ଦେଶବ୍ୟାପୀ ଉଦ୍ୟମିତା ଦକ୍ଷତା ଜାଗ୍ରତ କରିବା ନବସୃଜନ, ଡିଜାଇନ୍ ଓ ଉଦ୍ୟମିତା (ଆଇଡିଇ) ବୁଟ୍‌କ୍ୟାମ୍ପ୍‌ର ଲକ୍ଷ୍ୟ

ଆଇଆଇଏମ୍ ସମ୍ବଲପୁର ପରିସରରେ ଆଇଡିଇ ବୁଟ୍‌କ୍ୟାମ୍ପ୍‌କୁ ଉଦ୍‌ଘାଟନ କଲେ ଏଆଇସିଟିଇ ଅଧ୍ୟକ୍ଷ
ଆଇଆଇଏମ୍ ସମ୍ବଲପୁର ପରିସରରେ ୫ ଦିନିଆ “ନବସୃଜନ, ଡିଜାଇନ୍ ଓ ଉଦ୍ୟମିତା ବୁଟ୍ କ୍ୟାମ୍ପ୍‌’ର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ପ୍ରିମିୟର ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ୫ ଦିନିଆ ‘ନବସୃଜନ, ଡିଜାଇନ୍ ଓ ଉଦ୍ୟମିତା (ଆଇଡିଇ) ବୁଟ୍ କ୍ୟାମ୍ପ୍ ଆୟୋଜନ କରାଯାଇଛି । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଶିକ୍ଷା ମନ୍ତ୍ରଣାଳୟର ନବସୃଜନ ସେଲ୍ (ଏମ୍‌ଆଇସି) ପକ୍ଷରୁ ଆୟୋଜିତ ଏହି ବୁଟ୍‌କ୍ୟାମ୍ପ୍‌କୁ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି ଜି ସୀତାରାମ ଭର୍ଚୁଆଲ୍ ମାଧ୍ୟମରେ ଏଆଇସିଟିଇର ଦିଲ୍ଲୀ କ୍ୟାମ୍ପସ୍‌ରୁ ଉଦ୍‌ଘାଟନ କରିଥିଲେ । ମହାରାଷ୍ଟ୍ର, ଓଡ଼ିଶା, କର୍ଣ୍ଣାଟକ, ଉତରପ୍ରଦେଶ, ଗୁଜରାଟ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ଛତିଶଗଡ଼ର ୮୧ଟି ଷ୍ଟାର୍ଟଅପ୍ ଏହି ବୁଟ୍‌କ୍ୟାମ୍ପ୍‌ରେ ଯୋଗ ଦେଇଥିବା ବେଳେ ସେଥିରୁ ୪୦ରୁ ଅଧିକ ଷ୍ଟାର୍ଟଅପ୍ ହେଉଛି ଓଡ଼ିଶାର ।
ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ୬ଟି ଆଇଡିଇ ବୁଟ୍ କ୍ୟାମ୍ପ୍ ସଫଳତାର ସହ ଆୟୋଜନ କରାଯାଇଥିବା କହିଥିଲେ । ସେ କହିଛନ୍ତି ଯେ ନବସୃଜନ୍‌, ଡିଜାଇନ୍ ଏବଂ ଉଦ୍ୟୋମିତା ବୁଟ୍ କ୍ୟାମ୍ପର ଦ୍ୱିତୀୟ ପର୍ଯ୍ୟାୟକୁ ୧୦ଟି ସ୍ଥାନରେ ଆରମ୍ଭ କରାଯିବା ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ଏକ ଅନନ୍ୟ ପଦକ୍ଷେପ । ଭାରତର ଯୁବବର୍ଗଙ୍କ ମଧ୍ୟରେ ନବସୃଜନ, ଡିଜାଇନ୍ ଏବଂ ଉଦ୍ୟମିତା ଦକ୍ଷତା ଦକ୍ଷତା ବୃଦ୍ଧି କରିବା ହେଉଛି ଏହାର ଲକ୍ଷ୍ୟ ।’’
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଏହି ପଦକ୍ଷେପ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସହିତ ଯୋଡ଼ି ହୋଇଛି । ଷ୍ଟାର୍ଟଅପ୍ ଯୁଗରେ ଭାରତକୁ ଅଗ୍ରଣୀ ରଖିବାକୁ ସେ ପରିକଳ୍ପନା କରିଛନ୍ତି । ଆଜିର ଦୁନିଆରେ ଶକ୍ତିକୁ ହାର୍ଡ ପାୱାର ଏବଂ ସଫ୍ଟ ପାୱାରରେ ବିଭକ୍ତ କରାଯାଇପାରେ ଏବଂ ନବସୃଜନ ହେଉଛି ସଫ୍ଟ ପାୱାରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟୋଗ ହେଉଛି ସଫ୍ଟ ପାୱାରର ପରସ୍ପର ସହ ଜଡିତ ଉପାଦାନ । ଭାରତ ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରରେ ଅଗ୍ରଗତି କରୁଛି ଏବଂ ପାଣ୍ଠି କ୍ଷେତ୍ର ଆହ୍ୱାନପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ ନିମ୍ନ ମାନ୍ୟତାରୁ ପୁନଃ ଅବସ୍ଥାପିତ କରିବାକୁ ପ୍ରୟାସ କରୁଛି । ତେବେ ଉଦ୍ୟୋଗ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି ।
ପ୍ରଫେସର ଜୟସ୍ୱାଲ ଆହୁରି କହିଛନ୍ତି ଯେ, “ଚାକିରି ଖୋଜିବା ଅପେକ୍ଷା ଛାତ୍ର ଓ ଉଦ୍ଭାବକମାନେ ଚାକିରିଦାତା ଓ ନିର୍ମାତା ହେବା ଜରୁରୀ । ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ବାହାରେ ସେମାନଙ୍କୁ ଧ୍ୟାନ ଦେବା ଉଚିତ୍ । ଉଦ୍ଭାବନ ହେଉଛି ପ୍ରତ୍ୟେକ ଦେଶର ଭବିଷ୍ୟତର ଚାବିକାଠି ଏବଂ ଏହା ଶିଳ୍ପକୁ ଆକାର ଦେବା, ବଜାରରେ ବିପ୍ଳବ ଆଣିବା ଏବଂ ବିଶ୍ୱ ଉପରେ ସ୍ଥାୟୀ ପ୍ରଭାବ ପକାଇବାର ଶକ୍ତି ରଖିଛି ବୋଲି ସେ କହିଥିଲେ ।’’
ଆଇଆଇଏମ୍ ସମ୍ବଲପୁରର ଅଧ୍ୟାପକ ପ୍ରଫେସର ଦିବାହାର ନାଦର ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ ଆଇଆଇଏମ୍ ସମ୍ବଲପୁରର ଅଧ୍ୟାପକ ପ୍ରଫେସର ଇଶିକା ଜୟସ୍ୱାଲ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।
ପ୍ରଥମ ଦିନରେ ପ୍ରତିଯୋଗୀମାନେ ପ୍ରଦର୍ଶନୀରେ ନିଜର ଉଦ୍ଭାବନ ପ୍ରଦର୍ଶନ କରିଥିଲେ । ଚତୁର୍ଥ ଦିନରେ ଅଂଶଗ୍ରହଣକାରୀମାନଙ୍କୁ ବାସ୍ତବ ଦୁନିଆର ବୁଝାମଣା, ନେଟୱାର୍କିଂ ସୁଯୋଗ ଏବଂ ସୃଜନଶୀଳ ପ୍ରେରଣା ପ୍ରଦାନ କରିବା ସହ ସେମାନଙ୍କ ଉଦ୍ୟୋଗୀ ମାନସିକତାକୁ ବଢ଼ାଇବା ପାଇଁ ସ୍ଥାନୀୟ ଭ୍ରମଣର ବ୍ୟବସ୍ଥା କରାଯିବ । ଶେଷ ଦିନରେ ଛାତ୍ରଛାତ୍ରୀଙ୍କ ଦଳ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ଇନକ୍ୟୁବେଟର, ଏଲପି ବିଶେଷଜ୍ଞ, ଏଞ୍ଜେଲ ଇନଭେଷ୍ଟର୍ସ ଏବଂ ଭିସି ଏବଂ ଜ୍ଞାନ ଏଜେନ୍ସିକୁ ନେଇ ଗଠିତ ବିଶେଷଜ୍ଞ ପ୍ୟାନେଲ ସମ୍ମୁଖରେ ନିଜର ଉଦ୍ଭାବନ ଉପସ୍ଥାପନ କରିବେ । ଆଇଡିଇ ବୁଟ କ୍ୟାମ୍ପ ଅଭିନବତା ଏବଂ ଉଦ୍ୟୋଗର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଥିବା ବେଳେ ଭାରତକୁ ନବସୃଜନ-ପରିଚାଳିତ ଉଦ୍ୟୋଗ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ପ୍ରୋତ୍ସାହିତ କରିଛି ।

Share

Leave a Reply

Your email address will not be published. Required fields are marked *

4 + 2 =