ଓଡ଼ିଶାର ଋଣଭାର : ଏକ ତୁଳନାତ୍ମକ ରିପୋର୍ଟ

ଭୁବନେଶ୍ୱର () କାଳିଆ ଯୋଜନା ଦ୍ୱାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀ ସାଧାରଣରେ ବିଭ୍ରାନ୍ତିକର ଆଶଙ୍କା ସୃଷ୍ଟି କରୁଛନ୍ତି । ଅନ୍ୟ ରାଜ୍ୟଗୁଡିକର ଋଣକୁ ଦେଖିଲେ, ଓଡ଼ିଶାର ଋଣ ବୋଝ ଅତ୍ୟନ୍ତ କମ୍‍ । ବିଜେଡି ପକ୍ଷରୁ ଓଡିଶା ଓ ଅନ୍ୟ ରାଜ୍ୟର ଋଣ ଭାର ଏବଂ କେନ୍ଦ୍ରର ଋଣ ଭାର ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୬ ମାର୍ଚ୍ଚ ଶେଷ ସୁଦ୍ଧା ଉତ୍ତର ପ୍ରଦେଶ ସବୁଠାରୁ ଋଣୀ ରାଜ୍ୟର ଆଖ୍ୟା ପାଇଛି । ଏହି ସମୟରେ ରାଜ୍ୟ ଉପରେ ଋଣ ବୋଝ ୩,୮୫,୩୦୦ କୋଟି ଟଙ୍କା ଥିଲା ବେଳେ ମହାରାଷ୍ଟ୍ର ଉପରେ ୩,୫୧,୪୦୦ କୋଟି ଓ ପଶ୍ଚିମବଙ୍ଗ ଉପରେ ୩,୧୪,୭୦୦ କୋଟି ଟଙ୍କା ରହିଛି । ୨୦୦୭ ଆରମ୍ଭରୁ ଏହି ରାଜ୍ୟଗୁଡିକ ବଜାରରୁ ବିପୁଳ ପରିମାଣର ଋଣ ହାସଲ କରିଛନ୍ତି । ବିଶେଷକରି ରାଜ୍ୟ ବିକାଶ ଋଣ (ଏସ୍‍ଡିଏଲ୍‍) ଆଧାରରେ ଏହି ଋଣ ହାସଲ କରାଯାଇଛି ।
ବିପୁଳ ଋଣ ହାସଲ କରିଥିବା ଅନ୍ୟ ୩ ରାଜ୍ୟ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟ ରହିଛନ୍ତି । ତଥ୍ୟ ଅନୁସାରେ ଏସ୍‍ଡିଏଲ୍‍ ପରିମାଣ ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି ।
ଅନ୍ୟ ବିକଶିତ ରାଜ୍ୟର ବଜେଟ୍‍ ଆକଳନକୁ ବିଚାର କଲେ ଜଣାଯାଏ, ୨୦୧୮-୧୯ ଆର୍ଥିକ ବର୍ଷରେ ମହାରାଷ୍ଟ୍ରର ଋଣ ବୋଝ ସର୍ବାଧିକ ୪,୬୧,୯୧୩ କୋଟି ଟଙ୍କାରେ ପହଞ୍ଚିଯିବ । ୨୦୧୭-୧୮ (୩,୬୪,୭୪୩ କୋଟି) ତୁଳନାରେ ଏହା ୧୩.୪୭% ଅଧିକ ବୋଲି ଜଣାପଡିଛି । ସେହିଭଳି ୨୦୧୯ରେ ଉତ୍ତରପ୍ରଦେଶର ଋଣ ପରିମାଣ ୪,୪୩,୩୬ କୋଟି ଟଙ୍କା ଛୁଇଁବ, ଯାହା ୨୦୧୮ରେ ୪,୦୬,୪୭୪ କୋଟି ଓ ୨୦୧୭ରେ ୩,୭୩,୪୧୭ କୋଟି ଟଙ୍କା ରହିଥିଲା । ତାଲିକାର ତୃତୀୟ ସ୍ଥାନରେ ଥିବା ପଶ୍ଚିମବଙ୍ଗର ଋଣ ୨୦୧୯ରେ ୩,୯୪,୮୩୨ କୋଟି ଟଙ୍କା ହେବ, ଯାହା ୨୦୧୮ରେ ୩,୬୪,୦୧୯ କୋଟି ଟଙ୍କା ଥିଲା ।
