Uncategorized

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ୯୦ ଜଣ ସୋଲାର୍ ଉପଭୋକ୍ତାଙ୍କୁ ସମ୍ବର୍ଦ୍ଧନା

ଟାଟ ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କରିଥିବା ପଶ୍ଚିମ ଓଡ଼ିଶାର ୯୦ ଜଣ ଉଲ୍ଲେଖନୀୟ ଉପଭୋକ୍ତାଙ୍କୁ ସମ୍ମାନିତ କରି ରାଷ୍ଟ୍ର ନିର୍ମାଣ, ଉତ୍କୃଷ୍ଟ ସେବା ଏବଂ ନିରନ୍ତର ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରତିଫଳତି କରାଯାଇଅଛି ।

ବୁର୍ଲାସ୍ଥିତ କର୍ପୋରେଟ୍‌ କାର୍ଯ୍ୟାଳୟରେ କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସର ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ରାଷ୍ଟ୍ର ନିର୍ମାଣରେ ସାମୂହିକ ଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରି ଓଡ଼ିଶା ତଥା ଦେଶର ପ୍ରଗତି ପାଇଁ କର୍ମଚାରୀମାନଙ୍କୁ ନିଜର ସର୍ବାଙ୍ଗୀଣ ସହଯୋଗ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଟିପିଡବ୍ଲୁଓଡିଏଲ୍‌କୁ ରାଜ୍ୟର ବିକାଶର ଏକ ପ୍ରମୁଖ ସହଯୋଗୀ ଭାବେ ଆହୁରି ସୁଦୃଢ଼ କରିବାରେ ପ୍ରତିବଦ୍ଧତା, ନିଷ୍ଠା ଓ ଉତ୍କୃଷ୍ଟ ସେବାର ଗୁରୁତ୍ୱ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ଟିପିଡବ୍ଲୁଓଡିଏଲ୍‌ର ୧୭ଟି ବିଦ୍ୟୁତ୍‌ ଡିଭିଜନ୍‌ରୁ ପ୍ରତ୍ୟେକ ୫ ଜଣ ଲେଖାଏଁ ଏବଂ କର୍ପୋରେଟ୍‌ କାର୍ଯ୍ୟାଳୟରୁ ୫ ଜଣ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା (PMSGMBY) ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରିଥିବା ଉପଭୋକ୍ତାମାନଙ୍କୁ ଅର୍ଥାତ୍ ମୋଟ୍ ୯୦ ଜଣ ଉପଭୋକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟର୍ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଥିଲେ, “ସ୍ୱାଧୀନତା ଦିବସ ଆମକୁ ଏକ ଶକ୍ତିଶାଳୀ, ସ୍ଥାୟୀ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆମର ସାମୂହିକ ଦାୟିତ୍ୱର କଥା ମନେ ପକାଇଥାଏ । ରୁଫଟପ୍ ସୋଲାର ଗ୍ରହଣ କରିଥିବା ଆମର ଉପଭୋକ୍ତାମାନେ ସ୍ୱଚ୍ଛ ଶକ୍ତି ପ୍ରତି ନିଜର ପ୍ରତିବଦ୍ଧତା ମାଧ୍ୟମରେ ଏହି ଭାବନାକୁ ପ୍ରତିଫଳିତ କରୁଛନ୍ତି । ସେମାନଙ୍କୁ ସମ୍ମାନିତ କରି ଆମେ ପଶ୍ଚିମ ଓଡ଼ିଶାର ଅଧିକରୁ ଅଧିକ ପରିବାରକୁ ନବୀକରଣଯୋଗ୍ୟ ଶକ୍ତି ଆପଣେଇବା ପାଇଁ ପ୍ରେରିତ କରିବାକୁ ଚାହୁଁଅଛୁ । ଓଡ଼ିଶାର ସ୍ୱଚ୍ଛ ଶକ୍ତି ଯାତ୍ରାକୁ ସମର୍ଥନ କରିବା ସହ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ଟିପିଡବ୍ଲୁଓଡିଏଲ୍‌ ସଦା ପ୍ରତିବଦ୍ଧ।”

ବୁର୍ଲାସ୍ଥିତ କର୍ପୋରେଟ୍‌ କାର୍ଯ୍ୟାଳୟରେ ଶ୍ରୀ ଲଲିତ ମୋହନ ପ୍ରଧାନ, ଶ୍ରୀ ଗୌତମ ଭୂୟାଁ, ଶ୍ରୀ ଏମ୍‌. ଶ୍ୟାମ ସୁନ୍ଦର, ଶ୍ରୀ ରବୀନ୍ଦ୍ର କୁମାର ସାହୁ ଓ ଶ୍ରୀ ଏ. ଶିବ ପ୍ରସାଦ ଦୋରାଙ୍କୁ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ସମ୍ବର୍ଦ୍ଧିତ କରିଥିଲେ । ସେହିପରି, ବିଭିନ୍ନ ଡିଭିଜନ୍‌ରେ ମନୋନୀତ ହୋଇଥିବା ଉପଭୋକ୍ତାମାନଙ୍କୁ ସମ୍ପୃକ୍ତ ଡିଭିଜନ୍‌ର ଡିଭିଜନାଲ୍‌ ମ୍ୟାନେଜରମାନେ ସମ୍ବର୍ଦ୍ଧିତ କରିଥିଲେ ।

