ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଅପରେସନ୍ ଏବଂ ମେଂଟେନାନ୍ସ ବିଭାଗ ବରିଷ୍ଠ ମହାପ୍ରବନ୍ଧକ ମଣିକାନ୍ତ ନାୟକ ଆଇଆଇଏମ୍‌ କେନ୍ଦୁଝର ଶାଖାର ଅଧ୍ୟକ୍ଷ ମନୋନୀତ

ବଡ଼ବିଲ, ଜୁନ୍ ୧୧, ୨୦୨୨: ଇଣ୍ଡିଆନ୍‌  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍‌) କେନ୍ଦୁଝର ଶାଖା ପକ୍ଷରୁ ନିଜ ପଦାଧିକାରୀଙ୍କ ଚୟନ ପାଇଁ ଏହାର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଓ ବୈଷୟିକ ଅଧିବେସନ ବଡ଼ବିଲଠାରେ ଆୟୋଜିତ ହୋଇଯାଇଛି । ଧାତୁ ଓ ଖଣିଜ ଶିଳ୍ପ ସହିତ ଜଡ଼ିତ ଅଧିକାଂଶ ସଂସ୍ଥା ଓ ଶାଖାରେ ସାମିଲ ହୋଇଥିବା କେନ୍ଦୁଝରର ପେସାଦାର ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ ଅପରେସନ୍ ଓ ମେଂଟେନାନ୍ସ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ମଣିକାନ୍ତ ନାୟକଙ୍କୁ ସର୍ବସମ୍ମତିକ୍ରମେ ଶାଖାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ମିନ୍‌ମେଟ୍ କନ୍‌ସଲଟାଂଟ୍‌ସର ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଖଟୋଇଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ର ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ଶ୍ରୀ ପ୍ରତ୍ୟୁସ ନନ୍ଦଙ୍କୁ ସଚିବ, ଜେଏସ୍‌ପିଏଲ୍‌ର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଂଟ୍ ଶ୍ରୀ ବ୍ରିଜ୍ ବଧଦ୍ରାଙ୍କୁ ଯୁଗ୍ମ ସଚିବ, ମିନ୍‌ମେଟ୍ କନ୍‌ସଲଟାଂଟ୍‌ସର ନିର୍ଦ୍ଦେଶକ ଶ୍ରୀ ପ୍ରତ୍ୟୁଷ ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଆରିଆ ଷ୍ଟିଲର ମହାପ୍ରବନ୍ଧକ ଶ୍ରୀ ସୁରଜ ପ୍ରସାଦ, ରାଉରକେଲାର ୟୁଜିଆଇଇ ମେଟାଲରଜିକାଲ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଏଚ୍‌ଓଡ଼ି ଶ୍ରୀ ରାମଚନ୍ଦ୍ର ସାହୁ ଏବଂ ବଡ଼ବିଲ ରୁଙ୍ଗଟା ଷ୍ଟିଲର ମହାପ୍ରବନ୍ଧକ ଶ୍ରୀ  ପି କେ ଦେଓଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ମଣିକାନ୍ତ ନାୟକ କମିଟିର ସଦସ୍ୟ ଓ ଉପସ୍ଥିତ ଲୋକମାନଙ୍କୁ ଧନ୍ୟବାଦ ଜଣାଇବାସହ ମିଳିତ ଭାବେ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା ନିମନ୍ତେ ଆଇଆଇଏମ୍ କେନ୍ଦୁଝରଭଳି ଏକ ଉତ୍କଷ୍ଟ ମଂଚର ଉପଯୁକ୍ତ ବ୍ୟବହାର କରିବା ପାଇଁ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଗେଇ ଆସିବାକୁ କହିଥିଲେ।

