Friday, October 30, 2026
HealthLatestଜାତୀୟ

ଅମ୍ଲଜାନ ରୋକିଲେ ଫାଶୀରେ ଝୁଲାଇଦେବୁୁୁ

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ସିଜେନ୍ ସଙ୍କଟ ନେଇ ଶୁଣାଣି ବେଳେ କଡ଼ା ଚେତାବନୀ ଶୁଣାଇଛନ୍ତି ହାଇକୋର୍ଟ । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଏଭଳି ଟିପ୍ପଣୀ କରିଛନ୍ତି । ମହାରଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ହସ୍ପିଟାଲରେ ଗମ୍ଭୀର କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ନିଅଣ୍ଟକୁ ନେଇ କୋର୍ଟ ଏଭଳି ମତ ଦେଇଛନ୍ତି । ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ ସମ୍ପର୍କରେ ଅଗ୍ରସେନ୍ ହସ୍ପିଟାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ଅକ୍ସିଜେନ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ତାହା ଜଣାଇବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଖଣ୍ଡପୀଠ କହିଥିଲେ ଯେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀଖୁଣ୍ଟରେ ଝୁଲାଇଦେବୁୁୁ। ଆମେ କାହାକୁ ବି ଛାଡିବୁନି । ଦିଲ୍ଲୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର ଏପରି ଦୋଷୀ ଅଧିକାରୀଙ୍କ ବିଷୟରେ କେନ୍ଦ୍ରକୁ ମଧ୍ୟ ସୂଚନା ଦିଅ ଯାହା ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ତେବେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଦିଲ୍ଲୀ ପାଇଁ ପ୍ରତିଦିନ ମିଳିବାକୁ ଥିବା ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ କେବେ ମିଳିବ ସେ ନେଇ ପ୍ରଶ୍ନ କରିଛନ୍ତି | ଅଦାଲତ କହିଛନ୍ତି କେନ୍ଦ୍ର ସରକାର ୨୧ ତାରିଖରେ ଦିଲ୍ଲୀକୁ ଦୈନିକ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପହଞ୍ଚାଇବା ଲାଗି ଆଶ୍ୱସ୍ତ କରିଥିଲେ । ଆମକୁ କୁହନ୍ତୁ ଅକ୍ସିଜେନ୍ କେବେ ଆସିବ ? ରାଜଧାନୀ ଦିଲ୍ଲୀର ଅଧିକାଂଶ ହସ୍ପିଟାଲରେ ଅକ୍ସିଜେନ ଘୋର ଅଭାବ ଦେଖାଦେଇଛି ।

Share

Leave a Reply

Your email address will not be published. Required fields are marked *

twenty − 2 =