Friday, October 30, 2026
Latestରାଜ୍ୟ

ଶ୍ରୀମନ୍ଦିର ବ୍ୟବସ୍ଥାରେ ହେବ ପରିବର୍ତ୍ତନ!

ବନ୍ଦ ହେବ ବଂଶାନୁକ୍ରମିକ ସେବା

ମନ୍ଦିର ପାଣ୍ଠିର ହେବ ଅଡିଟ୍

ନୂଆଦିଲ୍ଲୀ () ଶ୍ରୀମନ୍ଦିରରେ ଚାଲିଥିବା ସେବାୟତ, ରୋଷଘର, ଶ୍ରୀଜୀଉଙ୍କ ଦର୍ଶନ ଆଦି ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାରେ ପରିବର୍ତ୍ତନ ହେବ । ପୁରୀ ଜିଲ୍ଲା ଜଜ ଏଦିଗରେ ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ନୀତିଗତ ଭାବେ ଗ୍ରହଣ କରି ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ ଜଜ ଦେଇଥିବା ପ୍ରସ୍ତାବ ଅନୁଯାୟୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ପରମ୍ପରାକୁ ବନ୍ଦ ହେବ । ବଂଶାନୁକ୍ରମିକ ଭାବେ ଚାଲିଥିବା ସେବାୟତ ପରମ୍ପରାର ଉଚ୍ଛେଦ କରି ନୂଆ ସେବାୟତଙ୍କୁ ନିଯୁକ୍ତି ଦିଆଯାଉ । ସେହିପରି ରୋଷଘର ଓ ଚୁଲାକୁ ମନ୍ଦିର ପରିଚାଳନା କର୍ତୃପକ୍ଷ ନିୟନ୍ତ୍ରଣକୁ ନେବା ପାଇଁ ସୁପାରିଶ କରିଛନ୍ତି ଜିଲ୍ଲା ଜଜ  । ଏଥିସହିତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ସହ ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲା ଜଜ ।

ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ବନ୍ଦ କରାଯାଉ । ଏହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ଦାନ ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ହୁଣ୍ଡି ଓ ଭକ୍ତଙ୍କ ଅନ୍ୟାନ୍ୟ ଦାନ ଉପରେ ତୀକ୍ଷ୍ଣ ନଜର ରଖାଯାଉ ଏବଂ ମନ୍ଦିର ପାଣ୍ଠିକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ବାରା ଅଡିଟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମନ୍ଦିରରେ ସୁରକ୍ଷା ପରିଚାଳନା ପାଇଁ ଏକକ ବ୍ୟବସ୍ଥା କରାଯାଉ । ଏହାଛଡ଼ା ଜଗନ୍ନାଥ ମନ୍ଦିର ଆକ୍ଟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲା ଜଜ ଗତ ମାସ ୨୬ ତାରିଖରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ଜିଲ୍ଲା ଜଜଙ୍କ ପରାମର୍ଶକୁ ନୀତିଗତ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏବଂ ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜଜ୍ ଯଦି ଚାହିଁବେ, ତେବେ ଅଗଷ୍ଟ ୩୧ ସୁଦ୍ଧା ଅତିରିକ୍ତ ରିପୋର୍ଟ ପ୍ରଦାନ କରିପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଗଷ୍ଟ ୩୧ ସୁଦ୍ଧା ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଜଜଙ୍କ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Share

Leave a Reply

Your email address will not be published. Required fields are marked *

17 − four =