ମିନ୍‌ମେଟ୍ ଟେକ୍‌ନୋଲୋଜିଜ୍‌ର ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଖଟ୍ଟୋଇ କେନ୍ଦୁଝରରେ ଔଦ୍ୟୋଗିକ ବିକାଶ ମୁଖ୍ୟତଃ ମେଟାଲ କ୍ଷେତ୍ରରେ ଥିବା ବିଶାଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ ଏଭଳି ଏକ ମଂଚ ଜିଲ୍ଲାରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସ୍‌ପିଏଲ୍‌ର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଂଟ୍ ଶ୍ରୀ ବ୍ରିଜ୍ ବଧଦ୍ରା ଏହି ଶାଖାକୁ ଅଧିକ ସକ୍ରିୟ ତଥା ଭାବ ଆଦାନ ପ୍ରଦାନର ମାଧ୍ୟମ କରିବାପାଇଁ ଉପସ୍ଥିତ ସମସ୍ତ ଲୋକଙ୍କୁ ନିଜ ବିଚାର ରଖିବାକୁ ଆହ୍ୱାନ ଦେଇଥିଲେ ।

ବାର୍ଷିକ ସାଧାରଣ ବୈଠକ ପରେ ଆୟୋଜିତ ଏକ ଆକର୍ଷଣୀୟ ବୈଷୟିକ ଅଧିବେସନରେ ୩ଜଣ ପ୍ରତିଷ୍ଠିତ ବକ୍ତା ନିଜ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ଅବସରରେ କେନ୍ଦୁଝରଠାରେ ଅବସ୍ଥିତ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଆଣ୍ଡ ଇଞ୍ଜିନିୟରିଂର ଅଧ୍ୟକ୍ଷ ଶ୍ରୀ ଏ କେ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱର ଆଇଏମ୍‌ଏମ୍‌ଟିର ବରିଷ୍ଠ ବୈଜ୍ଞାନିକ ଡଃ ଅଶୋକ ସାହୁ ଷ୍ଟିଲ ମେକିଂରେ ଲିନ୍ ଓର୍‌ର ବ୍ୟବହାର ଉପରେ ନିଜ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଟିଆର୍‌ଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ଼ର ବରିଷ୍ଠ ଭାଇସ୍ ପ୍ରେସିଡେଂଟ୍ ଡଃ ଅରୁପ ସାମନ୍ତ ଡିଆରଆଇ ଏବଂ ପେଲେଟିଜେସନ୍ ପାଇଁ ରିଫ୍ରାକ୍ଟୋରିର ବ୍ୟବହାର ଏବଂ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ର ଜୋନାଲ ମହା ପ୍ରବନ୍ଧକ ଶ୍ରୀ ଶୈଳେନ୍ଦ୍ର ୱେଲେଟି ଷ୍ଟିଲ ମେକିଂର ଔଦ୍ୟୋଗିକ ଅନୁପ୍ରୟୋଗ ପାଇଁ ପ୍ରାକୃତିକ ଗ୍ୟାସର ବ୍ୟବହାରଭଳି ବିଷୟବସ୍ତୁଉପରେ ନିଜର ତଥ୍ୟ ଉପସ୍ଥାପନା କରିଥିଲେ । ଅଂଶଗ୍ରହଣକାରୀମାନେ ନିଜ ପ୍ରଶ୍ନ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଅଧିବେସନକୁ ଆକର୍ଷଣୀୟ କରିଥିଲେ ।

ଶିଳ୍ପାନୁଷ୍ଠାନର ଇଞ୍ଜିନିୟର ଓ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ ନିଜ ନିଜର ଅଗ୍ରଗତି ଦିଗରେ ଏହି ମଂଚର ଗୁରୁତ୍ୱକୁ ଅନୁଭବ କରିଥିଲେ । ସଂସ୍ଥା ଓ ଅନ୍ୟ ଅନୁଷ୍ଠାନଗୁଡ଼ିକର ହିତକୁ ଧ୍ୟାନରେ ରଖି ଏଭଳି ବୈଷୟିକ ଓ ଅନ୍ୟ ଅଧିବେସନ ଆୟୋଜନର ସଂକଳ୍ପ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

four × 5 =