ରାଜ୍ୟ

ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ

ଆଜି ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦକ୍ଷିଣ ମୋଡ଼ ହୋଇ ଅପେକ୍ଷା କରିଛି ତିନି ରଥ । ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ଶ୍ରୀବିଗ୍ରହ ଆଡପମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବେ । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି ।

ଆଜି ଭୋର ୪ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ୪:୧୫, ତଡପଲାଗି ୪:୩୦, ରୋଷହୋମ ୪:୩୦, ଅବକାଶ 5ଟା, ସୂର୍ଯ୍ୟପୂଜା ୫:୧୫, ଦ୍ବାରପାଳ ପୂଜା ୫:୩୦ ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ୫.୪୫ରୁ ୬.୪୫ରେ ଶେଷ ହୋଇଛି । ସେହିପରି ସେନାପଟା ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧:୩୦ ପର୍ଯ୍ୟନ୍ତ ଜାରି ରହିବ । ମଙ୍ଗଳ ଅପର୍ଣ ୧୧: ୪୫, ବାହୁଡା ପହଣ୍ଡି ମଧ୍ୟାହ୍ନ ୧୨ଟାରୁ ୨ଟା୩୦, ବେଶ ଶେଷ ୧ଟାରୁ ୨ଟା୩୦, ଛେରା ପହଁରା ୨:୩୦ରୁ ୩:୩୦, ଚାରମାଳ ଫିଟା, ଘୋଡା ଓ ସାରଥି ଲାଗି ୩ଟାରୁ ୪ଟା, ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।

ନୀତିକାନ୍ତି ପରେ ବିଶ୍ଵକର୍ମା ଓ ଭୋଇ ସେବକ ରଥରେ ଦଉଡି଼ ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥ ଟଣା ହେବ। ମାଉସୀମା’ ମନ୍ଦିର ସମ୍ମୁଖରେ ରଥାରୂଢ଼ ଠାକୁରଙ୍କୁ ପୋଡ଼ ପିଠା ଭୋଗ ଲାଗିବ। ତାଳଧ୍ଵଜ ଓ ଦେବଦଳନ ରଥ ଟଣା ହୋଇ ସିଂହଦ୍ଵାରେ ପହଞ୍ଚିବ। ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକିବ।

ସେଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ହେବ। ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାର ଲାଗିସହ ବେଶ କରାଇ ପାଲିଙ୍କିରେ ବିଜେ କରାଇ ଯଥାବିଧୂ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ। ଦହି ପଟି ମଣୋହି ପରେ ଗଜପତି ମହାରାଜାଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଶ୍ରୀଜଗନ୍ନାଥଙ୍କ ସହ ଭେଟ ହେବେ। ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପ୍ରଦକ୍ଷିଣ କରି ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିବେ। ପରେ ଶ୍ରୀନଅରଠାରୁ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ଵାର ସମ୍ମୁଖରେ ପହଁଚିବ ।

Share

Leave a Reply

Your email address will not be published. Required fields are marked *

4 × 3 =