Business

ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରୟାସ

ଭୁବନେଶ୍ୱର, ୧୦/୦୩/୨୦୨୬: ଗ୍ରାମାଞ୍ଚଳରେ ବସବାସ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସମସ୍ୟାର ସମାଧାନ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ‘ସବଳ’ କାର‌୍ୟ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର ‘ଗ୍ରାମୀଣ ଭିନ୍ନକ୍ଷମ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ଏଥିରେ ନୀତି ନିର୍ଦ୍ଧାରକ, ଭିନ୍ନକ୍ଷମ ଅଧିକାର କର୍ମୀ, ବିଶେଷଜ୍ଞ ଏବଂ ସମାଜର ପ୍ରତିନିଧିମାନେ ଏକତ୍ରିତ ହୋଇ ଗ୍ରାମାଞ୍ଚଳରେ ଏକ ଅନ୍ତର୍ଭୁକ୍ତିକରଣ ଓ ସୁଗମ୍ୟ ବ୍ୟବସ୍ଥା ଗଠନ ସମ୍ପର୍କରେ ଆଲୋଚନା କରିଥିଲେ ।

ମହାତ୍ମା ଗାନ୍ଧୀଙ୍କ ‘ଭାରତ, ତା’ର ଗାଁରେ ବସବାସ କରେ’ ଦର୍ଶନକୁ ଆଧାର କରି ଏହି ସମ୍ମିଳନୀରେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ବାସ୍ତବିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସହର ତୁଳନାରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ସହାୟକ ପ୍ରଯୁକ୍ତି ଏବଂ ଜୀବିକା ନିର୍ବାହର ସୁଯୋଗ ସୀମିତ ଥିବାରୁ ଏ ଦିଗରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଥିଲା ।

କାର‌୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ରାଜ୍ୟ ଆୟୁକ୍ତ ବ୍ରତତୀ ହରିଚନ୍ଦନ, ଗୋଆର ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ରାଜ୍ୟ ଆୟୁକ୍ତ ଗୁରୁପ୍ରସାଦ ପାୱାସ୍କର, ଓପନ୍ ଲର୍ଣ୍ଣିଂ ସିଷ୍ଟମର ପ୍ରତିଷ୍ଠାତା କସ୍ତୁରୀ ମହାପାତ୍ର ଏବଂ ସର୍ବେଶାଂ ମଙ୍ଗଳମ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଝରଣା ମଲ୍ଲିକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଏହାବ୍ୟତୀତ ରାଇଜିଂ ଫ୍ଲେମର ପ୍ରତିଷ୍ଠାତା ତଥା କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ନିଧି ଗୋୟଲ, ହାପି ହ୍ୟାଣ୍ଡ ସ୍କୁଲର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶିବାଜୀ ପଣ୍ଡା, ପୂର୍ବତନ ମହିଳା ଓ ଶିଶୁ ବିକାଶ କମିଶନର ମିନତୀ ବେହେରା, ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି ନିରଞ୍ଜନ ବେହେରା, ଦକ୍ଷତା ବିକାଶ ମୁଖ୍ୟ କ୍ୟାପଟେନ ଅମିତାଭ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ସିଇଓ ସୌରଭ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପୁନର୍ବାସ ସେବା, ଗ୍ରାମୀଣ ବିଦ୍ୟାଳୟରେ ସମନ୍ୱିତ ଶିକ୍ଷା, ଶାରୀରିକ ପରିଶ୍ରମ ବାହାରେ ଜୀବିକାର ସୁଯୋଗ ଏବଂ ଭିନ୍ନକ୍ଷମଙ୍କ ପ୍ରତି ଥିବା ସାମାଜିକ କୁସଂସ୍କାର ଦୂର କରିବା ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷ କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ପ୍ରଭାବୀ କାର‌୍ୟ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଶ୍ରୀମତୀ ବ୍ରତତୀ ହରିଚନ୍ଦନ କହିଥିଲେ ଯେ, ସହର ଓ ଗାଁ ମଧ୍ୟରେ ଥିବା ସୁବିଧା ସୁଯୋଗର ବ୍ୟବଧାନକୁ କମାଇବା ଜରୁରୀ ଏବଂ ଏହିଭଳି ମଞ୍ଚ ସମନ୍ୱିତ ସହଯୋଗ ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିପାରିବ ।

ସେହିଭଳି ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଇଓ ସୌରଭ ରାୟ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମାଞ୍ଚଳରେ ଭିନ୍ନକ୍ଷମମାନେ ଭୋଗୁଥିବା ସମସ୍ୟାଗୁଡ଼ିକୁ ବୁଝିବା ଏବଂ ସେଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଗୋଷ୍ଠୀଭିତ୍ତିକ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ସମ୍ମିଳନୀର ଅନ୍ୟତମ ଆକର୍ଷଣ ଭାବେ ‘ଇଣ୍ଟରନ୍ୟାସନାଲ ପର୍ପଲ୍ ଫେଷ୍ଟ, ଗୋଆ’ର ଏକ କଫି ଟେବୁଲ୍ ବୁକ୍ ଉନ୍ମୋଚିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

five × 3 =