Business

ଟିପିସିଓଡିଏଲ୍‌ ପକ୍ଷରୁ ବିଜନେସ୍ ଆସୋସିଏଟ ମିଟ୍‌ ଅନୁଷ୍ଠିତ: ସୁରକ୍ଷା, ଗୁଣବତ୍ତା ଓ ଦୀର୍ଘକାଳୀନ ସହଭାଗିତା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୧ ଫେବୃଆରୀ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଗତ ୨୦ ଫେବୃଆରୀ ୨୦୨୬ରେ ଭୁବନେଶ୍ୱରଠାରେ ଏକ ବିଜନେସ୍ ଆସୋସିଏଟ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତର ବିଭିନ୍ନ ଯୋଗାଣକାରୀ, ନିର୍ମାତା ଏବଂ ସେବା ପ୍ରଦାନକାରୀ ସଂସ୍ଥା ସମେତ ଓଡ଼ିଶା ଏମଏସଏମଇ ଅଧୀନରେ ପଞ୍ଜିକୃତ ଅନେକ ଉଦ୍ୟୋଗ ଯୋଗ ଦେଇଥିଲେ। ଟିପିସିଓଡିଏଲ୍‌ ଏବଂ ଏହାର ବିଜନେସ୍ ଆସୋସିଏଟ୍‌ ମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଦୀର୍ଘକାଳୀନ ସହଭାଗିତା ସ୍ଥାପନ କରିବା ଏବଂ ଏକ ସୁଦୃଢ଼ ଓ ନିରବଚ୍ଛିନ୍ନ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ଗଠନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଅବସରରେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ କାଲେ, ଟିପିସିଓଡିଏଲ୍‌ ର ସିଇଓ ଶ୍ରୀ ଅରଭିନ୍ଦ ସିଂହ, ସିଏଫଓ (ଟିଆଣ୍ଡଡି) ଶ୍ରୀ ସଞ୍ଜୀବ ଗୁପ୍ତା ଏବଂ ସିଓଓ ଶ୍ରୀ ଦୁଷ୍ୟନ୍ତ ତ୍ୟାଗୀ ପ୍ରମୁଖ ଯୋଗଦେଇ ବ୍ୟବସାୟିକ କ୍ଷେତ୍ରରେ ଗୁଣବତ୍ତା, ନୈତିକତା, ଉଚିତ ସମୟରେ ସେବା ପ୍ରଦାନ, ଜ୍ଞାନର ଆଦାନପ୍ରଦାନ, ପ୍ରତିଯୋଗିତାମୂଳକ ମୂଲ୍ୟ ନିର୍ଦ୍ଧାରଣ ଏବଂ ଦୀର୍ଘକାଳୀନ ସହଭାଗିତା ଉପରେ ଜୋର ଦେଇଥିଲେ। ଏହା ସହିତ ସେମାନେ ବିଜନେସ୍ ଆସୋସିଏଟ୍‌ ମାନଙ୍କୁ ଓଡ଼ିଶାରେ ଟ୍ରାନ୍ସଫର୍ମର, କେବୁଲ୍, କଣ୍ଡକ୍ଟର, ପୋଲ୍, ମିଟର ଏବଂ ମିଟର ବକ୍ସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିଥିଲେ, ଯାହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ପାଇଁ ବ୍ୟବସାୟର ସୁଯୋଗ ବୃଦ୍ଧି ପାଇବ।

ସମ୍ମିଳନୀରେ କମ୍ପାନୀର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ବିଶେଷ କରି ପ୍ରୋଜେକ୍ଟ, ଇଞ୍ଜିନିୟରିଂ, କ୍ୱାଲିଟି, ଅଟୋମେସନ ଏବଂ ସେଫ୍ଟି ଟିମ୍ ପକ୍ଷରୁ ଉନ୍ନତମାନର ସାମଗ୍ରୀ, ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ କାର୍ଯ୍ୟକ୍ଷେତ୍ରରେ କଠୋର ସୁରକ୍ଷା ନିୟମ ଅନୁପାଳନ କରିବା ଉପରେ ଜୋର ଦିଆଯାଇଥିଲା।

ଏହି ଆଲୋଚନାରେ ବିଶେଷ କରି ସୁଦୃଢ଼ ସୁରକ୍ଷା ପ୍ରୋଟୋକଲ୍, ବୈଧାନିକ ନିୟମ ପାଳନ, ନୈତିକ ବ୍ୟବସାୟିକ ଆଚରଣ, ଉଚ୍ଚ ଗୁଣବତ୍ତାର ମାନଦଣ୍ଡ ଏବଂ ଗ୍ରାହକ-କୈନ୍ଦ୍ରିକ ପରିଚାଳନା ଏବଂ ସେବା ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୨୫-୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୪ ଜଣ ବିଜନେସ୍ ଆସୋସିଏଟ୍‌ ଙ୍କୁ ପୁରସ୍କୃତ କରାଯାଇଥିଲା।
ଟିପିସିଓଡିଏଲ୍‌ ଏହାର ବାର୍ଷିକ ବିଜନେସ୍ ଆସୋସିଏଟ୍‌ ମିଟ୍‌ କୁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ବ୍ୟବହାର କରିଥାଏ, ଯାହା ବ୍ୟବସାୟିକ ସହଯୋଗୀ ଏବଂ ବରିଷ୍ଠ ନେତୃତ୍ୱ ମଣ୍ଡଳୀଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବାରେ ସାହାଯ୍ୟ କରେ। ଏହିପରି ଆଲୋଚନା ଚକ୍ର ଦୈନନ୍ଦିନ କାର୍ଯ୍ୟର ଚାପ ବାହାରେ ଏକ ସୁଦୃଢ଼ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ିବାରେ ସହାୟକ ହେବା ସହ ଏକ ମୁକ୍ତ ମଞ୍ଚ ପ୍ରଦାନ କରିଥାଏ, ଯେଉଁଠାରେ ସହଯୋଗୀମାନେ ନିଜର ମତାମତ, ଅଭିଜ୍ଞତା ଏବଂ ପରାମର୍ଶ ବାଣ୍ଟିଥାନ୍ତି। ଏଭଳି ମିଳିତ ପ୍ରୟାସ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ସଂସ୍ଥାର ଅଭିବୃଦ୍ଧି ପାଇଁ ନୂତନ ସମାଧାନ ବାହାର କରିବାରେ ଏକ ମାଧ୍ୟମ ସାଜିଥାଏ। ବିଜନେସ୍ ଆସୋସିଏଟ୍‌ ମାନେ ମଧ୍ୟ ଏହି ଇକୋସିଷ୍ଟମକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେମାନଙ୍କର ମୂଲ୍ୟବାନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ।

ସାମଗ୍ରୀ ଯୋଗାଣ ସମୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ନିରନ୍ତର ସହାୟତା ଏବଂ ସହଯୋଗ ପାଇଁ ବିଜନେସ୍ ଆସୋସିଏଟ୍‌ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଏକ ସହଯୋଗମୂଳକ ଏବଂ ସହାୟକ ବ୍ୟବସାୟିକ ପରିବେଶ ସୃଷ୍ଟି କରିଥିବାରୁ ସେମାନେ ଟିପିସିଓଡିଏଲ୍‌ର ନେତୃତ୍ୱ ମଣ୍ଡଳୀକୁ କୃତଜ୍ଞତା ଜଣାଇଥିଲେ।

Share

Leave a Reply

Your email address will not be published. Required fields are marked *

one + 16 =