ।’’

Share

Leave a Reply

Your email address will not be published. Required fields are marked *

3 × three =