ସୋଲାର ଶକ୍ତି ବ୍ୟବହାର ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟି ବୁର୍ଲାର ଶ୍ରୀ ଗୌତମ ଭୂୟାଁ କହିଛନ୍ତି, “ମୁଁ ପ୍ରାୟ ଆଠ ମାସ ହେବ ମୋ ଘରେ ରୁଫ୍‌ଟପ୍‌ ସୋଲାର ପ୍ୟାନେଲ୍‌ ସ୍ଥାପନ କରିଛି। ଏହା ପୂର୍ବରୁ ମୋର ବାର୍ଷିକ ବିଦ୍ୟୁତ୍‌ ବିଲ୍‌ ପ୍ରାୟ ୨୦ ହଜାର ଟଙ୍କା ଆସୁଥିଲା। ସୋଲାର ପ୍ୟାନେଲ୍‌ ସ୍ଥାପନ ପରେ ଏବେ ମୋର ମାସିକ ବିଦ୍ୟୁତ୍‌ ବିଲ୍‌ ପ୍ରାୟ ୬୦–୭୦ ଟଙ୍କାକୁ ହ୍ରାସ ପାଇଛି। ମୋର ଆଶା, ଚଳିତ ବର୍ଷ ମୋର ବାର୍ଷିକ ବିଦ୍ୟୁତ୍‌ ବିଲ୍‌ ୧,୦୦୦ ଟଙ୍କା ମଧ୍ୟରେ ସୀମିତ ରହିବ। ସୋଲାର ପ୍ୟାନେଲ୍‌ ସ୍ଥାପନ ଓ ଏହାର ରକ୍ଷଣାବେକ୍ଷଣରେ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ମୋତେ ଆବଶ୍ୟକୀୟ ସହଯୋଗ ମିଳୁଛି। ଏଥିପାଇଁ ମୁଁ ଟିପିଡବ୍ଲୁଓଡିଏଲ୍‌କୁ ଧନ୍ୟବାଦ ଜଣାଉଛି। ମୁଁ ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ରୁଫ୍‌ଟପ୍‌ ସୋଲାର ଆପଣାଇ ସରକାରଙ୍କ ପକ୍ଷରୁ ଉପଲବ୍ଧ ସବ୍‌ସିଡିର ସୁଯୋଗ ନେବା ସହ ଏକ ସ୍ୱଚ୍ଛ ଓ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନରେ ଅଂଶୀଦାର ହେବାକୁ ଆହ୍ୱାନ ଜଣାଉଛି।”

ଏହି ଅବସରରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ବୁର୍ଲା ସ୍ଥିତ ସରକାରୀ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଗ୍ରୁପ ସଙ୍ଗୀତ ପରିବେଷଣ କରିଥିବା ବେଳେ, ସମ୍ବଲପୁରର ଅଦୃଶ୍ୟ ନାଟ୍ୟଶ୍ରମ ପକ୍ଷରୁ ବିଦ୍ୟୁତ ସୁରକ୍ଷା ସମ୍ପର୍କିତ ଏକ ସଚେତନତାମୂଳକ ପ୍ରଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଏହାସହ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପିଲାମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।

ତେବେ କର୍ପୋରେଟ୍‌ କାର୍ଯ୍ୟାଳୟ ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ମଧ୍ୟ ସ୍ୱାଧୀନତା ଦିବସର ଉତ୍ସବ ସମାନ ଉତ୍ସାହର ସହ ପାଳିତ ହୋଇଥିଲା। ଟିପିଡବ୍ଲୁଓଡିଏଲ୍‌ର ସମସ୍ତ ୫ଟି ମଣ୍ଡଳ କାର୍ଯ୍ୟାଳୟ, ଡିଭିଜନାଲ୍‌ କାର୍ଯ୍ୟାଳୟ, ସବ୍‌-ଡିଭିଜନାଲ୍‌ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟରେ କର୍ମଚାରୀମାନେ ସକ୍ରିୟ ଭାବେ ଉତ୍ସବରେ ଯୋଗ ଦେଇଥିଲେ । ଏହା ମାଧ୍ୟମରେ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ, ନିରାପଦ ଓ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣ ସହ ପଶ୍ଚିମ ଓଡ଼ିଶାର ନିରନ୍ତର ବିକାଶରେ ଅବଦାନ ରଖିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ପୁନଃ ଦୋହରା ଯାଇଥିଲା ।

Share

Leave a Reply

Your email address will not be published. Required fields are marked *

8 + 11 =