ଭାରତ-ପାକ ସୀମାରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ

ନୂଆଦିଲ୍ଲୀ, 30/05 ()  :ସୀମାରେ ଶାନ୍ତି ସ୍ଥାପନ ପାଇଁ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁକୂଳ ମାହୋଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛ । ପ୍ରଥମେ ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଏବେ ଉଭୟ ଦେଶର ଏନଏସଏ ମଧ୍ୟରେ ଆଲୋଚନା ପାଇଁ ଉଦ୍ୟମ କରାଯାଉଛି ।

ଜାମ୍ମୁ ଓ କାଶ୍ମୀର ସୀମାରେ ପାକିସ୍ତାନ ପକ୍ଷରୁ ହେଉଥିବା ଗୁଳିମାଡ଼କୁ ରୋକିବା ପାଇଁ ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ହୋଇଥିଲା । ଦୁଇ ଦେଶର ଅଧିକାରୀ ପୁଣି ଥରେ ୨୦୦୩ର ଅସ୍ତ୍ରବିରତି ରାଜିନାମାକୁ ଆଗକୁ ବଢାଇବାକୁ ରାଜି ହୋଇଛନ୍ତି । ଆଲୋଚନାକୁ ଆଉ ପାଦେ ଆଗକୁ ବଢାଇବାକୁ ଉଭୟ ଦେଶ ପ୍ରସ୍ତୁତି କରୁଛନ୍ତି । ସୂତ୍ର ମୁତାବକ  ଯଦି ସୀମାରେ ଶାନ୍ତି କାଏନ ରହେ ତେବେ ଉଭୟ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଙ୍କ ମଧ୍ୟରେ ବୈଠକ ହୋଇପାରେ ।

ଡିଜିଏମଓସ୍ତରୀୟ ଆଲୋଚନା ପରେ ସୀମାରେ କୌଣସି ପ୍ରକାରର ଗୁଳିମାଡ଼ର ଖବର ଆସି ନାହିଁ । ଏହି କାରଣରୁ ଏବେ ଆଲୋଚନାକୁ ଏବେ ବଡ଼ ସ୍ତରକୁ ନେଇଯିବାକୁ ପ୍ରସ୍ତୁତି ଚାଲିଛି । କୁହାଯାଉଛି ଯେ ଉଭୟଦେଶର ଏନଏସଏ କ୍ରମାଗତ ପରସ୍ପର ସଂପର୍କରେ ଅଛନ୍ତି ଏବଂ ସାକ୍ଷାତ ନେଇ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଥିବା ବେଳେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଛନ୍ତି ନସିର ଖାନ ଜଞ୍ଜୁଆ ।

ଭାରତ ଓ ପାକିସ୍ତାନର ଏନଏସଏ ଫୋନରେ କଥାବାର୍ତ୍ତା ଜାରି ରଖିବାର ପରିଣାମସ୍ରୂପ ଉଭୟ ଦେଶ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ସମ୍ଭବ ହୋଇ ପାରିଛି । ମାତ୍ର ଆଲୋଚନାର ଏହି ପ୍ରକ୍ରିୟା ମଧ୍ୟରେ ସୀମାରେ ଭାରତକୁ ସତର୍କ ରହିବାକୁ ମଧ୍ୟ ପଡ଼ିବ ।

ଉଲ୍ଲେଖଯୋଗ୍ୟ ମେ ମାସରେ ପାକିସ୍ତାନ ପକ୍ଷରୁ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ଯେଉଁ କାରଣରୁ ସୀମାର ଆଖପାଖ ଇଲାକାରେ ବହୁତ କ୍ଷତି ଘଟିଥିଲା । ଏହି ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିଲା ଏବଂ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା । ଏଠାରେ କହି ରଖୁଛୁ ଯେ ପାକିସ୍ତାନ ପକ୍ଷରୁ ଚଳିତ ବର୍ଷ ଏପର୍ୟ୍ୟନ୍ତ ସୀମାରେ ମୋଟ୍ ୯୦୮ ଥର ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଦେଖିବାକୁ ମିଳିଛି ଯାହା ଗତ ବର୍ଷ ମୋଟ୍ ୮୬୦ ଥିଲା । ଉଲ୍ଲେଖଯୋଗ୍ୟ ମଙ୍ଗଳବାର ହୋଇଥିବା ବୈଠକରେ ଭାରତ ଓ ପାକିସ୍ତାନର ସୈନ୍ୟ ଅଭିଯାନର ମହାନିର୍ଦ୍ଦେଶକ (ଡିଜିଏମଓ) ୨୦୦୩ର ଅସ୍ତ୍ର ବିରତି ରାଜିନାମାକୁ ସଂପୂର୍ଣ୍ଣ ରୂପେ ଲାଗୁ କରିବାକୁ ରାଜି ହୋଇଛନ୍ତି । ସ୍ଥଳ ସେନା ପକ୍ଷରୁ କୁହାଯାଇଥିଲା ଯେ ଉଭୟ ଦେଶର ସୈନ୍ୟ କମାଣ୍ଡର ସନ୍ଧ୍ୟା ୬ଟାରେ ହଟଲାଇନରେ ଆଲୋଚନା ସମୟରେ ଜାମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା(ଏଲଓସି) ଓ ଅନ୍ତରାଷ୍ଟ୍ରୀୟ ସୀମାରେ ବର୍ତ୍ତମାନର ସ୍ଥିତି ଉପରେ ସମୀକ୍ଷା କରିଥିଲେ ।ବିଶେଷ କରି ଡିଜିଏମଓସ୍ତରୀୟ ଆଲୋଚନା ପାଇଁ ପ୍ରଥମେ ପାକିସ୍ତାନ ପକ୍ଷରୁ ଭାରତକୁ ଅପିଲ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

sixteen + ten =