ସୁପର ସନ୍ଡେରେ ଫାଇନାଲ୍, ଗୁଜରାଟକୁ ଭେଟିବ RCB
ଦୀର୍ଘ ୯ ସପ୍ତାହ ଧରି ଲାଗି ରହିଥିବା ରୋମାଞ୍ଚ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁପର ସନ୍ଡେରେ ଫାଇନାଲ୍ ମୁକାବିଲା ସହ ଶେଷ ହେବ ଆଇପିଏଲ୍ର ୧୯ତମ ସଂସ୍କରଣ । ଟାଇଟଲ ଲଢେଇରେ ସାମ୍ନା ସାମ୍ନି ହେବେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଓ ୨୦୨୨ ସିଜନ ଚାମ୍ପିଅନ୍ ଗୁଜରାଟ । ଉଭୟ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜିର ମ୍ୟାଚ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ପ୍ରଥମ କ୍ୱାଲିଫାୟର ଜିତିବା ପରେ ବେଙ୍ଗାଲୁରୁ ଦଳ ଧର୍ମଶାଳାରୁ ସିଧା ଅହମ୍ମଦାବାଦରେ ପହଞ୍ଚି ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ଗୁଜରାଟକୁ ଧର୍ମଶାଳାରୁ ଚଣ୍ଡୀଗଡ଼ ଆସି ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ପଡ଼ିଥିଲା । ଏହି ମ୍ୟାଚ ଜିତି ଗୁଜରାଟ ଫାଇନାଲ୍ ଟିକେଟ୍ ହାସଲ କରିବା ପରେ ନିଜ ଘରୋଇ ଭେନ୍ୟୁ ଅହମ୍ମଦାବାଦରେ ପହଞ୍ଚିଛି । ଯାତ୍ରା ବ୍ୟସ୍ତତା ମଧ୍ୟରେ ଅଭ୍ୟାସ କରିବା ପାଇଁ ଦଳକୁ ସମୟ ମିଳି ନାହିଁ । ଆଜି ଟସ ପୂର୍ବରୁ ଯାହା ଅଭ୍ୟାସ କରିବାକୁ ସମୟ ମିଳିବ ।
ବେଙ୍ଗାଲୁରୁ ୧୫ଟି ଓ ଗୁଜରାଟ ୧୬ଟି ମ୍ୟାଚ ଖେଳି ସାରିଛନ୍ତି । ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ପ୍ରଥମ ଲିଗ ମ୍ୟାଚରେ ବେଙ୍ଗାଲୁରୁ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଲିଗ୍ରେ ଗୁଜରାଓ ୪ ୱିକେଟ୍ରେ ଜିତିଥିଲା । ଏହାପରେ ଉଭୟ ଦଳ ପ୍ରଥମ କ୍ୱାଲିଫାୟରରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୯୨ ରନ୍ରେ ଗୁଜରାଟକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏଥର ଗୁଜରାଟ ପାଳି ।
ବେଙ୍ଗାଲୁରୁକୁ ହରାଇବା ସହଜ ନୁହେଁ । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ଗୁଜରାଟ ମଧ୍ୟ ପେସ ବୋଲିଂ ବାହିନୀର ପ୍ରଦର୍ଶନ ବଳରେ ଫାଇନାଳ୍ ଜିତିବାକୁ ପ୍ରସ୍ତୁତ । ବଳକା ଦାୟିତ୍ୱ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ସମ୍ଭାଳିବେ । ଇତି ମଧ୍ୟରେ ଗିଲ୍ ୭୨୨ ଓ ସୁଦର୍ଶନ ୭୧୦ ରନ ସଂଗ୍ରହ କରିସାରିଛନ୍ତି ।
ଆଜି ଟିମ ଡେଭିଡ୍ ଓ ଜାସନ ହୋଲ୍ଡରଙ୍କ ଉପରେ ନଜର ରହିବ । ଡେଭିଡ୍ ଶେଷ ୫ଟି ଇନିଂସ ଦୁଇ ଅଙ୍ଗ ଛୁଇଁ ନାହାନ୍ତି । ଆଜି ତାଙ୍କ ବ୍ୟାଟ୍ରୁ ଏକ ବିଶାଳ ସଟ୍ ଦେଖିବାକୁ ଦର୍ଶକ ଆଶା ରଖିବେ । ହୋଲ୍ଡର ଇତି ମଧ୍ୟରେ ୧୭ଟି ୱିକେଟ୍ ନେଇ ସାରିଛନ୍ତି । ମାତ୍ର ତାଙ୍କ ବ୍ୟାଟିଂ ଆଶାନୁରୂପ ହୋଇନାହିଁ । ଆଜି ଗୁଜରାଟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ ।
ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ଆଶା କରାଯାଉଛି । ଫିଲ ସଲ୍ଟ ଏକାଦଶରେ ସ୍ଥାନ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନଚେତ ପୂର୍ବ ୨ଟି ମ୍ୟାଚ ଭଳି ବିରାଟ କୋହଲିଙ୍କ ସହ ଭେଙ୍କଟେଶ ଆୟର ଓପନ କରିବେ । କୋହଲି ଓ ରାବାଡାଙ୍କ ମଧ୍ୟରେ ଆଜି ଏକ ଜୋରଦାର ଲଢେଇ ହେବ । ରାବାଡା ପୂର୍ବରୁ କୋହଲିଙ୍କୁ ୫ଥର ଆଉଟ୍ କରିସାରିଛନ୍ତି ।
ଫାଇନାଲ୍ ମ୍ୟାଚ ପାଇଁ ପ୍ରସ୍ତୁତ ପିଚ୍କୁ ନେଇ ଆଲୋଚନା ଜାରି ରହିଛି । ଏହି ପିଚ୍ରେ ବେଙ୍ଗାଲୁରୁ ଓ ଗୁଜରାଟ ମଧ୍ୟରେ ଗୋଟିଏ ମ୍ୟାଚ ହୋଇ ସାରିଛି । ଗୁଜରାଟ ଉକ୍ତ ମ୍ୟାଚ ଜିତିଥିଲା । ଏହି ମ୍ୟାଚରେ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୫୫ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଆଜି ମଧ୍ୟ ବଡ଼ ସ୍କୋର ହେବା ସମ୍ଭାବନା କମ୍ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଗୁଜରାଟ: ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ରାହୁଲ ତେୱାତିଆ, ନିଶାନ୍ତ ସିନ୍ଧୁ, ରସିଦ ଖାନ, ଅର୍ସଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ବେଙ୍ଗାଲୁରୁ: ବିରାଟ କୋହଲି, ଫିଲ ସଲ୍ଟ/ଭେଙ୍କଟେଶ ଆୟର, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ), ଜିତେଶ ଶର୍ମା, ରୋମାରିଓ ସେଫର୍ଡ, ଟିମ ଡେଭିଡ୍, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜାକବ ଡଫି/ ସୂୟାଶ ଶର୍ମା, ଜୋସ ହାଜେଲଉଡ୍, ରସିକ ସଲାମ ।

