Business

ବିଶ୍ୱ ଅର୍ଥନୈତିକ ଫୋରମ୍‌ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ସାମିଲ ହେଲା ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ ଜୋନ୍‌ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ୱର, ୦୨/୦୬ /୨୦୨୫: ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌)ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ଯୋଡ଼ି ହୋଇଛି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ ଜୋନ୍‌ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି)। ଅର୍ଥନୈତିକ ଅଭିବୃଦ୍ଧି ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ (ଅଙ୍ଗାରକାମ୍ଳ) Co2 ନିର୍ଗମନ ହ୍ରାସ କରିବାରେ ଏହା ଶିଳ୍ପ କ୍ଲଷ୍ଟର୍‌ର ସରକାରୀ ଓ ଘରୋଇ ଅଂଶୀଦାରଙ୍କୁ ଏକତ୍ରିତ କରିବ। ଆକ୍ସେଚଂର ଓ ଇଲେକ୍ଟ୍ରିକ୍ ପାୱାର ରିସର୍ଚ୍ଚ ଇଣ୍ଡିଆ (ଇପିଆର୍‌ଆଇ) ସହଯୋଗିତାରେ କାର୍ଯ୍ୟକାରୀ କରାଯାଇଥିବା ଏହି ବିଶ୍ୱସ୍ତରୀୟ ଅଭିଯାନରେ ଦୀର୍ଘସ୍ଥାୟୀତ୍ୱ, ଶକ୍ତି ଦକ୍ଷତା ଓ ସବୁଜ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ବ୍ୟାପକ ଡିକାର୍ବନାଇଜେସନ୍‌ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଜିଆଇପି, ଖୁବ୍ କମ୍ ସମୟ ମଧ୍ୟରେ ଗ୍ରିନ୍ ହାଇଡ୍ରୋଜେନ୍‌/ଗ୍ରିନ୍ ଆମୋନିଆ ଓ ଅକ୍ଷୟ ଶକ୍ତି ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି। ଜିଆଇପି ଏହାର ନିଜସ୍ୱ ବିକାଶ ଲକ୍ଷ୍ୟ ଏବଂ ରାଷ୍ଟ୍ରୀୟ ଗ୍ରିନ୍ ହାଇଡ୍ରୋଜେନ ମିଶନକୁ ଏକାଠି ପୂରଣ କରିବା ପାଇଁ ଦୀର୍ଘସ୍ଥାୟିତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇଛି।  ଏହି ମିଶନରେ ଭାରତକୁ ଗ୍ରିନ୍ ହାଇଡ୍ରୋଜେନ୍ ଓ ଏହାର ଡେରିଭେଟିଭ୍ ଉତ୍ପାଦନ, ଉପଯୋଗ ଓ ରପ୍ତାନିର ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ରାଷ୍ଟ୍ର ଭାବେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ୍ ଜୋନ୍ ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି, “ବିଶ୍ୱ ଅର୍ଥନୈତିକ ଫୋରମ୍‌ରେ ରୂପାନ୍ତରିତ ଅଭିଯାନର ଅଂଶ ହୋଇଥିବାରୁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ଗର୍ବିତ। ଜିଆଇପି ଭଳି ବୃହତ୍ କ୍ଲଷ୍ଟର୍ ସହ ଓଡ଼ିଶାରେ ଜାରି ରହିଥିବା ଦ୍ରୁତ ଶିଳ୍ପାୟନ ମଧ୍ୟ ଏକ ଡିକାର୍ବନାଇଜଡ୍ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଆମର ସୁଦୃଢ଼ ଭିତ୍ତିଭୂମି ନୂଆ ସୁଯୋଗ ପ୍ରଦାନ କରୁଛି। ଗ୍ରିନ୍ ହାଇଡ୍ରୋଜେନ୍ ଓ ଅକ୍ଷୟ ଶକ୍ତି କ୍ଲଷ୍ଟର୍ ଉପରେ ଜିଆଇପିର ଗୁରୁତ୍ୱ, ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ଆମ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଓ ଅଭିନବ ସହଯୋଗିତାକୁ ନେଇ ଆମେ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ପ୍ରତି ଉଲ୍ଲେଖନୀୟ ଭାବେ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛୁ। ଜିଆଇପିରେ ଖୁବ୍‌ଶୀଘ୍ର ଆଉ ୫ଟି ନୂଆ ପ୍ରକଳ୍ପ ଆସିବ ବୋଲି ଆମେ ଆଶା କରୁଛୁ।’’

