କାଲି ଆସିବ ସୁଭଦ୍ରା ଟଙ୍କା
ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ ହେବ ଏହି କାର୍ଯ୍ୟକ୍ରମ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସଫଳତା ପାଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମଞ୍ଚରେ ଦିଆଯିବ ସମ୍ମାନ। ଏହା ଦ୍ବାରା ଅନ୍ୟ ମହିଳା ମାନଙ୍କୁ ପ୍ରେରଣା ମିଳିବ କହିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ପୁରୀ ତାଳବଣିଆରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।ପୋଲିସ ଠାରୁ ଆରମ୍ଭ କରି ଟ୍ରାଫିକ ମ୍ୟାନେଜମେଣ୍ଟର ସରିଲାଣି ପ୍ରସ୍ତୁତି ।
ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ଯେଉଁ ମହିଳାମାନେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସରେ ପହଞ୍ଚିଛନ୍ତି, ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ, ତେବେ ସେମାନେ ୮ ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ।

