ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ କାର୍ଯ୍ୟକ୍ଷେତ୍ରକୁ ଫେରୁଥିବା ମହିଳା ପେସାଦାରଙ୍କ ପାଇଁ ‘ନୂଆ ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ
ଭୁବନେଶ୍ୱର: ଗତବର୍ଷର ମହିଳା କ୍ୟାରିୟର କମ୍ବ୍ୟାକ୍ କାର୍ଯ୍ୟକ୍ରମର ଉତ୍ସାହଜନକ ସଫଳତା ପରେ, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ଆଜି ‘ନୂଆ ଆରମ୍ଭ’ ର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ପଦକ୍ଷେପଟି କୌଣସି କାରଣରୁ କାର୍ଯ୍ୟକ୍ଷେତ୍ରରୁ ବିରତି ନେଇଥିବା ମହିଳା ପେସାଦାରମାନଙ୍କୁ ପୁଣିଥରେ ସେମାନଙ୍କର ବୃତ୍ତିଗତ ଯାତ୍ରା ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି।
ଏହି ପଦକ୍ଷେପ ବିବିଧତା, ଅନ୍ତର୍ଭୁକ୍ତିକରଣ ଏବଂ ଲିଙ୍ଗଗତ ସମାନତା ପ୍ରତି ଟାଟା ପାୱାରର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିବା ସହିତ ଓଡ଼ିଶାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ଏବଂ ଭବିଷ୍ୟତ ଉପଯୋଗୀ କ୍ୟାରିୟର ସୁଯୋଗ ସୃଷ୍ଟି କରୁଛି।
‘ନୂଆ ଆରମ୍ଭ’ ଅଧୀନରେ ଟାଟା ପାୱାର ଦ୍ୱାରା ପରିଚାଳିତ ଓଡ଼ିଶାର ଚାରୋଟି ଡିସକମ୍ ଯଥା ଟିପିସିଓଡିଏଲ୍ , ଟିପିଏନ୍ଓଡିଏଲ୍ , ଟିପିଏସ୍ଓଡିଏଲ୍ ଏବଂ ଟିପିଡବ୍ଲ୍ୟୁଓଡିଏଲ୍ ରେ ବିଭିନ୍ନ ପଦବୀ ପାଇଁ ଯୋଗ୍ୟ ମହିଳା ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି। ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଭାବରେ ଏହି ଚାରୋଟି ଡିସକମ୍ ସାରା ରାଜ୍ୟରେ ବିଦ୍ୟୁତ୍ ବିତରଣ ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆତ୍ମବିଶ୍ୱାସର ସହ ପୁଣିଥରେ କାର୍ଯ୍ୟକ୍ଷେତ୍ରକୁ ଫେରିବାରେ ସକ୍ଷମ କରିବା।
ଏହାର ପୂର୍ବ ସଂସ୍କରଣରେ ଏହି ପଦକ୍ଷେପକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା, ଯେଉଁଥିରେ ୮ ଜଣ ମହିଳା ପେସାଦାର ଓଡ଼ିଶା ଡିସକମ୍ର ବିଭିନ୍ନ ବିଭାଗରେ ସଫଳତାର ସହ ନିଯୁକ୍ତି ପାଇଥିଲେ। ଏହି ଫଳାଫଳରେ ଉତ୍ସାହିତ ହୋଇ ୨୦୨୬ ବ୍ୟାଚ୍ ପାଇଁ ଏକ ସୁବ୍ୟବସ୍ଥିତ ଏବଂ ସ୍ୱଚ୍ଛ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ଏହି ଚୟନ ପ୍ରକ୍ରିୟା କମ୍ପାନୀର ନିଯୁକ୍ତି ନୀତି, ଯୋଗ୍ୟତା, ପ୍ରାସଙ୍ଗିକ ଅଭିଜ୍ଞତା ଉପରେ ଆଧାରିତ ହେବ। ମନୋନୀତ ପ୍ରାର୍ଥୀମାନଙ୍କୁ ଅପରେସନ୍ ଏବଂ ମେଣ୍ଟେନାନ୍ସ, କମର୍ସିଆଲ୍ ଏବଂ କଷ୍ଟମର ସର୍ଭିସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ।
ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ଲିଙ୍କ୍: https://forms.gle/a7Y6uj16HyZgR48n9 ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନକାରୀଙ୍କ ମଧ୍ୟରୁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପରବର୍ତ୍ତୀ ମୂଲ୍ୟାୟନ ପାଇଁ ଡକାଯିବ।
ଗତବର୍ଷ ମନୋନୀତ ହୋଇ ବର୍ତ୍ତମାନ ଟିପିସିଓଡିଏଲ ର ସିସିଜି ଏବଂ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ସୁଭାଦିନୀ ଓରାମ ପ୍ରଥମ ସଂସ୍କରଣର ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, “‘ନୂଆ ଆରମ୍ଭ’ ମୋତେ କେବଳ କାର୍ଯ୍ୟକୁ ଫେରିବା ପାଇଁ ନୁହେଁ, ବରଂ ନିଜର ଅଭିବୃଦ୍ଧି ପାଇଁ ଏକ ବଡ଼ ସୁଯୋଗ ଦେଇଛି। ଆରମ୍ଭରୁ ହିଁ ଏହି ପ୍ରକ୍ରିୟା ଅତ୍ୟନ୍ତ ସୁବ୍ୟବସ୍ଥିତ ଏବଂ ଉତ୍ସାହଜନକ ଥିଲା। ସିସିଜି ଏବଂ ଇଞ୍ଜିନିୟରିଂ ବିଭାଗରେ କାମ କରିବା ଦ୍ୱାରା ମୋର ଦକ୍ଷତା ବୃଦ୍ଧି ପାଇବା ସହିତ ମୋର ବୃତ୍ତିଗତ ପରିଚୟର ପୁନଃ ନିର୍ମାଣ କରିବାରେ ସାହାଯ୍ୟ ମିଳିଛି।”
‘ନୂଆ ଆରମ୍ଭ’ ମାଧ୍ୟମରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ମହିଳାମାନଙ୍କ ପାଇଁ ସେମାନଙ୍କ କ୍ୟାରିୟର ଫେରି ପାଇବା, ରାଜ୍ୟର ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ସହିତ ଓଡ଼ିଶାର ବିକାଶ ଗାଥାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ପଥ ପ୍ରଶସ୍ତ କରୁଛି।