ଜିଆଇପିର ୨୫ % ଜମିକୁ ଗ୍ରିନ୍ ହାଇଡ୍ରୋଜେନ୍‌/ ଗ୍ରିନ୍ ଆମୋନିଆ ଓ ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ ଉପଲବ୍ଧ କରାଯାଇଛି, ଯାହା ଜାତୀୟ ଦୀର୍ଘସ୍ଥାୟିତ୍ୱ ଲକ୍ଷ୍ୟ ସହ ସମନ୍ୱିତ ରହିଛି। ଜିଆଇପି ପକ୍ଷରୁ ବିଭିନ୍ନ ଗ୍ରିନ୍ ହାଇଡ୍ରୋଜେନ୍ ସଂସ୍ଥା ସହିତ ଜମି ଲିଜିଂ ଓ ବ୍ଲକିଂ ବୁଝାମଣା ସ୍ୱାକ୍ଷର କରାଯାଇଛି। ପ୍ରାୟ ୩୫,୦୦୦ କୋଟି ଟଙ୍କାର ବହୁ ପର୍ଯ୍ୟାୟ ଭିତ୍ତିକ ନିବେଶ ସହିତ ଏହା ମୋଟ ବାର୍ଷିକ ୩ ନିୟୁତ ଟନ୍ ଗ୍ରିନ୍ ଆମୋନିଆ କ୍ଷମତା ପାଇଁ ସୁବିଧା ପ୍ରଦାନ କରିଛି। ଏହି ନିବେଶଗୁଡ଼ିକ ସହିତ ୨୦୩୦ ସୁଦ୍ଧା ଜାତୀୟ ଗ୍ରିନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ ଭାରତ ଗ୍ରିନ୍ ହାଇଡ୍ରୋଜେନ୍‌/ ଗ୍ରିନ୍ ଆମୋନିଆ ଲକ୍ଷ୍ୟ ପ୍ରତି ୧୨ ପ୍ରତିଶତ ଅବଦାନ ପ୍ରଦାନ କରିବାକୁ ଜିଆଇପି ସକ୍ଷମ ହେବ।

ଜିଆଇପି ଭିତ୍ତିଭୂମି ମାଷ୍ଟର ପ୍ଲାନ୍‌ରେ ରହିଥିବା ପ୍ରମୁଖ ଉପାଦାନଗୁଡ଼ିକ ହେଉଛି ୨.୫ କିମି ଲମ୍ବ ଓ ୨୦୦ ଫୁଟ ଚଉଡ଼ା ସ୍ୱତନ୍ତ୍ର ୟୁଟିଲିଟି କରିଡର ଯାହା ଗୋପାଳପୁର ବନ୍ଦର ସହିତ ଏସ୍‌ଇଜେଡ୍‌କୁ ଯୋଡୁଛି। ଏହା ବିଶ୍ୱସ୍ତରରେ ରପ୍ତାନି ପାଇଁ ଗ୍ରିନ୍ ଆମୋନିଆର ପ୍ରଭାବଶାଳୀ ଓ ସୁରକ୍ଷିତ ପରିବହନକୁ ସୁନିଶ୍ଚିତ କରିବ। ଅନ୍ତର୍ଜାତୀୟ ବଜାରକୁ ଗ୍ରିନ୍ ଆମୋନିଆ ରପ୍ତାନି କରିବାର ନିରବଚ୍ଛିନ୍ନ ସୁବିଧା ପ୍ରଦାନ କରିବା ଲାଗି ଜିଆଇପି ପକ୍ଷରୁ ଗୋପାଳପୁର ବନ୍ଦର ସହ ମଧ୍ୟ ସହଯୋଗିତା ସ୍ଥାପନ କରାଯାଇଛି।

ସ୍ଥାୟୀ ଓ ଚବିଶ ଘଂଟିଆ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏକ ଡିସାଲିନେସନ ପ୍ଲାଂଟ୍ ସ୍ଥାପନ କରିବାକୁ ଜିଆଇପି ଯୋଜନା ରଖିଛି। ଯାହା ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଜଳ ଆବଶ୍ୟକତା ପୂରଣ କରିବା ସହ ସ୍ଥାନୀୟ ସମ୍ବଳର ସୁରକ୍ଷା କରିବ। ଭରସାଯୋଗ୍ୟ ସବୁଜ ଶକ୍ତି ବ୍ୟବସ୍ଥା  ଉପରେ ମଧ୍ୟ ଜିଆଇପି କାର୍ଯ୍ୟ କରୁଛି। ଶିଳ୍ପ ବର୍ଜ୍ୟଜଳର ସୁରକ୍ଷିତ ନିଷ୍କାସନ ପାଇଁ ଜିଆଇପି ଏକ କମନ୍ ଏଫ୍ଲୁଏଂଟ୍ ଟ୍ରିଟ୍‌ମେଂଟ୍ ପ୍ଲାଂଟ୍ ମଧ୍ୟ ସ୍ଥାପନ କରୁଛି।

Share

Leave a Reply

Your email address will not be published. Required fields are marked *

7 + 7 =