ଅନ୍ୟପକ୍ଷରେ ଆଉ କେତେକ ରାଜ୍ୟଗୁଡିକର ଋଣ ସହ ତୁଳନା କଲେ ଓଡ଼ିଶାର ଋଣ ପରିମାଣ ବେଶ୍‍ କମ୍‍ । ୨୦୧୬-୧୭ରେ ଓଡ଼ିଶାର ସରକାରୀ ଋଣ ପରିମାଣ ୪୨,୦୧୮ କୋଟି ଟଙ୍କା ରହିଥିଲା ବେଳେ ବିକଶିତ ରାଜ୍ୟ ଆଖ୍ୟା ପାଇଥିବା ଗୁଜରାଟର ୨,୪୩,୧୪୬ କୋଟି ଟଙ୍କା, ହରିଆଣାର ୧,୨୪,୬୦୩ କୋଟି ଓ କେରଳର ୧,୮୯,୭୬୯ କୋଟି ଟଙ୍କା ରହିଥିଲା । ୨୦୧୧ ଜନଗଣନା ରିପୋର୍ଟକୁ ହିସାବ କଲେ ଏହି ସମୟରେ ଓଡ଼ିଶାର ମୁଣ୍ଡପିଛା ଋଣ ପରିମାଣ ମଧ୍ୟ କମ୍‍ । ଓଡ଼ିଶାର ଲୋକସଂଖ୍ୟା ୨୦୧୧ ରିପୋର୍ଟ ମୁତାବକ ୪,୧୯,୭୪,୨୧୮ ରହିଥିବା ବେଳେ ଗୁଜରାଟର ୬,୦୪,୩୯,୬୯୨, ହରିଆଣାର ୨,୫୩,୫୧,୪୬୨ ଓ କେରଳର ୩,୩୪,୦୬,୦୬୧ ରହିଛି ଏବଂ ସେହି ଅନୁସାରେ ଓଡ଼ିଶାର ମୁଣ୍ଡପିଛା ଋଣ ୧୦,୦୧୦.୪୩ ଟଙ୍କା, ଗୁଜରାଟର ୪୦,୨୨୯.୫୨ ଟଙ୍କା, ହରିଆଣାର ୪୯,୧୫୦.୧୨ ଟଙ୍କା ଓ କେରଳର ୫୬,୮୦୬.୭୬ ଟଙ୍କା ରହିଛି ।

ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଋଣ ସଂକ୍ରାନ୍ତରେ ସଦ୍ୟତମ ଭାବେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ । ବିଶେଷକରି ସାଢେ଼ ୪ବର୍ଷ ମଧ୍ୟରେ ବା ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ଋଣ ପରିମାଣର ୫୦% ବୃଦ୍ଧି ପାଇ ୨୦୧୮ ସେପ୍ଟେମ୍ବର ବେଳକୁ ଏହା ୮୨,୦୩,୨୫୩ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୪ ଜୁନ୍‍ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଉପରେ ମୋଟ ଋଣ ପରିମାଣ ୫୪,୯୦,୭୬୩ କୋଟି ଟଙ୍କା ରହିଥିଲା । ଏହି ରିପୋର୍ଟ ଅନ୍ୟ କେଉଁ ବେସରକାରୀ ସଂସ୍ଥା ନୁହେଁ, ବରଂ ଖୋଦ୍‍ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ତଥ୍ୟରୁ ଆହୁରି ଜଣାଯାଏ, କେନ୍ଦ୍ର ସରକାରଙ୍କ ବଜାର ଋଣ ପରିମାଣ ଗତ ସାଢ଼େ ୪ ବର୍ଷରେ ୪୭.୫% ବୃଦ୍ଧି ପାଇ ୫୨ଲକ୍ଷ କୋଟି ଟଙ୍କାରେ ପହଂଚିଛି । ସରକାରଙ୍କ ଅଷ୍ଟମ ସଂସ୍କରଣ ଷ୍ଟାଟସ୍‍ ପେପର୍‍ରୁ ଏହି ତଥ୍ୟ ମିଳିଥିବା ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକ ଓ ସାଧାରଣ ସଂପାଦକ ମାନସ ମଙ୍ଗରାଜ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + six =