ବିସିସିଆଇ ସଚିବ ଜୟ ଶାହଙ୍କୁ ସ୍ପୋର୍ଟସ୍ ବିଜନେସ୍ ଲିଡରସିପ୍ ଅଫ୍ ଦି ଇୟର ଆୱାର୍ଡ

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହଙ୍କୁ ସିଆଇଆଇ ସ୍ପୋର୍ଟସ୍ ବିଜନେସ୍ ଆୱାର୍ଡସ୍ ୨୦୨୩ରେ ସମ୍ମାଜନକ ସ୍ପୋର୍ଟସ୍ ବିଜନେସ୍ ଲିଡରସିପ୍ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ାକୁ ନେଇ ସିଆଇଆଇ ଜାତୀୟ କମିଟିର ଅଧ୍ୟକ୍ଷ ଓ ଟାଟା ଷ୍ଟିଲ୍‌ର ଉପସଭାପତି ଚାଣକ୍ୟ ଚୌଧୁରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଭାରତୀୟ କ୍ରିକେଟ୍‌କୁ ନୂତନ ଶିଖରରେ ପହଂଚାଇବାରେ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ପୁରସ୍କାର ପ୍ରମାଣିତ କରୁଛି ।
ଜୟ ଶାହଙ୍କ ନେତୃତ୍ୱରେ ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ ବିଶ୍ୱକପ୍ ଇତିହାସ ରଚିଥିଲା । ତାହା ସର୍ବାଧିକ ଲୋକ ଦେଖିଥିବା ବିଶ୍ୱକପ୍‌ରେ ପରିଣତ ହୋଇଛି । ଏହି ଟୁର୍ଣ୍ଣାମେଂଟ୍‌ର ସଫଳତା ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଥିବା ବେଳେ ଭାରତର କ୍ରିକେଟ ମହାଶକ୍ତି ମାନ୍ୟତାକୁ ଆହୁରି ସୁଦୃଢ଼ କରିଥିଲା ।
ଶାହଙ୍କ ଅମଳରେ ପାଉଣା କ୍ଷେତ୍ରରେ ବିସିସିଆଇରେ ସମାନତା ଆସିଥିଲା । ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପାରିଶ୍ରମିକ ସମାନ କରାଯାଇଥିଲା ଯାହା ଭାରତୀୟ କ୍ରୀଡ଼ା ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହା ସମାନତାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିବା ବେଳେ ମହିଳା ଖେଳାଳିମାନଙ୍କ ଚମତ୍କାର ପ୍ରତିଭାକୁ ମାନ୍ୟତା ପ୍ରଦାନ କରିଥିଲା ଯାହା ସମାନତା ଓ ସଶକ୍ତୀକରଣର ପରିବେଶକୁ ସୁଦୃଢ଼ କରିଛି ।
ଶାହଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ମହିଳାଙ୍କ ପ୍ରିମିୟର ଲିଗ୍ ଯାହା ହେଉଛି ଏକ ଉଲ୍ଲେଖନୀୟ ଟୁର୍ଣ୍ଣାମେଂଟ୍ ଯେଉଁଥିରେ ଦେଶର ଶ୍ରେଷ୍ଠ ମହିଳା କ୍ରିକେଟ ଖେଳାଳିମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିଛି । ଏହା କ୍ରୀଡ଼ାରେ ଲିଙ୍ଗଗତ ଅସମାନତା ସମସ୍ୟାର ମୁକାବିଲା କରିଥିବା ବେଳେ କ୍ରିକେଟର ସବୁ ବର୍ଗରେ ଉତ୍କର୍ଷତାକୁ ସୁନିଶ୍ଚିତ କରିଛି ।
ଆଇସିସି ଅଲିମ୍ପିକ ୱାର୍କିଂ ଗ୍ରୁପ୍‌ରେ ଜୟ ଶାହଙ୍କ ପ୍ରଭାବଶାଳୀ ଭୂମିକା ଯୋଗୁଁ ଅଲିମ୍ପିକରେ କ୍ରିକେଟ ସାମିଲ ହୋଇପାରିଛି, ଯାହା ଫଳରେ ବିଶ୍ୱବ୍ୟାପୀ ତାହାର ପ୍ରଭାବ ବୃଦ୍ଧି ପାଇଛି । ଏହା କ୍ରିକେଟର ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଶ୍ୱ ସ୍ତରରେ ଏକ କ୍ରୀଡ଼ା ଭାବେ ତାହାର ପ୍ରଭାବକୁ ବିସ୍ତାର କରିଛି । ଜୟ ଶାହଙ୍କୁ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ଚମତ୍କାର ପରିଚାଳନା ଏବଂ ଅତୁଟ ପ୍ରତିବଦ୍ଧତା ପାଇଁ ସ୍ପୋର୍ଟସ୍ ବିଜନେସ୍ ଲିଡର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen + 15 =